ନୟାଗଡ଼:ପ୍ରକୃତିର ବରଦାନ ବରକନ୍ୟା । ଆସିଛି ପିକନିକ ଋତୁ । ଆଣପ ବ୍ୟସ୍ତବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି ନିଜ ପରିବାର କିମ୍ବା ସାଙ୍ଗସାଥୀମନଙ୍କ ସହ କେଉଁଆଡ଼େ ବୁଲିବାକୁ ଯିବା ପାଇଁ ପ୍ଲାନ କରୁନ୍ତି କି ? ତେବେ ଆଜି ହିଁ ଆସନ୍ତୁ ଏହି ସ୍ଥାନକୁ,ଯେଉଁଠାରେ ଆପଣ ଝରଣାର ଥଣ୍ଡା ଥଣ୍ଡା ପାଣିରେ ଗାଧୋଇବାର ମଜା ସହ ବଣ ଭୋଜି ମଧ୍ୟ କରିପାରିବେ । ହଁ ଆଜ୍ଞା, ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ କହିବୁ ଯାହାର ପରିବେଶ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ ବାରମ୍ବାର ଆସିବା ପାଇଁ ବାଧ୍ୟ କରିବ । ସେହି ସ୍ଥାନଟି ହେଉଛି ନୟାଗଡ଼ ଜିଲ୍ଲାରେ ଥିବା ବରକନ୍ୟା ଜଳପ୍ରପାତ ।
ବରକନ୍ୟା ଜଳପ୍ରପାତ:
ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ବୁଢ଼ାବୁଢ଼ୀଆଣୀ ଡ୍ୟାମ ନିକଟରେ ଅବସ୍ଥିତ ଏହି ବରକନ୍ୟା ଝରଣା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଝରଣାରେ ସମୟ ବିତାଇବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସୁଛନ୍ତି ଅନେକ ପର୍ଯ୍ୟଟକ । ନୟାଗଡ଼ ସହର ଠାରୁ ମାତ୍ର ୩୧ କିଲୋମିଟର ଦୂରରେ ଓସ୍ତିଆ କାନଖାଇ ପାହାଡ଼ ପାଦ ଦେଶରେ ଅବସ୍ଥିତ ଏହି ପିକନିକ୍ ସ୍ପଟ୍ । କୁଳୁକୁଳୁ ନାଦରେ ଘଞ୍ଚ ଅରଣ୍ୟ ଓ ପାହାଡ଼ ଉପରୁ ଖସି ଆସୁଛି ଏହି ଝରଣା । ଯାହା ପର୍ଯ୍ୟଟକଙ୍କୁ ଖୁବ୍ ଆକର୍ଷଣ କରୁଛି । ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଥିବାବେଳେ ଶୀତ ଦିନ ଆସିଲେ ଅଧିକ ଭିଡ଼ ହୁଏ । ଜଙ୍ଗଲର ବିଭିନ୍ନ ଔଷଧୀୟ ବୃକ୍ଷ ମୂଳ ଦେଇ ବହି ଆସୁଥିବା ବରକନ୍ୟା ଝରଣାର ଥଣ୍ଡା ପାଣିରେ ଗାଧୋଇବାର ମଜା ନିଅନ୍ତି ପର୍ଯ୍ୟଟକ । ପୁଣି କିଏ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସେଲଫିଟିଏ ନେଇ ନିଜ ସ୍ମୃତିକୁ ମୋବାଇଲ କ୍ୟାମେରାରେ କଏଦ କରେ ।