କେନ୍ଦ୍ରାପଡା:ଗୋଟେ ପରେ ଗୋଟେ ଚେକ୍ ଦେଇ ଟଙ୍କା ଉଠାଇଲେ ଦୁର୍ବୃତ୍ତ ମାତ୍ର ଟିକେ ବି ଟେର ପାଇପାରିଲେଣି ବ୍ୟାଙ୍କ କି ସରକାରୀ ବାବୁ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି କେନ୍ଦ୍ରାପଡା ପୌରପାଳିକାରୁ । ତିନିମାସ ମଧ୍ୟରେ ରାଜ୍ୟର ସର୍ବ ପୁରାତନ ପୌରପାଳିକାରେ ହୋଇଛି ଲୁଟ । କେନ୍ଦ୍ରାପଡା ପୌରପାଳିକାର ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ବଜାର ଶାଖାରେ ଥିବା ସେଭିଙ୍ଗ ପାସବୁକ ଆକାଉଣ୍ଟରୁ ୩ ଲକ୍ଷ ୬୬ ହଜାର ୨୭ ଟଙ୍କା ଦୁର୍ବୃତ୍ତ ଚେକ ମାଧ୍ୟମରେ ଉଠାଇ ନେଇଥିବା ନେଇ ଅଭିଯୋଗ କରାଯାଇଛି ।
ପୌର ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର କେନ୍ଦ୍ରାପଡା ଟାଉନ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଏହାପରେ ଥାନା କେସ ନମ୍ବର- ୯୭/୨୦୨୪ରେ ଆଇ.ପି.ସି.ର ୪୨୦ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି । ପୌରନିର୍ବାହୀ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ଭାରତୀୟ ଷ୍ଟେଟବ୍ୟାଙ୍କ ବଜାର ଶାଖାରେ ଥିବା ସେଭିଙ୍ଗ ଆକାଉଣ୍ଟ ଜମାବହିରୁ ଚଳିତବର୍ଷ ଗତ ତା ୨୭.୦୨.୨୦୨୪ ରିଖରୁ ୦୬.୦୫.୨୦୨୪ ରିଖ ମଧ୍ୟରେ ୭ଟି ଚେକ ମାଧ୍ୟମରେ ମୋଟ ସାତଥର ସମୁଦାୟ ୩ ଲକ୍ଷ ୬୬ ହଜାର ୨୭ ଟଙ୍କା କୌଣସି ଅଜଣା ଦୁର୍ବୃତ୍ତ ଉଠାଇ ନେଇଯାଇଛି । ତେବେ ସେଭଳି କୌଣସି ଚେକ ପୌରସଂସ୍ଥା ପକ୍ଷରୁ କାହାରିକୁ ପ୍ରଦାନ କରାଯାଇନଥିବା ବେଳେ କିଭଳି ସେହିସବୁ ଚେକରେ ଟଙ୍କା ଉଠାଇ ନିଆଗଲା ବୋଲି ପୈାରନିର୍ବାହୀ ଅଧିକାରୀ ଅଭିଯୋଗ କରିଛନ୍ତି ।