ହାଇଦ୍ରାବାଦ: ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରି ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଆଜି ପ୍ରଥମଥର ଗଣମାଧ୍ୟମରେ ସାକ୍ଷାତକାର ଦେଇଛନ୍ତି । ଜାତୀୟ ଖବର ସରବରାହ ସଂସ୍ଥା ANIକୁ ସାକ୍ଷାତକାର ଦେଇ ପାଣ୍ଡିଆନ କହିଛନ୍ତି, ସେ 2024 ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି । ଶ୍ରୀମନ୍ଦିର ଇତିହାସରେ ଗତ 5 ଶହ ବର୍ଷ ମଧ୍ୟରେ ଯାହା ହୋଇନଥିଲା, ତାହା ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ନବୀନ ସରକାର ସଫଳତାର ସହ ଶେଷ କରିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।
ରାଜ୍ୟରେ କଂଗ୍ରେସ ସହ ବିଜେଡି କୌଣସି ପରିସ୍ଥିତିରେ ବୁଝାମଣା କରିବ ନାହିଁ । କେନ୍ଦ୍ରରେ ବିଜେପି ସହ ବିଜେଡିର ମଧ୍ୟ କୌଣସି ବୁଝାମଣା ନାହିଁ । ନବୀନ କେନ୍ଦ୍ର ବିରୋଧରେ କି ସପକ୍ଷରେ ନୁହନ୍ତି ବଂର କେନ୍ଦ୍ର- ରାଜ୍ୟ ଗଠନମୂଳକ ସମ୍ପର୍କ ମଧ୍ୟରେ ରାଜ୍ୟରେ ପ୍ରଗତି ଚାହାନ୍ତି । ରାଜ୍ୟର ବିକାଶ ହିଁ ନବୀନଙ୍କ ଫର୍ମୁଲା । ସେହିପରି ସେ ତାଙ୍କ ଦୀର୍ଘ ପ୍ରଶାସକ ଜୀବନରେ ନବୀନ ପଟ୍ଟନାୟକଙ୍କ ସହ କାମ କରିବାର ଅନୁଭବ ମଧ୍ୟ ସେୟାର କରିଛନ୍ତି, ନବୀନ ଜଣେ ସଫଳ ଓ ଦୂରଦୃଷ୍ଟି ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳ ବୋଲି କହିଛନ୍ତି ପାଣ୍ଡିଆନ୍ ।
କାହିଁକି ନିର୍ବାଚନ ଲଢିବେ ନାହିଁ ପାଣ୍ଡିଆନ ?
ପାଣ୍ଡିଆନ ନିର୍ବାଚନର ମାତ୍ର କେଇମାସ ପୂର୍ବରୁ ବିଜେଡିରେ ସାମିଲ ହେବାକୁ ନେଇ ନିର୍ବାଚନ ଲଢିବା ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ପ୍ରଥମ ଗଣମାଧ୍ୟମ ସାକ୍ଷାତକାରରେ ପାଣ୍ଡିଆନ କହିଛନ୍ତି ସେ ନିର୍ବାଚନ ଲଢିବେ ନାହିଁ । ଉଭୟ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢିବେ ନାହିଁ । ରାଜ୍ୟସଭା ମାଧ୍ୟମରେ ମଧ୍ୟ ସେ ସଂସଦ ଯାଉନାହାନ୍ତି । ପାଣ୍ଡିଆନ କହିଛନ୍ତି, ନବୀନ ମୋର ନେତା । ମୁଁ ତାଙ୍କ ପାଇଁ କାମ କରିବାକୁ ଆସିଛି । ନବୀନ 6ଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଦେଶର ରାଜନୀତିରେ ରେକର୍ଡ କରିବାକୁ ଯାଉଛନ୍ତି । ତାଙ୍କୁ ଏଥିରେ ସଫଳ କରିବା ପାଇଁ ସହଯୋଗ କରିବାକୁ ମୁଁ ଆସିଛି । ମୁଁ ମୋର ରକ୍ତ ଓ ସମୟ ଦେଇ ସହଯୋଗ କରିଛି ।
