ଓଡିଶା

odisha

ETV Bharat / state

ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ, CBI ତଦନ୍ତ ପାଇଁ ଚିଠି ପ୍ରସ୍ତୁତ କରୁଛନ୍ତି ଦୀପାଳି - NABA DAS MURDER CBI INQUIRY

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ୨ ବର୍ଷ । CBI ତଦନ୍ତ ପାଇଁ ଲିଖିତ ଭାବରେ ଜଣାଇବା ପାଇଁ ସରକାରଙ୍କୁ ଚିଠି ଲେଖୁଛନ୍ତି ଝିଅ ଦୀପାଳି ଦାସ ।

Naba Das Murder Case
Naba Das Murder Case (ETV Bharat Odisha)

By ETV Bharat Odisha Team

Published : Jan 29, 2025, 5:03 PM IST

ଝାରସୁଗୁଡ଼ା/ଭୁବନେଶ୍ବର: କେବେ ଖୋଲିବ ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ରହସ୍ୟ ପେଡ଼ି ? ନବ ଦାସ ହତ୍ୟାକାଣ୍ଡକୁ ଆଜି ୨ ବର୍ଷ ପୂରିଛି । ହେଲେ ASI ଗୋପାଳ କାହିଁକି ପୂର୍ବତନ ମନ୍ତ୍ରୀଙ୍କ ହତ୍ୟା କରିଥିଲା, ତାହା ଏବେ ବି ସସ୍‌ପେନ୍ସ ହୋଇ ରହିଛି । ଏହାରି ଭିତରେ ଆଜି ନବ ଦାସଙ୍କ ୨ୟ ଶ୍ରାଦ୍ଧ ବାର୍ଷିକରେ ଝିଅ ଦୀପାଳି ଦାସ ବଡ଼ ବୟାନ ଦେଇଛନ୍ତି । ବାପାଙ୍କ ମୃତ୍ୟୁର CBI ତଦନ୍ତ କଥାକୁ ଦୋହରାଇଛନ୍ତି ଦୀପାଳି । ଏହାସହ 'CBI ତଦନ୍ତ ପାଇଁ ଆମେ ଦାବି କରିବା ସହ ଏନେଇ ଚିଠି ପ୍ରସ୍ତୁତ କରୁଛୁ । ଖୁବଶୀଘ୍ର ଏହି ଚିଠିକୁ ଆମେ ରାଜ୍ୟ ସରକାରଙ୍କୁ ଦେବୁ' ବୋଲି କହିଛନ୍ତି ଦୀପାଳି ଦାସ ।

Naba Das Murder Case (ETV Bharat Odisha)

'ପ୍ରସ୍ତୁତ କରୁଛୁ ଚିଠି':

ଏନେଇ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଜେଡି ବିଧାୟିକା ଦୀପାଳି ଦାସକହିଛନ୍ତି, "CBI ତଦନ୍ତ ପାଇଁ ଆମେ ଦାବି କରିଛୁ । ଏଥିପାଇଁ ମୁଁ ମୋ ପରିବାର ସହ ଆଲୋଚନା କରୁଛି । ଲିଖିତ ଭାବରେ ଜଣାଇବା ପାଇଁ ମଧ୍ୟ ଚିଠି ଲେଖା ଚାଲିଛି । ଆଗରୁ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିଲା । ମାମଲା ବର୍ତ୍ତମାନ ମଧ୍ୟ ହାଇକୋର୍ଟରେ ଚାଲିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଆମ ପରିବାର ସହ ଛିଡ଼ା ହୋଇଥିଲେ, ଆମକୁ ସାହାଯ୍ୟ କରିଥିଲେ । କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ CBI ତଦନ୍ତ ପାଇଁ ଗଣମାଧ୍ୟମରେ ଦୁଇ ଦୁଇଥର କହିସାରିଲୁଣି । କିନ୍ତୁ ଦୁଃଖ ଲାଗୁଛି ଯେ, ତାଙ୍କ ପକ୍ଷରୁ ଗୋଟିଏ ବି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସିନାହିଁ । CBI ତଦନ୍ତ ପାଇଁ ଆଇନ ମନ୍ତ୍ରୀ ଓ ବିଜେପିର ଅନେକ ନେତା ଲେଖିକି ଦେବା ପାଇଁ ଆମକୁ କହିଛନ୍ତି । ଆମେ ନିଶ୍ଚିନ୍ତ ଭାବରେ ଲେଖିକି ଦେବୁ । ଏଥିପାଇଁ ଆମେ ଚିଠି ପ୍ରସ୍ତୁତ କରୁଛୁ । ଚିଠି ପ୍ରସ୍ତୁତ ହୋଇଗଲେ ଖୁବଶୀଘ୍ର ଏହାକୁ ଆମେ ସରକାରଙ୍କୁ ଦେବୁ । CBI ତଦନ୍ତ ଓ ମୋ ବାପାଙ୍କ ମାମଲା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ । ଯେଉଁମାନେ ଏହାକୁ ରାଜନୈତିକ ପ୍ରସଙ୍ଗ କରୁଛନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରୁଛି ଏଭଳି କରନ୍ତୁ ନାହିଁ ।"

ଲିଖିତ ଭାବେ ଜଣାଇବାକୁ କହିଥିଲେ ଆଇନ ମନ୍ତ୍ରୀ:

ତେବେ କାହିଁକି ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କରାଗଲା, ତାହା ଏବେ ବି ସ୍ପଷ୍ଟ ହୋଇନି । ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପରେ ନବ ଦାସ ହତ୍ୟାକାଣ୍ଡ ମାମଲା ପୁଣି ଚର୍ଚ୍ଚାର ପରିସରକୁ ଆସିଛି । ନବ ଦାସ ହତ୍ୟା ମାମଲାରେ ତାଙ୍କ ଝିଅ ଦୀପାଳି ଦାସ କାହିଁକି CBI ତଦନ୍ତ ଦାବି କରୁନାହାନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଥିଲା । ଯାହାକୁ ନେଇ ମୁହଁ ଖୋଲିଥିଲେ ଦୀପାଳି । ସରକାର ଯଦି CBI ତଦନ୍ତ ଚାହୁଁଛନ୍ତି ମୋ ପରିବାର ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରନ୍ତୁ କହିବା ସହ ହତ୍ୟା ଘଟଣାର ସିବିଆଇ (CBI) ତଦନ୍ତ ଦାବି କରିଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ରଖିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଥିଲେ ଯେ, ନବ ଦାସଙ୍କ ପରିବାର CBI ତଦନ୍ତ ଦାବି କରୁଛନ୍ତି । ମାମଲା ପୁନଃ ତଦନ୍ତ କିମ୍ବା CBI ତଦନ୍ତ ବାବଦରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଠିକ ନଥିଲା ବୋଲି ଆଜି ନବ ଦାସଙ୍କ ପରିବାର ଅନୁଭବ କରିଛନ୍ତି । ଖାଲି ଗଣମାଧ୍ୟମ ଆଗରେ କହି ଦେଲେ ହେବନାହିଁ । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି ଲିଖିତ ଭାବେ ଜଣାଇଲେ ସରକାର ନିଶ୍ଚୟ ଗୁରୁତର ସହ ନେଇ ନିଷ୍ପତ୍ତି ନେବେ ।

ନବ ଦାସ ହତ୍ୟାକାଣ୍ଡ:

୨୦୨୩ ଜାନୁଆରୀ ୨୯ ତାରିଖ ପୂର୍ବତନ ବିଜେଡି ସରକାରର ସ୍ବାସ୍ଥ୍ୟମନ୍ତ୍ରୀ ଥିବା ନବ ଦାସଙ୍କୁ ଝାରସୁଗୁଡାରେ ଗୁଳି କରି ହତ୍ୟା କରାଯାଇଥିଲା । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ସୁରକ୍ଷାରେ ଥିବା ASI ଗୋପାଳ ଦାସ, ନବଙ୍କୁ ଗୁଳି କରିଥିଲା । ଏହାପରେ ତାଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ନବ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ତତ୍କାଳୀନ ବିଜେଡି ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ନବ ଦାସଙ୍କ ଏହି ଗୁଳିମାଡ଼ ଘଟଣାରେ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲା ।

ନବ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ:

ଆଜି ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଝାରସୁଗୁଡା ନବ ଦାସ ଅଡିଟୋରୀୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସକାଳ ୧୦ଟାରେ ବିଜେଡ଼ି କର୍ମୀ ଓ ନବ ଦାସଙ୍କ ସମର୍ଥକମାନେ ଏକ ବିରାଟ ବାଇକ ରାଲି କରି ସହର ପରିକ୍ରମା କରି ଏସ.ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ନବ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ନବ ଦାସ ଅଡିଟୋରୀୟମ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବିଜେଡ଼ି ନେତା ପ୍ରତାପ ଜେନା, ଦେବେଶ ଆଚାର୍ଯ୍ୟ, ନବ ଦାସଙ୍କ ଧର୍ମପତ୍ନୀ ଓ ଝିଅ ଦୀପାଲି ଦାସ ସାମିଲ ହୋଇ ପ୍ରଦୀପ ପ୍ରଜ୍ଵଳନ କରି ନିରବ ପ୍ରାର୍ଥନା କରି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

'ଅନେକ ତଥ୍ୟକୁ ଚାପି ଦିଆଗଲାଣି':

