ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନବ ନିର୍ମାଣ କୃଷକ ସଂଗଠନର ବିରୋଧ

Krushak Sangathan opposes PM Odisha visit: ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ ଏବଂ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲଠାରେ ବିଜେପିର ମହାସମାବେଶରେ ଯୋଗ ଦେବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରିଛି ନବ ନିର୍ମାଣ କୃଷକ ସଂଗଠନ । ଅଧିକ ପଢ଼ନ୍ତୁ

Navanirman Krushak Sangathan Press Meet
Navanirman Krushak Sangathan Press Meet

By ETV Bharat Odisha Team

Published : Mar 3, 2024, 8:02 PM IST

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନବ ନିର୍ମାଣ କୃଷକ ସଂଗଠନର ବିରୋଧ

ଭୁବନେଶ୍ବର: ସାଧାରଣ ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ପୁଣିଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲଠାରେ ବିଜେପିର ମହାସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରିଛି ନବନିର୍ମାଣ କୃଷକ ସଂଗଠନ । ପ୍ରଧାନମନ୍ତ୍ରୀ କହିଥିଲେ ତାଙ୍କ ସରକାର କ୍ଷମତାକୁ ଆସିଲେ ସ୍ବାମୀନାଥନ କମିଟିର ସୁପାରିଶ ଅନୁସାରେ ଚାଷ ଉତ୍ପାଦ ବସ୍ତୁର ଏମଏସପି ଦେଢ଼ଗୁଣ ହୋଇଯିବ, ୨୦୨୨ରେ ଚାଷୀର ଆୟ ୨ ଗୁଣ ହୋଇଯିବ । ସେହିଭଳି ୫ ତାରିଖରେ ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲରେ ଆଉ କିଛି ମିଥ୍ୟା ଭାଷଣ ଦେଇଯିବେ । ତେଣୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରତିବାଦ କରାଯିବ ବୋଲି ନବନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଘୋଷଣା କରିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅକ୍ଷୟ କୁମାର କହିଛନ୍ତି, "ପ୍ରଧାନମନ୍ତ୍ରୀ କେବଳ ମିଛ ବକ୍ତବ୍ୟରେ ଦେଶ ଚଳାଉଛନ୍ତି । ଜନତାଙ୍କୁ ପ୍ରଭାବିତ କରି ଭୋଟ ହାସଲ କରିବା ପାଇଁ କେବେ 'ଆଚ୍ଛା ଦିନ' ତ କେବେ 'ବହୁତ୍ ହୁଆ ମହଙ୍ଗାୟି', ଆଉ କେବେ 'ସବକା ସାଥ୍ ସବକା ବିକାଶ' ଭଳି ସୁନ୍ଦର ସ୍ଲୋଗାନ୍‌ ଦେଇ କ୍ଷମତାକୁ ଜାବୁଡ଼ି ଧରିବା ବ୍ୟତୀତ କେବେ ବି ସାଧାରଣ ଜନତା ଓ ଚାଷୀର ସ୍ବାର୍ଥ ରକ୍ଷା ପାଇଁ କାମ କରୁନାହାନ୍ତି । ପ୍ରଥମରୁ ନିଜକୁ ଚା' ବାଲା ବୋଲି ଉପସ୍ଥାପନା କରିଥିବା ପ୍ରଧାନମନ୍ତ୍ରୀ ନିରୋଳା କର୍ପୋରେଟ୍‌ ସ୍ବାର୍ଥ ରକ୍ଷାରେ ଲାଗିଥିବା ବେଳେ କେବେ ବି ସାଧାରଣ ଲୋକଙ୍କ ପାଇଁ କାମ କରିନାହାନ୍ତି । ଆମ୍ବାନୀ, ଆଦାନୀ, ଟାଟା, ବିର୍ଲାଙ୍କ ଭଳି ଧନୀ ଲୋକଙ୍କୁ ଗତ ୧୦ ବର୍ଷ ଭିତରେ ୧୪ ଲକ୍ଷ କୋଟି ଟଙ୍କା ଋଣ ଛାଡ ହୋଇଛି । ହେଲେ ସାଧାରଣ ଚାଷୀ ମୂଲିଆ ଦୟନୀୟ ଜୀବନଯାପନ କରୁଛି । ଧନୀ ଲୋକଙ୍କୁ ସେମାନଙ୍କ ଋଣ ଛାଡ଼ କଲା ବେଳେ ମୋଦି ଆନନ୍ଦ ପାଆନ୍ତି । କିନ୍ତୁ ଗରିବ ମଧ୍ୟବିତ୍ତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଲା ବେଳେ ପାଣ୍ଠିର ଅଭାବ କଥା କୁହାଯାଉଛି । କେନ୍ଦ୍ର ସରକାର ଦୁଧ, ଦହି, ପନିର, ମୁଢ଼ି, ଚୁଡ଼ାରେ ଟାକ୍ସ ଲଗାଇବାକୁ ଭୁଲି ନାହାନ୍ତି ।" ଗରିବଙ୍କ ଉପରେ ଟାକ୍ସ ଭିଡ଼ିବା ଓ ଧନୀଙ୍କ ଉପରୁ ଟାକ୍ସରେ ଋଣ ଛାଡ଼ କରିବା ମୋଦିଙ୍କ ବଡ଼ ରାଜଧର୍ମ ହୋଇଛି ବୋଲି ଅକ୍ଷୟ କୁମାର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମେଣ୍ଟ ଚର୍ଚ୍ଚାରେ ଲାଗୁନି ବ୍ରେକ, ମାର୍ଚ୍ଚ 5ରେ ମୋଦିଙ୍କ ଗସ୍ତ ସଂଯୋଗ ନା ଯୋଜନାବଦ୍ଧ ରଣନୀତି ?