ମିଛ ନେରେଟିଭି ସୃଷ୍ଟି କରିଥିଲେ ବୈଜୟନ୍ତ ପଣ୍ଡା:-
ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ଏକାଧିକ ଅଭିଯୋଗ କରିଛନ୍ତି ପାଣ୍ଡିଆନ । ବୈଜୟନ୍ତ ନବୀନଙ୍କର ବେଶ ନିକଟତର ଥିଲେ । ହେଲେ ପରବର୍ତ୍ତୀ କିଛି ଘଟଣାକ୍ରମରୁ ସେ ନବୀନଙ୍କ ଉପରେ ଅସନ୍ତୁଷ୍ଟ ହୋଇଉଠିଲେ । ପାଣ୍ଡିଆନ କହିଛନ୍ତି, 2014 ନିର୍ବାଚନରେ ବିଜେଡି 20 ଲୋକସଭା ଆସନ ଜିତିଥିଲା । ପାର୍ଟି ଦେଶର 4 ବୃହତ୍ତମ ପାର୍ଟି ମଧ୍ୟ ହୋଇଥିଲା । ଏହି ନିର୍ବାଚିତ ସାଂସଦ ତାଲିକାରେ ବୈଜୟନ୍ତ ପଣ୍ଡା ମଧ୍ୟ ଥିଲେ । ସେ ନବୀନଙ୍କ ସୁପାରିଶରେ ସଂସଦ ଅର୍ଥ କମିଟିର ମୁଖ୍ୟ ହେବାକୁ ଚାହୁଁଥିଲେ । ଏଥିପାଇଁ ସେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ନବୀନଙ୍କ ସବ କଥା ହେବାକୁ ଚାହାନ୍ତି ବୋଲି କହିଥିଲେ ।
ହେଲେ ବୈଜୟନ୍ତଙ୍କ ପୁରୁଣା ଅଭ୍ୟାସ ସମ୍ପର୍କରେ ନବୀନଙ୍କୁ ଆଭାସ ମିଳିଥିଲା । ବୈଜୟନ୍ତ ନିଜ ପାରିବାରିକ ମାଲିକାନାରେ ଥିବା କମ୍ପାନୀକୁ ଲୋନ ଅନୁମୋଦନ କରିବାରେ ନିଜ ପ୍ରଭାବ ଓ କ୍ଷମତା ବ୍ୟବହାର କରିଥିବାରୁ ନବୀନ ତାଙ୍କ ନାମ ସଂସଦ ଅର୍ଥ କମିଟି ସଦସ୍ୟ ପାଇଁ ସୁପାରିଶ ରଖିନଥିଲେ । ଏହା ପରେ ବୈଜୟନ୍ତ ନବୀନଙ୍କ ଉପରେ ଖପ୍ପା ହୋଇଥିଲେ । ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଓ ସେ ଚିକିତ୍ସାଧୀନ ବୋଲି ଏକ ନାରେଟିଭ ସୃଷ୍ଟି କରାଯାଇଥିଲା । ଏପିରିକି ଦିଲ୍ଲୀରୁ ମଧ୍ୟ ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ନେତାମାନେ ପଚାରିବାରେ ଲାଗିଥିଲେ । ସେତେବେଳେ ନବୀନ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ହେଲେ ଏପରି ନେରେଟିଭ ଲୋକଙ୍କ ମନରେ ନବୀନଙ୍କ ବିକଳ୍ପ ଭାବନା ସୃଷ୍ଟି କରିବା ପାଇଁ ଥିଲା । ଏହା ପରବର୍ତ୍ତୀ ସମୟରେ ନବୀନ ଅସୁସ୍ଥ ଓ ସେ ଚିକିତ୍ସା ପାଇଁ ଲଣ୍ଡନ ଯାଉଥିବା ନେଇ ବୈଜୟନ୍ତ ହିଁ ପ୍ରଚାର କରିଥିବା ଜଣାପଡିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାାଇଥିଲା ।