ଓଡିଶା

odisha

ETV Bharat / state

କେମିତି ମ୍ୟାନେଜ୍‌ କରିବେ ମନୋଜ ? ରଥଯାତ୍ରାରୁ ରତ୍ନଭଣ୍ଡାର, ରାଜ୍ୟ-କେନ୍ଦ୍ର ସମନ୍ବୟ, ରହିଛି ଅନେକ ଚ୍ୟାଲେଞ୍ଜ - New challenges for cs Manoj Ahuja - NEW CHALLENGES FOR CS MANOJ AHUJA

New challenges in front of Chief Secretary Manoj Ahuja: ରାଜ୍ୟ ପ୍ରଶାସନରେ କେତେ ଗ୍ରହଣୀୟ ହେବେ ମନୋଜ ଆହୁଜା । ବିଜେପି ସରକାରର ପ୍ରତିଶ୍ରୁତି ପୂରଣଠାରୁ ନେଇ ନବୀନଙ୍କ ଯୋଜନାର ବିକଳ୍ପ ଖୋଜିବା ପର୍ଯ୍ୟନ୍ତ ରହିବ ଚ୍ୟାଲେଞ୍ଜ । ରଥଯାତ୍ରାଠାରୁ ନେଇ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ, ସବୁଠି ରହିଛି କାର୍ଯ୍ୟଦକ୍ଷତାର ପ୍ରଶ୍ନ । ଅଧିକ ପଢନ୍ତୁ

ନୂଆ ସରକାର ଓ ମୁଖ୍ୟ ଶାସନ ସଚିବ: ମନୋଜଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ
ନୂଆ ସରକାର ଓ ମୁଖ୍ୟ ଶାସନ ସଚିବ: ମନୋଜଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ (ETV Bharat Odisha)

By ETV Bharat Odisha Team

Published : Jul 2, 2024, 8:30 AM IST

Updated : Jul 2, 2024, 11:19 AM IST

ଭୁବନେଶ୍ବର:ରାଜ୍ୟରେ ଦୀର୍ଘ ଅଢେଇ ଦଶନ୍ଧି ପରେ ସରକାର ବଦଳି ଥିବାବେଳେ ସମାନ ଧାରା ମଧ୍ୟ ରାଜ୍ୟ ପ୍ରଶାସନରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରାୟ ଦୁଇ ଦଶନ୍ଧି ପରେ ଜଣେ ବରିଷ୍ଠ ଅଣଓଡିଆ ପ୍ରଶାସନିକ ଅଧିକାରୀ ମୁଖ୍ୟ ଶାସନ ସଚିବ ହୋଇଛନ୍ତି । 1990 ବ୍ୟାଚର ବରିଷ୍ଠ ଆଇଏଏସ ମନୋଜ ଆହୁଜା ମୋହନ ସରକାରର ମୁଖ୍ୟ ଶାସନ ସଚିବ ଭାବେ ଗତ ରବିବାର ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବା ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ (ETV Bharat Odisha)

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବେଳେ କାର୍ଯ୍ୟପାଳିକାର ଶୀର୍ଷ ଅଧିକାରୀ ହେବେ ମନୋଜଙ୍କ ଗୁରୁଦାୟିତ୍ୱ ରହିଛି । ଏକାଧିକ କ୍ଷେତ୍ରରେ ରହିଛି ଅନେକ ଚ୍ୟାଲେଞ୍ଜ । ପ୍ରାଶାସନିକ ଗ୍ରହଣୀୟତା, କେନ୍ଦ୍ର-ରାଜ୍ୟ ସମନ୍ୱୟ, ଶାସକ ଦଳର ପ୍ରତିଶ୍ରୁତି ଓ ଲୋକଙ୍କ ଭାବାବେଗ ସହିତ ଜଡିତ ମହାପ୍ରଭୁ ଶ୍ରୀଜଗନ୍ନନାଥଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମନୋଜଙ୍କ ପାଇଁ ଆହ୍ବାନ ସଦୃଶ ହେବ । ନୂଆ ମୁଖ୍ୟ ଶାସନ ସଚିବଙ୍କ ପାଇଁ ମୁଖ୍ୟତଃ ଦୁଇ ପ୍ରକାର ଚ୍ୟାଲେଞ୍ଜ ରହିବ । ଆସନ୍ତା କିଛି ଦିନରରେ ପଡୁଥିବା ଚିରାଚରିତ କାର୍ଯ୍ୟକ୍ରମ ସହ ଦୀର୍ଘକାଳୀନ ଚ୍ୟାଲେଞ୍ଜ ରହିଛି । ଆସନ୍ତାବର୍ଷ ଜାନୁଆରୀ ପହିଲା ମନୋଜଙ୍କ ଅବସର ଧାର୍ଯ୍ୟ ରହିଛି । ଆସନ୍ତା 6 ମାସ ମଧ୍ୟରେ ମନୋଜଙ୍କ ଦକ୍ଷତା ତାଙ୍କ କର୍ଯ୍ୟକାଳ ବୃଦ୍ଧିର ମାପକାଠି ହୋଇପାରେ ।


