ଓଡିଶା

odisha

ETV Bharat / state

ପୋଲିସ କର୍ମୀଙ୍କୁ ମୋଟର ସାଇକେଲ ଖର୍ଚ୍ଚ ବାବଦକୁ ମିଳିବ ୧ ହଜାର ଟଙ୍କା-Motorcycle Allowance Of Police - MOTORCYCLE ALLOWANCE OF POLICE

ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ପୋଲିସର କାର୍ଯ୍ୟଦକ୍ଷତାକୁ କଲେ ପ୍ରଶଂସା । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦେଲେ ଚେତାବନୀ ।

ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କୁ ମୋଟର ସାଇକେଲ ଖର୍ଚ୍ଚ ବାବଦକୁ ମିଳିବ ୧ ହଜାର ଟଙ୍କା
ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କୁ ମୋଟର ସାଇକେଲ ଖର୍ଚ୍ଚ ବାବଦକୁ ମିଳିବ ୧ ହଜାର ଟଙ୍କା (ETV Bharat Odisha)

By ETV Bharat Odisha Team

Published : Dec 17, 2024, 9:39 AM IST

କଟକ:ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ଏଣିକି ପୂର୍ବରୁ ମିଳୁଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାରରେ ପାଇବେ । ଏହା ସହ ହାବିଲଦାର ଓ କନଷ୍ଟେବଳମାନେ ପୂର୍ଵରୁ ସାଇକେଲ ଭତ୍ତା ବାବଦରେ ମାତ୍ର 3 ଶହ ଟଙ୍କା ପାଉଥିଲେ ଏବେ ମୋଟର ସାଇକେଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଆୟୋଜିତ ଓଡିଶା ପୋଲିସ, ଓ.ଏସ.ଏ.ପି. ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସଂଘର ବାର୍ଷିକ ଉତ୍ସବ ଅବସରରେ ଏହି ଘୋଷଣା କରିଛନ୍ତି ।

କେବଳ ସେତିକି ନୁହେଁ, ପୂର୍ବରୁ ପୋଷାକ, ଜୋତା ଇତ୍ୟାଦି ବାବଦରେ ପାଉଥିବା 5 ହଜାର ଟଙ୍କା ବଦଳରେ ଏଣିକି 10 ହଜାର ଟଙ୍କା ମିଳିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଭୁବନେଶ୍ୱରରେ ମହାସଂଘର ନୂତନ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବା ନେଇ ମଧ୍ୟ କହିଛନ୍ତି ।

ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କୁ ମୋଟର ସାଇକେଲ ଖର୍ଚ୍ଚ ବାବଦକୁ ମିଳିବ ୧ ହଜାର ଟଙ୍କା (ETV Bharat Odisha)
ରାଜ୍ୟର ପ୍ରଗତିରେ ପୋଲିସର ଗୁରୁ ଭୂମିକା: ମୁଖ୍ୟମନ୍ତ୍ରୀ


କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ରାଜ୍ୟର ପ୍ରଗତି ପାଇଁ ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ରାଜ୍ୟର ପୋଲିସ ବଳ ତୁଲାଇଥାନ୍ତି । ଏହି ପୋଲିସ ବିଭାଗରେ କନଷ୍ଟେବଳ ଏବଂ ସିପାହୀମାନେ ସବୁଠାରୁ ଗୁରୁ ଦାୟିତ୍ଵ ତୁଲାଉଛନ୍ତି । ତୃଣମୂଳ ସ୍ତରରେ ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ଗୁଇନ୍ଦା ପାଇଁ ଖବର ସଂଗ୍ରହ କରିବା ପରି ଦାୟିତ୍ଵ ତୁଲାଉଛନ୍ତି। କନଷ୍ଟେବଳ ଏବଂ ସିପାହୀମାନେ ପୋଲିସ ବିଭାଗର ମେରୁଦଣ୍ଡ ସଦୃଶ ।ଖରା, ବର୍ଷା, ଶୀତ କାକରକୁ ଭୃକ୍ଷେପ ନକରି କନଷ୍ଟେବଳ ଓ ସିପାହୀମାନେ ନିଜର ଦାୟିତ୍ଵ ସମ୍ପାଦନ କରୁଛନ୍ତି । ତେଣୁ ସେମାନେ ଉଚ୍ଚ ପ୍ରଶଂସାଯୋଗ୍ୟ । ସେମାନଙ୍କ ପ୍ରତି ଆମ ସରକାରଙ୍କର ଯଥେଷ୍ଟ ସଂବେଦନଶୀଳତା ଓ ଦାୟିତ୍ୱବୋଧ ରହିଛି । ପୋଲିସ ସେବାକୁ ଆହୁରି ପ୍ରଭାବୀ କରିବା ପାଇଁ ଭିତ୍ତିଭୂମି ଏବଂ ମାନବ ସମ୍ବଳ ଯୋଗାଇ ଦେବାକୁ ଆମ ସରକାର ପ୍ରତିଶୃତିବଦ୍ଧ ।’’

  • ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କ୍ଷମା ନାହିଁ: ମୁଖ୍ୟମନ୍ତ୍ରୀ

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ ପୋଲିସ ବଳ ହେଉଛି ଅତ୍ୟନ୍ତ ଶୃଙ୍ଖଳିତ । ବିଶୃଙ୍ଖଳାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ । କିନ୍ତୁ ବିଶୃଙ୍ଖଳିତ କିମ୍ବା ଦୁର୍ନୀତିଗ୍ରସ୍ତଙ୍କୁ କୌଣସି ପ୍ରକାରେ କ୍ଷମା କରାଯିବ ନାହିଁ । ଓଡିଶା ପୋଲିସର ମୂଳମନ୍ତ୍ର ହେଉଛି, ‘ସେବା ଓ ସୁରକ୍ଷା’ । ପ୍ରତ୍ୟେକ କାର୍ଯ୍ୟରେ ଦାୟିତ୍ୱବୋଧ ଓ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ହେବ । ଏକକାଳୀନ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ସମୟରେ ରାଜ୍ୟ ପୋଲିସର ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ କନଷ୍ଟେବଳମାନଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।’’

  • CAPF ପ୍ରତିଷ୍ଠା ପାଇଁ ୨୯୯ କୋଟି ଟଙ୍କା

ଖୁବଶୀଘ୍ର ରାଜ୍ୟର ପ୍ରତି ଥାନାକୁ ମୋଟର ସାଇକେଲ ଯୋଗାଇ ଦେବାସହ ଏହି ବାବଦରେ ଅତିରିକ୍ତ ବଜେଟରେ ୩୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେହିପରି ରାଜ୍ୟରେ ଅତିରିକ୍ତ CAPF ପ୍ରତିଷ୍ଠା ପାଇଁ ୨୯୯ କୋଟି ଟଙ୍କା ଏବଂ ପୋଲିସର ତ୍ଵରିତ ଗମନାଗମନ ପାଇଁ ୧୬ କୋଟି ଟଙ୍କା ପ୍ରବଧାନ କରାଯାଇଛି, ଯେଉଁଥିରେ ୬୪୯ ଗୋଟି ଉତ୍କୃଷ୍ଟ ଯାନ ପୋଲିସକୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କନଷ୍ଟେବଳ ଏବଂ ସିପାହୀଙ୍କ ସହଯୋଗ ବିନା ପୋଲିସ କେବେ ସଶକ୍ତ କିମ୍ବା ସମୃଦ୍ଧ ହୋଇ ପାରିବ ନାହିଁ ବୋଲି କହିଥିଲେ । ପ୍ରତିକୂଳ ପରିସ୍ଥିତିରେ ଥାଇ ମଧ୍ୟ ଜନସାଧାରଣଙ୍କୁ ସୁରକ୍ଷା ଦେବା ସହ ଗୁଣାତ୍ମକ ପୋଲିସ ସେବା ଯୋଗାଇ ଦେବା ଆମର ପ୍ରାଥମିକ କର୍ତବ୍ୟ ହେବା ଉଚିତ ବୋଲି ଡିଜିପି ଖୁରାନିଆ ମତବ୍ୟକ୍ତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ବିକଶିତ ଓଡ଼ିଶା-୨୦୩୬ ପାଇଁ ୩ ଲକ୍ଷ ମତାମତ, AI କରିବ ବିଶ୍ଳେଷଣ - VIKSIT ODISHA VISION DOCUMENT

“ସେବା ଓ ସୁରକ୍ଷା” ସ୍ଲୋଗାନକୁ ପାଥେୟ କରି ସମସ୍ତେ ମିଳିମିଶି, ଓଡିଶା ପୋଲିସକୁ ସଶକ୍ତ, ସମୃଦ୍ଧ ଏବଂ ଜନସାଧାରଣଙ୍କ ପ୍ରତି ଉତ୍ସର୍ଗୀକୃତ ହେବା ନିମନ୍ତେ ଡିଜିପି ଖୁରାନିଆ ଆହ୍ଵାନ ଦେଇଥିଲେ । ଏହି ବାର୍ଷିକ ଉତ୍ସବରେ ଓଡ଼ିଶା ପୋଲିସ ହାବିଲଦାର, କନେଷ୍ଟବଳ ଏବଂ ସିପାହୀ ମହାସଂଘର ସଭାପତି ଅନିଲ କୁମାର ଷଣ୍ଢ, ଉପସଭାପତି, ସନ୍ତୋଷ କୁମାର ମହାନ୍ତି, ସାଧାରଣ ସମ୍ପାଦକ, କିଶୋର କୁମାର ମହାନ୍ତି ସମେତ ଅନ୍ଯାନ୍ଯ ସଦସ୍ୟମାନେ ଉପସ୍ଥିତ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details