ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଳପାଳ ଗ୍ରାମରେ ପୋଲିସକୁ ଆକ୍ରମଣ ଘଟଣା । ଏହି ମାମଲାରେ ଆଜି ୨୨ ଜଣ ମହିଳାଙ୍କ ସମେତ ମୋଟ ୩୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସମସ୍ତଙ୍କୁ ବାରିପଦା କୋର୍ଟରେ ହାଜର କରାଯିବା ପରେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ବଡ଼ସାହି ଥାନାର ସବ ଇନିସପେକ୍ଟର ଅରୁଣ କୁମାର ଟୁଡୁଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରାଯାଇଥିଲା । ପୋଲିସର ତଦନ୍ତ ପରେ ରାସ୍ତା ଅବରୋଧକାରୀ ଓ ପ୍ରବର୍ତ୍ତାଇଥିବା ୪୧ ଜଣଙ୍କୁ ପୋଲିସ ଗାଁରୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପୃଥକ ଜେରା କରିବା ପରେ ୩୮ ଜଣଙ୍କୁ ଗିରଫ କରିଥିଲା ।
ସୂଚନା ଅନୁଯାୟୀ, ଗତ ୨୯ ତାରିଖ ଦିନ ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ତେବେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ଦୁଇ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବଡସାହି-ବେତନଟୀ ରାସ୍ତାର ବେଲପାଳଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଶତାଧିକ ମହିଳା ଓ ପୁରୁଷ ଏହି ବିକ୍ଷୋଭରେ ସାମିଲ ହୋଇଥିଲା । ଖବର ପାଇ ବଡ଼ସାହି ବିଡିଓ, ଅତିରିକ୍ତ ତହସିଲଦାର ଓ ବଡ଼ସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ମଧ୍ୟ ଗ୍ରାମବାସୀମାନେ ବୁଝି ନଥିଲେ । ପରେ ରାସ୍ତା ଅବରୋଧ କରିଥିବା ଲୋକେ ଉତ୍ୟକ୍ତ ହୋଇ ପୋଲିସକୁ ଆକ୍ରମଣ କରିବା ସହ ଗାଡି଼ ଗୁଡିକ ଭଙ୍ଗାରୁଜା କରିଥିଲେ ।