ରଥଯାତ୍ରା, ରତ୍ନଭଣ୍ଡାର ଖୋଲା ଓ ରାଷ୍ଟ୍ରପତିଙ୍କ ଗସ୍ତ :-
ଆଗକୁ ରହିଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥ ଓ ବାହୁଡା଼ ଯାତ୍ରା । ନୂଆ ସରକାର ଓ ମୁଖ୍ୟ ଶାସନ ସଚିବଙ୍କର ଏହା ପ୍ରଥମ ପ୍ରାଥମିକତା । ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ବଡ଼ ଚ୍ୟାଲେଞ୍ଜ ରହିବ । ମହାପ୍ରଭୁଙ୍କ ଏହି ବଡ଼ ଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି । ସୁରୁଖୁରୁରେ ରଥଯାତ୍ରା ସହ ରାଷ୍ଟ୍ରପତିଙ୍କ ଗସ୍ତ ସମାପନ ଦାଇତ୍ୱ ରହିବ । ସେହିପରି ରତ୍ନ ଭଣ୍ଡାର ଖୋଲିବା ଶାସକ ଦଳର ନିର୍ବାଚନୀ ପ୍ରତିଶ୍ରୁତି ରହିଛି । ଏହାକୁ ବିଧି ଅନୁସାରେ କରିବା ମଧ୍ୟ ବଡ଼ ଚ୍ୟାଲେଞ୍ଜ ହେବ ।


ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ :-
ସାଧାରଣ ନିର୍ବାଚନରେ ପୁଳାଏ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି । ଏହା ମଧ୍ୟରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, କୃଷକଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା, ଶ୍ରୀମନ୍ଦିରର କର୍ପସ ଫଣ୍ଡ ପ୍ରତିଷ୍ଠା ସହ ଅନେକ ପ୍ରତିଶ୍ରୁତି ରହିଛି । ସେହିପରି ଦୁର୍ନୀତି ବିରୋଧରେ ଅଭିଯାନ ପରି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣର ଗୁରୁ ଦାୟିତ୍ୱ ମନୋଜଙ୍କ ଉପରେ ରହିବ । ସାମାନ୍ୟ ଭୁଲ ମୋହନ ସରକାର ପାଇଁ ବିପଦ ସୃଷ୍ଟି କରିବ । ସଶକ୍ତ ବିରୋଧୀ ଥିବାରୁ ନୂଆ ସରକାର ଲାଗି ବୁମେରାଂ ହୋଇପାରେ । ତେଣୁ ବେଶ ସତର୍କତାର ସହ ମନୋଜଙ୍କୁ ପ୍ରଭାବଶାଳୀ ନିଷ୍ପତ୍ତି ନେବାକୁ ପଡିବ ।

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ :-
କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଛି । ଅର୍ଥାତ ଓଡିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି । ନୂଆଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ସମନ୍ୱୟ ରଖିବା ମଧ୍ୟ ମନୋଜଙ୍କ ପାଇଁ ଚ୍ୟାଲେଞ୍ଜ ହେବ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କେବଳ ସୁସମ୍ପର୍କ ନୁହେଁ, ଗଭୀର ଚିନ୍ତନ ସହ ପରିସ୍ଥିତିର ସାମନା କରିବା ସହ ବୁଦ୍ଧିମତାର ସହ ସମସ୍ୟାର ସମାଧାନ କରିବାକୁ ପଡିବ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିଲେ ମଧ୍ୟ କିଛି ପରିସ୍ଥିତିରେ କାମ କରିବା ସହଜ ହୋଇପାରେ । ବିଭିନ୍ନ କ୍ଷମତା କେନ୍ଦ୍ରର ଚାପ ସମ୍ଭାଳିବାକୁ ପଡିପାରେ ।