ଅକ୍ଷୟ କୁମାରଙ୍କ ଅଭିଯୋଗ, ମୋଦିଙ୍କ ଏକମାତ୍ର କାମ ହେଉଛି ଦେଶର ଅଧିକାଂଶ ଲାଭଦାୟକ ସଂସ୍ଥାକୁ ନିଜ ଘନିଷ୍ଠ ପୁଞ୍ଜିପତି ବନ୍ଧୁଙ୍କୁ ଶାଗ ମୁଗ ଦରରେ ଦେଇଦେବା । ଏଇଟା ହିଁ ମୋଦୀଙ୍କ 'ସବକା ସାଥ୍‌ ସବକା ବିକାଶ' । ଧାନରେ ଏମ୍‌ଏସ୍‌ପି ମୋଦିଙ୍କ ଶାସନ ଆରମ୍ଭରେ ଦେଢ଼ ଗୁଣ ହେବା, ଆଛା ଦିନ୍‌ ଆଏଗା, ଢେର୍‌ ହୁଇ ମହଙ୍ଗାଇ କି ମାର୍‌ ଏବଂ ଚାଷୀଙ୍କ ଆୟ ୨୦୨୨ରେ ୨ ଗୁଣ ହୋଇଯିବା ସ୍ଲୋଗାନ୍ ଆଜି କେଉଁଠି କାର୍ଯ୍ୟକାରୀ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ । ରାମ ମନ୍ଦିରରେ ବିଜେପି ଦଳ ଓ ପ୍ରଧାନମନ୍ତ୍ରୀ ୧୪୦୦ କୋଟି ଟଙ୍କା ଖର୍ଚ୍ଚ କରିଦେଲେ । କିନ୍ତୁ ରୁଟି ଓ ନ୍ୟାୟ କଥା ବିଜେପି ସମ୍ପୂର୍ଣ୍ଣ ଭୁଲି ଯାଇଛି । କେବଳ ରାମଙ୍କୁ ନେଇ ରାଜନୀତି କଲେ ରୁଟି ଓ ନ୍ୟାୟ ଦେଶବାସୀଙ୍କୁ ମିଳିବନି ବୋଲି ସତର୍କ କରାଇଛନ୍ତି । ଏଭଳି ଜଣେ ବ୍ୟକ୍ତି ନିଜ ସଂସ୍ଥା ଜଗିବା ପାଇଁ ଶବ୍ଦରେ ଯେତେ ଯାଦୁ ଜାଣିଲେ ବି ଓଡ଼ିଶାବାସୀ ତାଙ୍କୁ ବିଶ୍ବାସକୁ ନେବେନି କି ଭୋଟ ଦେବେନି ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦିଙ୍କର ଦେଶ ବିକ୍ରି ନୀତି, ଦେଶବାସୀଙ୍କ ବିରୋଧରେ ଆର୍ଥିକ ଷଡ଼ଯନ୍ତ୍ର ଓ ଅଖଣ୍ଡ ଭାରତର ସଂସ୍କୃତି ନଷ୍ଟ କରିବା କାର୍ଯ୍ୟକ୍ରମ ବିରୋଧରେ ଓଡ଼ିଶାବାସୀ ଭୋଟ ଦେବାକୁ ସେ ଅପିଲ କରିଥଇଲେ । ଏହାସହ ଆଗାମୀ ମାର୍ଚ୍ଚ ୫ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ପ୍ରତିବାଦ କରିବେ ବୋଲି ଅକ୍ଷୟ କୁମାର ଘୋଷଣା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details