ନୟାଗଡ଼: ନୟାଗଡ଼ରେ ଧାନ ମଣ୍ଡିରେ ଅବ୍ୟବସ୍ଥା, ଧାନ କିଣାରେ କଟନୀ ଛଟନୀ ସାଙ୍ଗଙ୍କୁ ମଣ୍ଡିରେ ଆନୁଷଙ୍ଗିକ ଅବ୍ୟବସ୍ଥା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମିଲର ଏବଂ ସୋସାଇଟି ସମ୍ପାଦକଙ୍କ ମନମାନି ଯୋଗୁ ବିଭିନ୍ନ ମଣ୍ଡିରେ ସପ୍ତାହ ସପ୍ତାହ ଧରି ଉଠି ପାରୁନି ଚାଷୀଙ୍କ ଧାନ । ଏପରି ଅଭିଯୋଗ ପରେ ରାଜ୍ୟ ବିଜେପି କୃଷିକ ସଭାପତିଙ୍କ ନେତୃତ୍ଵରେ ଏକ ଟିମ୍ ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା ପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୁହାଯାଇଛି । ସେପଟେ ଅଭିଯୋଗ ପରେ 10ଟି ସୋସାଇଟ ସମ୍ପାଦକ ଓ ଜଣେ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ନୟାଗଡ଼ର ବିଭିନ୍ନ ମଣ୍ଡିରେ କଟନୀ ଛଟନୀ ଅଭିଯୋଗ:
ମଣ୍ଡିରେ ଚାଲିଛି ମିଲର ଏବଂ ସୋସାଇଟ ସମ୍ପାଦକଙ୍କ ରାଜୁତି । 'ଆମ କଥାରେ ରାଜି ହୁଏ ନହେଲେ ମଣ୍ଡିରୁ ଧାନ ଉଠିବ ନାହିଁ' ବୋଲି ଚାଷୀଙ୍କୁ କୁହାଯାଉଥିବା ଅଭିଯୋଗ ହୋଇଛି । ଚାଷୀ ମଣ୍ଡିକୁ ଧାନ ଆଣିଲେ ପ୍ରଥମେ ଚାଷୀଙ୍କ ସହ କଟନୀ ଛଟନୀ ନେଇ ହେଉଛି ମୂଲଚାଲ । ଧାନ ୮କେଜି ୫ ଶହ ଗ୍ରାମ୍ ଓ ଅଖା ପାଇଁ ଦେଢ଼ କେଜି ଧାନ କଟନୀ ଛଟନୀ କରିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି । ଏହାପରେ ଯାଇ ଧାନ ମଣ୍ଡିରୁ ଉଠୁଛି, ଜିଲ୍ଲାର ପ୍ରତି ମଣ୍ଡିରେ ଏହିଭଳି ଧାନ କଟନି ଛଟନୀ କରି ଚାଷୀଙ୍କୁ ମିଲର ମାନେ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି ଚାଷୀମାନେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ନାଁ ମଣ୍ଡିରେ କଟନି ଛଟନୀ ବନ୍ଦ ହେଉଛି ନା ଚାଷୀଙ୍କ ସ୍ଵାର୍ଥ ପୂରଣ ହେଉଛି । ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ଖୁଲମଖୁଲା ଚାଲିଛି ମଣ୍ଡିରେ କଟନି ଛଟନୀ ଚାଲିଛି । ସବୁ ଜାଣି ଯୋଗାଣ ବିଭାଗ ଚୁପ୍ ବସିଥିବା ବେଳେ ସମବାୟ ବିଭା ଦେଖଣାହାରୀ ସାଜିଛି । ଏଥିରେ କେବଳ ମିଲର ଲାଭବାନ ହେଉଛି ତା ତାହା ନୁହଁ ସେବା ସମବାୟ ସମିତି କର୍ମଚାରୀ ଭଲ ରୋଜଗାର କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
PADDY PROCUREMENT POSING (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-କଟନୀ-ଛଟନୀ ଟେନସନ୍; ଚାଷୀ ବେଶରେ ମଣ୍ଡି ତନଖି କଲେ ଜିଲ୍ଲାପାଳ - COLLECTOR VISITS MANDI
ଏହା ମଧ୍ୟ ପଢନ୍ତୁ-ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ନାଲି ଆଖି, 'ବନ୍ଦ କର ଅଧିକ କଟନୀ ଛଟନୀ' - PADDY PROCUREMENT KATNI CHHATNI