ନବୀନଙ୍କ ନିଷ୍ପତ୍ତି, ଯୋଜନା ସମୀକ୍ଷା :-
ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନ କରିଥିଲା ବିଜେଡି । 24 ବର୍ଷ କ୍ଷମତାରେ ରହିବା ସହ ନବୀନ ସରକାରର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଯାହାକୁ ବିରୋଧୀରେ ଥିବା ସମୟରେ ବିଜେପି ନାପସନ୍ଦ କରିଛି । ଉଦାହରଣ ଆକାରରେ ଆମ ଓଡ଼ିଶା, ନବୀନ ଓଡିଶା, BSKY, ମିଶନଶକ୍ତିକୁ ଅତୀତରେ ଟାର୍ଗେଟ କରିଛି ବିଜେପି । ଏସବୁ ଯୋଜନାର ସମୀକ୍ଷା କରିବା, ବନ୍ଦ କରିବା କିମ୍ବା ଏଗୁଡିକର ବିକଳ୍ପ ବ୍ୟବସ୍ଥା କରିବା ମନୋଜଙ୍କ ତତ୍ୱାବଧାନରେ ହେବ । ଏହା ମଧ୍ୟ ମନୋଜଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

ଶାସନ ବ୍ୟବସ୍ଥାରେ ସ୍ଥିରତା :-
ରାଜ୍ୟରେ ଥିବା ଅଧିକାରୀଙ୍କ ବଦଳରେ କେନ୍ଦ୍ରରର 7ବର୍ଷ ହେଲା ଥିବା ମନୋଜଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି ମୋହନ ସରକାର । ଶାସନ ବ୍ୟବସ୍ଥାରେ ନୂଆ କିଛି କରିବାକୁ ଚେଷ୍ଟା କରୁଥିବା ମୋହନ ସରକାର ଜନତାଙ୍କ ମନରେ ଆଶା ଓ ଆତ୍ମବିଶ୍ୱାସ ଭରିବାକୁ ଉଦ୍ୟମ କରିଛନ୍ତି । ତେଣୁ ଶାସନ ବ୍ୟବସ୍ଥାରେ ସ୍ଥିରତା ଆଣିବା ମନୋଜଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ବିଜେଡି ଲମ୍ବା ସମୟ ଧରି ଶାସନରେ ରହିବା ସହ କାର୍ଯ୍ୟପାଳିକାର ପ୍ରତି ସ୍ତରରେ ନିଜ ବିଶ୍ୱସ୍ତ ଅଧିକାରୀଙ୍କୁ ରଖିଥିଲା । ତେଣୁ କାର୍ଯ୍ୟପାଳିକାର ପ୍ରଦର୍ଶନ ଉପରେ ରାଜ୍ୟରେ ପ୍ରଥମ ବିଜେପି ସରକାରର ପ୍ରଦର୍ଶନ ନିର୍ଭର କରୁଛି । ଆଉ ଏହାର ପୂରା ଦାୟିତ୍ୱ ଏବେ ମନୋଜଙ୍କ କାନ୍ଧରେ ରହିବ ।

ଏହା ମଧ୍ୟ ପଢନ୍ତୁ:-ଲୋକସଭାରେ ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା, କହିଲେ ଆପଣ ହିନ୍ଦୁ ହିଁ ନୁହନ୍ତି - Ruckus in Lok Sabha

ବଦଳେଇବାକୁ ପଡିବ ପ୍ରଶାସନିକ ଚେହେରା :-
ରାଜନୀତିରେ ଅନୁପ୍ରବେଶ ଅଭିଯୋଗ ସହ ନେଇ ବଦନାମ ହୋଇଛି ପ୍ରଶାସନିକ ବ୍ୟବସ୍ଥା । କାର୍ଯ୍ୟପାଳିକାର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । କିଛି ଆଇଏଏସ ଓ ଆଇପିଏସ ଦଳୀୟ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ରହିଥିଲା । ଭିକେ ପାଣ୍ଡିଆନ ଚାକିରିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେବା ପରେ ଅଭିଯୋଗରେ ସତ୍ୟତା ଥିବା ମୋହର ବାଜିଛି । ତେଣୁ ବିଜେପି ସରକାରରେ ଅଧିକାରୀ ଯେ ନିରପେକ୍ଷ ମନୋଜଙ୍କୁ ଏହି ବିଶ୍ୱାସ ଜନସାଧାରଣରେ ଜନ୍ମାଇବାକୁ ପଡିବ । ଜନତାଙ୍କ ମଧ୍ୟରେ କାର୍ଯ୍ୟପାଳିକାର ବିଶ୍ୱସନୀୟତା ଫେରାଇ ଆଣିବାକୁ ପଡିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 2, 2024, 11:19 AM IST

ABOUT THE AUTHOR

...view details