ସମ୍ବଲପୁର:ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ମାଟି ମାଆ ପ୍ରକୃତିର ପରମ୍ପରାର ନିଆରା ପର୍ବ ନୂଆଖାଇ । ସେଥିପାଇଁ ଉତ୍ସବ ମୁଖର ଗାଁଠୁ ସହର । ପରିବାର ସମସ୍ତେ ମିଶି ଖାଇବେ ନୂଆ । ଯିଏ ଯେଉଁଠି ଥାଉ ନୂଆଖାଇ ଆସିଲେ ଘର ମୁହାଁ ହୁଅନ୍ତି । କୃଷି ଭିତ୍ତିକ ଏହି ପର୍ବ ପଶ୍ଚିମ ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ସହରରେ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ନୂଆଖାଇ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏଥର ଲୋକଙ୍କ ସହ ନୂଆଖାଇ ପାଳିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତାକାଲି(ରବିବାର) ସମ୍ବଲପୁର ଗସ୍ତ କରି ମା’ ସମଲେଇଙ୍କ ଆଶିଷ ନେବା ସହ ନବାନ୍ନ ଭକ୍ଷଣ କରିବେ ।
ସବୁଠି ନୂଆଖାଇ ଖୁସି, ପ୍ରଥମ ଥର ସାମିଲ ହେବେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର ଜିଲ୍ଲାର ଗାଁରୁ ସହର ସବୁଠି ଖୁସିର ମାହୋଲ ପରିଲକ୍ଷିତ ହୋଇଛି । ନୂଆଖାଇ ପାଇଁ ପରିବାରର ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଫେରୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ନୂଆଖାଇ ପାଇଁ ବଜାରରେ ପ୍ରବଳ ଭିଡ଼ । ଚଳିତ ନୂଆଖାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଆସି ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ନୂଆ ଖାଇବାର କାର୍ଯ୍ୟକ୍ରମ ରହିଛି ଏଥିପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା l ମୁଖ୍ୟମନ୍ତ୍ରୀ ଏହି ପର୍ବରେ ସାମିଲ ହେବାକୁ ଆସୁଛନ୍ତି । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।
ଏହା ମଧ୍ୟ ପଢନ୍ତୁ:Nuakhai 2024: ସମ୍ବଲପୁରରେ ଚାଷୀଙ୍କୁ ବଡ ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଶୁଭାରମ୍ଭ ହେବ ‘ସିଏମ କିଷାନ ଯୋଜନା’, ଖାତାକୁ ଯିବ ପ୍ରଥମ କିସ୍ତି
କଣ ରହିଛି ନୂଆଖାଇର ପରମ୍ପରା:
ନୂଆଖାଇ ହେଉଛି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣ ପର୍ବ । ଏହା ମୁଖ୍ୟତଃ ଏକ ଚାଷୀର ପର୍ବ । ପରମ୍ପରା ମୁତାବକ ଏହି ପର୍ବ ପାଳନ ସମୟରେ ପରିବାରର ସମସ୍ତ ସଦସ୍ୟ ଘରେ ଉପସ୍ଥିତ ରହିବା ନିହାତି ଆବଶ୍ୟକ । ଜଣେ ବି ଅନୁପସ୍ଥିତ ରହିଲେ ଏହା ପାଳନ ହୋଇ ପାରିନଥାଏ । ତେଣୁ ଯିଏ ଯେତେ ଦୂରରେ ଥିଲେ ମଧ୍ୟ ଘରକୁ ଆସିବାର ପରମ୍ପରା ରହିଛି । ଏହି ପର୍ବ ପୂର୍ବରୁ ଘର ଦ୍ୱାରା ସବୁ ସଫା କରାଯାଇ ରଙ୍ଗ ବୋଳାଯାଏ । ମନ୍ଦିର ମଧ୍ୟ ସଫେଇ କରାଯାଇ ରଙ୍ଗ ବୋଳାଯାଏ l ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ନୂଆ ବସ୍ତ୍ର ଅନିବାର୍ଯ୍ୟ ହୋଇଥାଏ । ଗରିବ ହେଉକି ଧନୀ ନିଜର ଶକ୍ତି ଅନୁସାରେ ସମସ୍ତଙ୍କ ପାଇଁ ନୂଆ ବସ୍ତ୍ର କିଣାଯାଏ ।
