ସମ୍ବଲପୁର:ଆସନ୍ତା ୨୧ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି ଜିଲ୍ଲାର ରେଢ଼ାଖୋଲ ବଂଶଜାଲ ଗାଁ ମୁଣ୍ଡରେ ଥିବା ବାବା ନର୍ମଦେଶ୍ବରଙ୍କ ମନ୍ଦିର । ତେବେ ଏହି ମନ୍ଦିର ନିର୍ମାଣ ଲାଗି ଅନେକ ବାଧାବିଘ୍ନ ଉପୁଜିଥିବା ବେଳେ ଏଥିରେ ସହାୟ ହୋଇଥିଲେ ଭୋଳାବାବାଙ୍କ ମୁସଲିମ ଭକ୍ତ ତଥା ସମ୍ବଲପୁରର ଜଣାଶୁଣା ସମାଜସେବୀ ଆସଫ ଅଲ୍ଲୀ ଖାଁ । ମନ୍ଦିର ନିର୍ମାଣରେ ବହୁତ ସମସ୍ୟା ବାଧାବିଘ୍ନ ସୃଷ୍ଟି ହୋଇଥିବା ବେଳେ ସେ ହିଁ ଏହି ମନ୍ଦିର ନିର୍ମାଣ ପାଇଁ ସ୍ଥାନୀୟ ଲୋକଙ୍କୁ ସାହା ହୋଇଥିଲେ ଓ ତାଙ୍କ ପଥ ପ୍ରଦର୍ଶକ ସାଜିଥିଲେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।
ସମାଜସେବୀ ଆସଫ ଅଲ୍ଲୀ ଖାଁଙ୍କ ପୈତୃକ ଗାଁ ରେଢ଼ାଖୋଲ ଜୁଯୁମୁରା ଅଞ୍ଚଳରେ ଥିବା ବେଳେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ସେ ସ୍ବର ଉତ୍ତୋଳନ କରିଆସୁଛନ୍ତି । ରେଢ଼ାଖୋଲ ବଂଶଜାଲ ଗାଁ ମୁଣ୍ଡରେ ଥିବା ବାବା ନର୍ମଦେଶ୍ବରଙ୍କ ମନ୍ଦିର ନିର୍ମାଣ ପାଇଁ ଚେଷ୍ଟା କରୁଥିବା ବେଳେ ଆସଫ ଅଲ୍ଲୀ ଖାଁ ଗାଁ ଲୋକଙ୍କୁ ବହୁତ ସହାୟତା କରିଥିଲେ ବୋଲି ଗାଁର ବରିଷ୍ଠ ନାଗରିକ ପୂର୍ଣଚନ୍ଦ୍ର ପ୍ରଧାନ କୁହନ୍ତି । ଆସଫ ଅନ୍ୟ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ଏହି ମନ୍ଦିର ନିର୍ମାଣ ପାଇଁ ବହୁ ଆର୍ଥିକ ସହାୟତା ଯୋଗାଇଛନ୍ତି । ମନ୍ଦିର ନିର୍ମାଣରେ ବହୁ ବାଧାବିଘ୍ନ ସୃଷ୍ଟି ହୋଇଥିଲା । ସେତେବେଳେ ଆସଫ ଗାଁ ଲୋକଙ୍କ ପାଇଁ ପଥ ପ୍ରଦର୍ଶକ ହେବା ସହ ସେମାନଙ୍କୁ ସବୁ ପ୍ରକାର ସହାୟତା ଦେଇଥିଲେ ।
ଗାଁର ଜଣେ ବରିଷ୍ଠ ନାଗରିକ ପୂର୍ଣଚନ୍ଦ୍ର ପ୍ରଧାନଙ୍କ କହିବା ଅନୁସାରେ ଆସଫ ଏତେ ଆର୍ଥିକ ସହାୟତା କରିଛନ୍ତି ଯେ ସେମାନେ ତାର ହିସାବ ରଖିନାହାଁନ୍ତି । ଏହି ମନ୍ଦିରରେ ଲାଗିଥିବା ସବୁ ମାର୍ବଲ ପଥର ଆସଫ ଦେଇଛନ୍ତି । ଆସଫ ନଥିଲେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନଥାନ୍ତା ବୋଲି କୁହନ୍ତି ଏହି ବରିଷ୍ଠ ନାଗରିକ ଜଣକ । ଏପରିକି ଗାଁରୁ ମନ୍ଦିରକୁ ଆସୁଥିବା ବେଳେ ରେଳ ଲାଇନ ପଡୁଥିବା ବେଳେ ରେଳ ଲାଇନ ଦେଇ ଆସିବାକୁ ଗାଁ ଲୋକଙ୍କୁ ବହୁ ସମସ୍ୟା ହେଉଥିଲା । ସେତେବେଳେ ଏହି ସମସ୍ୟା ନେଇ ଗାଁ ଲୋକଙ୍କ ଗୁହାରି କୌଣସି ନେତା ମନ୍ତ୍ରୀ ଶୁଣି ନଥିବା ବେଳେ ଆସଫ ଅଲ୍ଲୀ ଖାଁଙ୍କୁ ଗାଁ ଲୋକେ ଏନେଇ ଅବଗତ କରାଇଥିଲେ ।