ଜଗତସିଂହପୁର:ନିର୍ବାଚନ ପାଇଁ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଜଗତସିଂହପୁର ଲୋକସଭା ଆସନ ପାଇଁ ଆସନ୍ତା 7 ତାରିଖ ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ 14 ତାରିଖ ଯାଏ ଜାରି ରହିବ । ଏନେଇ ଆଜି(ଶନିବାର) ସନ୍ଧ୍ୟାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅନୁପମ ସାହା ସୂଚନା ଦେଇଛନ୍ତି । ସଦଭାବନା ସଭାଗୃହଠାରେ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ରାଜନୈତିକ ଦଳର ପ୍ରତିନଧିଙ୍କ ସହ ଏନେଇ ଆଲୋଚନା କରାଯାଇଛି । ତେବେ ମେ ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ସହ ମେ ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ବୋଲିି ସୂଚନା ମିଳିଛି ।
ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୬- ଜଗତସିଂହପୁର ଲୋକସଭା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୦୨- ତିର୍ତ୍ତୋଲ (ସଂ) ବିଧାନସଭା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୦୩- ବାଲିକୁଦା- ଏରସମା ବିଧାନସଭା, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପଙ୍କ ନିମନ୍ତେ ପ୍ରକୋଷ୍ଠରେ ୧୦୧-ପାରାଦ୍ବୀପ ବିଧାନସଭା, ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୦୪- ଜଗତସିହପୁର ବିଧାନସଭା ମଣ୍ଡଳୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ଏହାସହ ପ୍ରାର୍ଥୀମାନେ ମେ ୭ ତାରିଖରୁ ନୋମିନେସନ ଫର୍ମ କିଣିପାରିବେ ଏବଂ ଦାଖଲ କରିପାରିବେ । ମେ ୧୧ ଓ ୧୨ ତାରିଖ ଛୁଟି ଦିବସ ରହିଥିବାରୁ ମାତ୍ର ୬ ଦିନ କାର୍ଯ୍ୟ ଦିବସରେ ନୋମିନେସନ ଦାଖଲ କରି ପାରିବେ । ଉକ୍ତ ଦିନ ମାନଙ୍କରେ ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରବେଶ ପଥ ଓ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପ୍ରାର୍ଥୀଙ୍କ ସହିତ ମୋଟ୍ ୫ ଜଣଙ୍କୁ ନୋମିନେସନ୍ କକ୍ଷକୁ ପ୍ରବେଶର ଅନୁମତି ରହିଛି । ସେପଟେ ଏସପି ରାହୁଲ ପି.ଆର କହିଛନ୍ତି ଯେ, ନିୟମ ଅନୁସାରେ ୧୦୦ ମିଟର ଭିତରେ ଗୋଟିଏ ଦଳର ୩ଟି ଗାଡ଼ିକୁ ପ୍ରବେଶ କରିବାକୁ ଦିଆଯିବା । ଜନଗହଳି ସମ୍ଭାବନା ଥିବାରୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ପ୍ରତିନିଧି ମାନଙ୍କୁ ଅନୁରୋଧ ।