ପ୍ରକୃତି ପୂଜା ଓ ବଡ଼ଙ୍କୁ ସମ୍ମାନର ଶିକ୍ଷା ଦିଏ ନୂଆଖାଇ:
ନୂଆଖାଇ ଦିନ ସକାଳୁ ସ୍ନାନ କରିବା ପରେ ସମସ୍ତ ସଦସ୍ୟ ନୂଆ ବସ୍ତ୍ର ପରିଧାନ କରନ୍ତି । ମହିଳା ମାନେ ଘରେ ବିଭିନ୍ନ ପ୍ରକାର ପିଠା, ଖିରି ତିଆରି କରନ୍ତି । ତେବେ ଖିରିଟି ନୂଆ ଧାନର ଚାଉଳରେ ତିଆରି ହୋଇଥାଏ । ଏହି ସବୁ ଖିରି ପିଠାକୁ ପରିବାରର ସବୁଠାରୁ ବଡ଼ ପୁଅ ନିଜର ଇଷ୍ଟ ଦେବା ଦେବୀଙ୍କୁ ନୈବେଦ୍ୟ ଆକାରରେ ଅର୍ପଣ କରିବା ସହ ନିଜର ପୂର୍ବ ପୁରୁଷଙ୍କୁ ପୂଜା କରିଥାଏ । ଏହା ବହୁ ନିଷ୍ଠାର ସହ କରାଯାଏ । ପୂଜାପାରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆ ଚାଉଳ ଖିରିକୁ ପ୍ରାସାଦ ଆକାରରେ ସେବନ କରନ୍ତି l ଏହି ଖିରିକୁ ବିଭିନ୍ନ ଜାତିର ଲୋକେ ଭିନ୍ନ ଭିନ୍ନ ଗଛର ପତ୍ରରେ ସେବନ କରିବାର ବ୍ୟବସ୍ଥା ରହିଛି । ଏହା ପରେ ପରିବାରର କନିଷ୍ଠ ମାନେ ବରିଷ୍ଠ ମାନଙ୍କୁ ଜୁହାର ବା ମୁଣ୍ଡିଆ ମାରନ୍ତି ଓ ବରିଷ୍ଠ ମାନେ କନିଷ୍ଠ ମାନଙ୍କୁ ଆଶୀର୍ବାଦ ଦିଅନ୍ତି । ପରେ ଘରେ ଘରେ ବିଭିନ୍ନ ପ୍ରକାର ପିଠା ଓ ବ୍ୟଞ୍ଜନ ତିଆରି ହୋଇଥାଏ ଯାହାକୁ ସମସ୍ତେ ସେବନ କରିବାର ଵିଧି ରହିଛି l ଏହା ପରେ ଘରୁ ବାହାରି ପଡା ଅଥବା ସାହିର ସମସ୍ତଙ୍କୁ ସମସ୍ତେ ଜୁହାର ହେବାର ବିଧି ରହିଛି । ଏହାକୁ ଜୁହାର ଭେଟ କାର୍ଯ୍ୟକ୍ରମ କୁହାଯାଏ l ଅପରାହ୍ନରେ ଗାଁ ସାହିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହାକୁ ନୂଆଖାଇ ଭେଟଘାଟ କୁହାଯାଏ । ଏହି ପର୍ବ ବାସ୍ତବରେ ସାମାଜିକ, ପାରିବାରିକ ଓ ଆଧ୍ୟାତ୍ମିକ ଦର୍ଶନକୁ ବହନ କରିଥାଏ । ଏହା ସହ ଏହି ପର୍ବ ପ୍ରକୃତି ପୂଜା ଓ ବଡ଼ଙ୍କୁ ସମ୍ମାନର ଶିକ୍ଷା ଦେଇଥାଏ ।
ଏହା ମଧ୍ୟ ପଢନ୍ତୁ:Nuakhai 2024: ମୁଖ୍ୟମନ୍ତ୍ରୀ ମୋହନଙ୍କ ମନ ସମ୍ବଲପୁର ଖାଇବେ ନୂଆ, ଏମିତି ବ୍ୟବସ୍ଥା କରିଛି ପ୍ରଶାସନ
କଣ ରହିଛି ଇତିହାସ:
ସଂସ୍କୃତି ଗବେଷକଙ୍କ ମତରେ ଏହା କେବେ ଆରମ୍ଭ ହୋଇଛି କେହି ଜାଣି ନାହାନ୍ତି । ତେଣୁ ଏହାକୁ ଆଦି ପର୍ବ କୁହାଯାଏ । ସମ୍ବଲପୁରର ଇତିହାସକୁ ଯଦି ଦେଖିବା ତାହାଲେ ଏହାକୁ ବହୁ ବର୍ଷ ପୂର୍ବରୁ ଏଠିକାର ଅଧିବାସୀ ପାଳନ କରୁଥିଲେ । ତେବେ 1500 ଶତାବ୍ଦୀର ପ୍ରାରମ୍ଭରେ ସମ୍ବଲପୁରକୁ ଚୌହାନ ବଂଶୀୟ ରାଜା ମାନେ ଆଗମନ କଲାପରେ ସେମାନେ ମା’ ସମଲେଶ୍ୱରୀଙ୍କୁ ଇଷ୍ଟ ଦେବୀ ଭାବେ ଗ୍ରହଣ କରିବା ସହ ନୂଆଖାଇ ପର୍ବକୁ ପାଳନ କରୁଥିଲେ । ତେବେ ଭିନ୍ନ ଭିନ୍ନ ରାଜ୍ୟର ରାଜା ମାନେ ଭିନ୍ନ ଭିନ୍ନ ଦିନରେ ଏହାକୁ ପାଳନ କରି ଆସୁଥିଲେ । ସେହି ଦିନ ଠାରୁ ଏହା ଚାଲି ଆସୁଛି l