ମଣ୍ଡି ବୁଲିଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି:
ମଣ୍ଡିରେ କଟନୀ ଛଟନୀ ନେଇ ଚାଷୀଙ୍କ ଅଭିଯୋଗ ପରେ ନିକଟରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁଙ୍କ ନେତୃତ୍ଵରେ ଏକ ଟିମ୍ ନୟାଗଡ଼ ଓଡ଼ଗାଁ, ନୂଆଗାଁ ବ୍ଲକ୍ର ବାହାଡ଼ାଝୋଲା, ବେରୁଆଁବାରୀ, ହରିପୁର ଏବଂ ସୁନା ମୁହିଁ ଧାନମଣ୍ଡି ପରିଦର୍ଶନ କରିଥିଲେ । ଏହି ସମୟରେ ସୁନା ମୁହିଁ ମଣ୍ଡିରେ ମିଲରଙ୍କ କଟନୀ ଛଟନୀ କାରବାର ଚାଲିଥିବା ଜଣାପଡିଥିଲା । ଏଥିସହ ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥା ଦେଖି ତଦନ୍ତ କାରୀ ଟିମ୍ ବିରକ୍ତି ପ୍ରକାଶ କରିଥିଲେ । ଚାଷୀମାନେ ତଦନ୍ତକାରୀ ଟିମ୍ ଆଗରେ ମଣ୍ଡିରେ ବିଶ୍ରାମଗାର, ଶୌଚାଳୟ, ପାନୀୟ ଜଳ ଭଳି ମୌଳିକ ବ୍ୟବସ୍ଥା ନଥିବା ଅଭିଯୋଗ କରିଥିଲେ । ସେହିପରି ମଣ୍ଡିରୁ ଧାନ ଫେରାଇ ନେବା ପାଇଁ ଧମକ ମଧ୍ୟ ଦିଆଯାଉଥିବା କହିଥିଲେ ।
10ଟି ସୋସାଇଟ୍ ସମ୍ପାଦକ ଏବଂ ଜଣେ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ:
ମଣ୍ଡିରେ ମିଲର ଏବଂ ସୋସାଇଟ୍ ସମ୍ପାଦକ ଅବହେଳା ପାଇଁ ଖୋଲା ଆକାଶ ତଳେ ଧାନ ପଡି ନଷ୍ଟ ହେଉଥିବା ବେଳେ, ମନଇଚ୍ଛା ବ୍ୟକ୍ତିଗତ ମାଲିକାନାରେରେ ଚାଲିଛି ବିଭିନ୍ନ ସୋସାଇଟରେ ଧାନ ମଣ୍ଡି । ସବୁ ଜାଣି ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମଣ୍ଡିକୁ ଚାଷୀ ଆଣୁଥିବା ଧାନକୁ ପରୀକ୍ଷା କରାନଯାଇ କଟନୀଛଟନୀ 10 କେଜି କରାଯାଉଛି । ଚାଷୀଙ୍କୁ ମଣ୍ଡିକୁ ଧାନ ନା ଆଣି ସିଧାସଳଖ ଭାବେ ମିଲକୁ ନେବା ପାଇଁ ବାଧ୍ୟ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି କୃଷକ ମୋର୍ଚ୍ଚା ଟିମ୍ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛି । ଚାଷୀଙ୍କ ଅଭିଯୋଗକୁ ଭିତ୍ତି କରି 10 ଟି ସୋସାଇଟ୍ ସମ୍ପାଦକ ଏବଂ ଜଣେ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ରିପୋର୍ଟ ମିଳିବା ପରେ କାର୍ଯ୍ୟାୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି ଲକ୍ଷ୍ୟ ନେଇ ସରକାର ବୋନସ ଦେବା ସହ କଟନୀ ଛଟନୀ ବନ୍ଦ କରିବାକୁ କଟକଣା ଜାରି କରିଛନ୍ତି । ହେଲେ ନୟାଗଡ଼ରେ ଏହାକୁ ଫୁ’ କରି ଉଡ଼ାଇ ଦେଇଛନ୍ତି ସେବା ସମବାୟ ସମିତି କର୍ମଚାରୀ ମାନେ । ପ୍ରତି ଧାନମଣ୍ଡିରେ ୧୦ କେଜି ଧାନ କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରୁଥିବାରୁ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।
ଇଟିଭି ଭାରତ, ନୟାଗଡ