ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଛି ରାଣୀ ମା' ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର । ଦଳୀୟ କର୍ମୀ ଓ ଅଞ୍ଚଳବାସୀ ବିମାନ ବନ୍ଦରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ଓ ବିଧାନସଭାରେ ବାଚସ୍ପତି ଏହି ପ୍ରଖ୍ୟାତ ରାଜନୀତିଜ୍ଞଙ୍କ ମର ଶରୀରର ଶେଷ ଦର୍ଶନ କରିଛନ୍ତି । ଭାବପ୍ରବଣତାର ପରିବେଶରେ ମୃତଦେହ ଖଲ୍ଲିକୋଟ ଅଭିମୁଖେ ଯାତ୍ରା କରିଛି ।
ଅଧିକ ପଢନ୍ତୁ: ଝୁରୁଛି ରାଜବାଟୀ: ଶୋକରେ ରାଜ୍ୟବାସୀ, କାଲି ଶେଷକୃତ୍ୟ
ପ୍ରଖ୍ୟାତ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିଛି । ମରଶରୀର ଏୟାରପୋର୍ଟରେ ପହଞ୍ଚିବା ପରେ ଶେଷ ଶୋଭାଯାତ୍ରାରେ ବାହାରିଛନ୍ତି ରାଣୀ ମାଆ । ବିମାନ ବନ୍ଦରରେ ତାଙ୍କ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ । ସେଠାରୁ ଶଙ୍ଖ ଭବନକୁ ଆସିଥିଲା ପାର୍ଥିବ ଶରୀର । ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଣୀଙ୍କର ଅନ୍ତିମ ଦର୍ଶନ କରିଛନ୍ତି । ଦଳୀୟ ନେତା ଓ କର୍ମୀ ମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଜେଡିର ବହୁ ମନ୍ତ୍ରୀ ବିଧାୟକ ଓ ନେତାମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଶଙ୍ଖ ଭବନରୁ ଦୀର୍ଘ ଦିନ ଧରି ତାଙ୍କ କର୍ମ ଭୂମି ଥିବା ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତି ପ୍ରମିଳା ମଲ୍ଲିକ ଶେଷ ଦର୍ଶନ କରିଛନ୍ତି । ବାଚସ୍ପତି ଶ୍ରଦ୍ଧାଞ୍ଜଳି ଦେବା ସହ ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି । ପରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏବଂ ବିଭିନ୍ନ ଦଳର ବିଧାୟକ ଓ ନେତାମାନେ ଶେଷ ଦର୍ଶନ କରିଛନ୍ତି । ବିମାନ ବନ୍ଦର, ଶଙ୍ଖ ଭବନ ଓ ବିଧାନସଭାରେ ଭାବାବେଗ ଚିତ୍ର ଦେଖିବାକୁ ମିଳିଛି ।