ଖୋର୍ଦ୍ଧା: ‘‘ଆଜି ମଧ୍ୟ ନବୀନଙ୍କ ମନରୁ ପାଣ୍ଡିଆନଙ୍କ ପ୍ରେମ ତୁଟିନି । ଦଳ ଏତେ ବଡ ବିପର୍ଯ୍ୟୟର ସାମ୍ନା କରିବା ପରେ ମଧ୍ୟ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାପାଇଁ ନବୀନ ଆଗଭର । ସାଢେ ଚାରି କୋଟି ଓଡ଼ିଆଙ୍କ ମଧ୍ୟରୁ କେହି ଜଣେ ବି ନବୀନଙ୍କ ଆସ୍ଥାଭାଜନ ହେଲେନି । ମାତ୍ର ଜଣେ ଅଣଓଡ଼ିଆ ତାମିଲ ହାତରେ ଓଡିଶାକୁ ଟେକି ଦେବାର ଚକ୍ରାନ୍ତକୁ ଓଡିଶାବାସୀ ପଣ୍ଡ କରିଛନ୍ତି ।’’ କିଛି ଏଭଳି ଢଙ୍ଗରେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ଜେଲରୁ ଅନ୍ତରୀଣ ଜାମିନରେ ମୁକ୍ତ ହୋଇଥିବା ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜି ପୂର୍ବାହ୍ନରେ ଜେଲରୁ ବାହାରିବା ପରେ ସମର୍ଥକଙ୍କ ଏକ ବିଶାଳ ରାଲିରେ ଖୋଲା ଗାଡିରେ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିବା ସହ ବିଜେଡି ଉପରେ ବର୍ଷିଛନ୍ତି ପ୍ରଶାନ୍ତ ।
ମତଦାନ ଦିନ ବୋଲଗଡ଼ ବ୍ଲକ କାଉଁରିପାଟଣା 114-ନଂ ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଗିରଫ ହୋଇ ଜେଲରେ ଯାଇଥିବା ପ୍ରଶାନ୍ତଙ୍କୁ ତିନିଦିନିଆ ଅନ୍ତରୀଣ ଜାମିନ ମିଳିବା ପରେ ଆଜି ସେ ଖୋର୍ଦ୍ଧା ଜେଲରୁ ବାହାରିଛନ୍ତି । ଖୋର୍ଦ୍ଧାବାସୀ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ଆଜି ପ୍ରଶାନ୍ତଙ୍କର ହଜାର ହଜାର ସମର୍ଥକ ଖୋର୍ଦ୍ଧା ଜେଲ ଆଗରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ସହ ସହର ପରିକ୍ରମା କରାଇଥିଲେ । ଏହି ଅବସରରେ ତାଙ୍କ ଗିରଫଦାରୀ ଏକ ଚକ୍ରାନ୍ତ କହିବା ସହ ନ୍ୟାୟାଳୟ ଉପରେ ତାଙ୍କର ଭରଷା ଅଛି ବୋଲି କହିଛନ୍ତି । ଏଥିସହ ଖୋର୍ଦ୍ଧା ମାନଚିତ୍ରରେ ଏକ ବ୍ୟାପକ ପରିବର୍ତ୍ତନ କରି ଖୋର୍ଦ୍ଧାର ବିକାଶ ଶିଖର ଛୁଇଁବ ବୋଲି କହିଛନ୍ତି ।