ବ୍ରହ୍ମପୁର:ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାରର ପୂର୍ବ ପ୍ରସ୍ତୁତି ଠିକ୍ ସେତିକି ବଢ଼ିବାରେ ଲାଗିଛି । ଗାଁଠୁ ସହର ସବୁଠି କମ୍ପିବ ଭିନ୍ନ ଭିନ୍ନ ନିର୍ବାଚନୀ ସଂଗୀତ । ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱକୁ ନେଇ ମ୍ୟୁଜିକ୍ ଟ୍ରାକ୍ ମାଧ୍ୟମରେ ପ୍ରଚାର ଗାଡିରେ ବାଜି ଉଠିବ ରାଜନୈତିକ ଲଢ଼େଇ । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ଷ୍ଟୁଡିଓ ଗୁଡ଼ିକରେ ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଯେହେତୁ ପ୍ରମୁଖ ଦଳ ଗୁଡ଼ିକର ଅଧିକାଂଶ ସ୍ଥାନରେ ଟିକଟ୍ ଘୋଷଣା ଶେଷ ହୋଇଛି, ସେମାନେ ପ୍ରଚାର ମୈଦାନକୁ ଓହ୍ଲାଇବା ପାଇଁ ଗୀତ ଆବଶ୍ୟକ କଲେଣି । ଆଉ ଯାହାକୁ ନେଇ ଷ୍ଟୁଡିଓ ଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛନ୍ତି ।
ସାଧାରଣ ନିର୍ବାଚନ ପାଇଁ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଦିନକୁ ଦିନ ଯୋର ଧରିବାରେ ଲାଗିଲାଣି ରାଜନୀତିର ତାତି । ଗୋଟିଏ ପଟେ ରାଜନୈତିକ ଦଳମାନେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବାରେ ବ୍ୟସ୍ତ ରହିଥିବା ବେଳେ ଘୋଷଣା ହୋଇଥିବା ନେତାମାନେ ଏବେ ପ୍ରଚାର ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସମୟରେ ରେଶମ ସହର ବ୍ରହ୍ମପୁରରେ ରହିଥିବା ଅଡିଓ ରେକଡି୍ ଷ୍ଟୁଡିଓରେ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରଚାର ସଂଗୀତ ପ୍ରସ୍ତୁତି । ଉଭୟ ବିଧାନସଭା ଓ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟକୁ ନେଇ ଭଳିକି ଭଳି ବିଭିନ୍ନ ସଂଗୀତର ଟ୍ରାକ୍ରେ ପ୍ରସ୍ତୁତ କରାଯାଉଛି ନିର୍ବାଚନୀ ପ୍ରଚାର ସଂଗୀତ । ବିଭିନ୍ନ ପ୍ରକାର ସୁପରିଚିତ ସହ ହିଟ୍ ଓଡ଼ିଆ, ହିନ୍ଦୀ ଓ ତେଲୁଗୁ ସଂଗୀତର ତାଳେ ତାଳେ ନେତାଙ୍କ ପାଇଁ ପ୍ରସ୍ତୁତ ହେଉଛି ମ୍ୟୁଜିକ୍ ଟ୍ରାକ୍ ।