ସେପଟେ ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକ ଅବସସରେ ଭୁବନେଶ୍ବରରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇଛି । ଏହି ସଭାରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଯୋଗଦେଇ କହିଛନ୍ତି, "ନବ ଦାସ ହତ୍ୟା ମାମଲାରେ ସରକାରଙ୍କୁ CBI ତଦନ୍ତ ଦାବି କରିବି । ତତ୍‌କାଳୀନ ସରକାରର କିଛି ପୋଲିସ ତଥ୍ୟକୁ ଏପଟ ସେପଟ କରିସାରିଛନ୍ତି । ତଥାପି ଆଶା କରୁଛି ସିବିଆଇ ସଠିକ ତଦନ୍ତ କରି ରିପୋର୍ଟ ଦେବ । ମୃତ୍ୟୁ ୨ ବର୍ଷ ବିତିଗଲାଣି । ଏହା ଭିତରେ ଅନେକ ତଥ୍ୟକୁ ଚାପି ଦିଆଗଲାଣି । ଯଦି ପ୍ରଥମରୁ ସିବିଆଇ ତଦନ୍ତ ହୋଇଥାନ୍ତା, ତେବେ ତାଙ୍କୁ ହତ୍ୟା କରିବା ଷଡଯନ୍ତ୍ରରେ ସାମିଲ ଥିବା ହତ୍ୟାକାରୀ ସମସ୍ତେ ଧରାପଡ଼ିଥାନ୍ତେ । ମୁଁ ପୂର୍ବରୁ ବିଧାନସଭାରେ କହିଛି, ନବ ଦାସ ହତ୍ୟା ପଛରେ ଜଣେ ଆଇପିଏସ, ଜଣେ IAS, ଏବଂ ୨ ଜଣ ରାଜନେତାଙ୍କ ହାତ ରହିଛି ।"

'ବିନା କାରଣରେ ହତ୍ୟା ହୁଏ ନାହିଁ':

ଏହି ପରିପ୍ରେକ୍ଷୀରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "କୌଣସି ପ୍ରସ୍ତାବ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ହସ୍ତଗତ ହୋଇନାହିଁ । ବିନା କାରଣରେ ହତ୍ୟା ହୁଏ ନାହିଁ । ସବୁ ହତ୍ୟା ପଛରେ କିଛି ଉଦ୍ଦେଶ୍ୟ ଥାଏ । ଯିଏ ଗିରଫ ହୋଇଛନ୍ତି ତାଙ୍କର କୌଣସି ଉଦ୍ଦେଶ୍ୟ ଏବଂ ମୋଟିଭ ନଥିଲା ନବ ଦାସଙ୍କୁ ହତ୍ୟା କରିବା ପାଇଁ । ଯେଉଁଦିନ ନବ ଦାସଙ୍କର ହତ୍ୟା ହେଲା ଏବଂ ଗୋପାଳକୁ ପୋଲିସ କାବୁ କଲା, ତାପରେ ଗୋପାଳଙ୍କ ସ୍ତ୍ରୀ କହିଲେ ମୋ ସ୍ୱାମୀଙ୍କ ମାନସିକ ସ୍ଥିତି ଠିକ ନଥିଲା । ଏହା ଏକ ଲିଖିତ ସ୍କ୍ରିପ୍ଟ । ଗୁଳି, କାର କୁଆଡେ ଗଲା । ସରକାର ଯାହାକୁ ହଇରାଣ କରିବାକୁ ଚାହାଁନ୍ତି ତାପଛରେ ଭିଜିଲାନ୍ସ ଲଗେଇ ଦିଆଯାଏ, ଆଉ ଯେଉଁଠି ଦୋଷୀକୁ ବଞ୍ଚାଇବାକୁ ଥାଏ ସେଠାରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଏ ।"

'କୌଣସି ତଦନ୍ତ ବିନା ଥିଓରୀରେ ହୁଏ ନାହିଁ':
ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି, "ବିନା କାରଣରେ ହତ୍ୟା ହୁଏନାହିଁ । କୌଣସି ତଦନ୍ତ ବିନା ଥିଓରୀରେ ହୁଏ ନାହିଁ । ପୂର୍ବ ସରକାରଙ୍କ ତଦନ୍ତ ଦିଗହୀନ ତଦନ୍ତ । ନବ ଦାସ ହତ୍ୟାର ସମସ୍ତ ତଥ୍ୟ ନଷ୍ଟ ହୋଇଯାଇଛି । କୋର୍ଟର ଅନୁମତି ନେଇ ଆଉ ଥରେ ତଦନ୍ତକୁ ଖୋଲାଯାଇପାରିବ । ମାତ୍ର ଖୋଲିବାକୁ ପୁଣି ତଦନ୍ତ କରିବାକୁ ହେଲେ କିଛି ନୂତନ ତଥ୍ୟ ଦରକାର, ଯେଉଁ ତଥ୍ୟ କୋର୍ଟ ସମ୍ମୁଖରେ ଉପସ୍ଥାନ କରାଯାଇପାରିବ । ଘଟଣାରେ ଅଧିକ ତଦନ୍ତର ଆବଶ୍ୟକତା ଅଛି । ମାତ୍ର ଏ ସବୁ ଭିତରେ ସତ୍ୟ ଉନ୍ମୋଚନା ପାଇଁ କମ ଆଉ ସତ୍ୟକୁ ଲୁଚେଇବାକୁ, ସତ୍ୟକୁ କବର ଦେବ ପାଇଁ ବେଶି ଚେଷ୍ଟା ଚାଲିଛି । ଯେଉଁ ଚାର୍ଜସିଟ ପ୍ରସ୍ତୁତ ହୋଇଛି, ତାହାର ବିଚାରର କୌଣସି ମୂଲ୍ୟନାହିଁ । ଯେଉଁମାନେ ସେ ସମୟରେ ତଦନ୍ତ କରୁଥିଲେ ସେମାନଙ୍କ ଆଚାରଣ ଏବଂ ଉଚ୍ଚାରଣ ସ୍ପଷ୍ଟ ଜଣା ପଡୁଥିଲା ସେମାନେ ତଦନ୍ତକୁ ଦିଗହରା କରୁଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...

ନବ ଦାସ ହତ୍ୟାକାଣ୍ଡ:‘ ଖୁବଶୀଘ୍ର ତଦନ୍ତର ପରବର୍ତ୍ତୀ ପ୍ରକ୍ରିୟା ନେଇ ନିଷ୍ପତ୍ତି ’

ନବ ଦାସ ହତ୍ୟା ପଛରେ କୋଇଲା ବ୍ଲକ ଲିଙ୍କ ! ସନ୍ତୋଷ ସିଂ ସାଲୁଜାଙ୍କ ବିସ୍ଫୋରକ ବୟାନ

ନବ ଦାସ ହତ୍ୟା ମାମଲା: ରକ୍ତ ଭିଜା ସାର୍ଟରୁ ନେଇ ରଙ୍ଗ ବଦଳିବା ଘଟଣା, ଏମିତି କହିଲେ ଆଇନଜୀବୀ

ନବ ଦାସ ହତ୍ୟା ମାମଲା, CBI ତଦନ୍ତ ପାଇଁ ଲିଖିତ ଜଣାଇବେ ଦୀପାଳି

ନବ ଦାସ ହତ୍ୟା ମାମଲା: ସାକ୍ଷୀଙ୍କ ସାର୍ଟ ରଙ୍ଗକୁ ନେଇ ନୂଆ ପ୍ରଶ୍ନ ?

ନବ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ:

ନବଙ୍କ ସ୍ମୃତି ମନେ ପକାଇଲେ ବିଜେଡି ନେତା:

ଏହି ଅବସରରେ ବିଜେଡି ବିଧାୟକପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ନବ ଦାସ ଆମ ଅଞ୍ଚଳର ଜଣେ ଜନପ୍ରିୟ ନେତା ଥିଲେ । ଅଞ୍ଚଳର ବିକାଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ । ଏହି ଅଞ୍ଚଳରେ ସେ ଆରମ୍ଭ କରିଥିବା ବିକାଶମୂଳକ କାର୍ଯ୍ୟ ଆଗକୁ ଯାଉ ବୋଲି ତାଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକରେ ଏତିକି ଆଶା ।" ସେହିପରି ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, "୨ ବର୍ଷ ତଳେ ନବ ଦାସଙ୍କ ଦେହାନ୍ତ ହୋଇଥିଲା । ଫଳରେ ଝାରସୁଗୁଡ଼ା ଜିଲ୍ଲାର ବିକାଶରେ ଏକ ବଡ଼ ଶୂନ୍ୟସ୍ଥାନ ହେଲା । କିପରି ଝାରସୁଗୁଡ଼ା ଜିଲ୍ଲାର ବିକାଶ ହେବା ସେନେଇ ନବ ଦାସ ସବୁବେଳେ କାର୍ଯ୍ୟ କରୁଥିଲେ । ୩ ଥର ବିଧାୟକ ହେବା ଭିତରେ ସେ ଝାରସୁଗୁଡ଼ାର ଅନେକ ବିକାଶ କରିଛନ୍ତି । ତାଙ୍କ ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ଆଜି ତାଙ୍କର ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକରେ ଆମେ ସମସ୍ତେ ଏକାଠି ହୋଇଛୁ ।"

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details