କେନ୍ଦ୍ରାପଡ଼ା: ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ ବିଜେଡିରୁ ନିଲମ୍ବିତ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କେନ୍ଦ୍ରାପଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟରେ ଜାରି ରହିଥିବା ରାଜନୈତିକ ବାତାବରଣ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟ । ରାଜ୍ୟରେ ଏବେ ବିରୋଧୀ ଦଳ ନାହିଁ, ମେଣ୍ଟ ହେଲେ ହିଁ ପ୍ରକୃତ ବିରୋଧୀ ଦଳ ସାମ୍ନାକୁ ଆସିପାରିବ ବୋଲି ସେ କହିଛନ୍ତି । ସେହିପରି ସେ କଂଗ୍ରେସକୁ ଫେରିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କରିଥିଲେ ।
'କେବଳ ଭିତ୍ତିଭୂମି ସୁଦୃଢ଼ ହେଲେ ପାଠ ପଢା ହୁଏନି': ଆଜି କେନ୍ଦ୍ରାପଡ଼ା ସହରର ଏକ ଘରୋଇ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସାମିଲ ହୋଇଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡିରୁ ନିଲମ୍ବିତ ବିଧାୟକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ । ଏହି ସମୟରେ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ବିଷେଦଗାର ପ୍ରକାଶ କରିଛନ୍ତି । ସେ କହିଛନ୍ତି, "କେବଳ ଭିତ୍ତିଭୂମି ସୁଦୃଢ଼ ହେଲେ ପାଠ ପଢା ହୋଇଯିବ ନାହିଁ । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହ ଦୀକ୍ଷା ଶିଖାଇବା ଆବଶ୍ୟକତା ରହିଛି । ଆଜିକାଲିର ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷାଦାନ ଅପେକ୍ଷା ସେମାନଙ୍କ ହକ୍ ପାଇଁ ଦାବି ମାଧ୍ୟମରେ ରାଜରାସ୍ତାକୁ ବେଶୀ ଆସୁଛନ୍ତି । ସେମାନଙ୍କ ଦାବି ସେମାନେ ନିଜେ ନକରି ସେହିଭଳି ଛାତ୍ରଛାତ୍ରୀ ଓ ଅଭିଭାବକ ତିଆରି କରିବା ଉଚିତ, ଯେଉଁମାନେ ସେମାନଙ୍କ ଦାବିକୁ ଉପସ୍ଥାପିତ କରିବେ ।"
'ମେଣ୍ଟ ହେଲେ ହିଁ ବିରୋଧୀ ଦଳ ଆସିବ': ବର୍ତ୍ତମାନ ରାଜନୀତି ସମ୍ପର୍କରେ ମନ୍ତବ୍ୟ ଦେଇ ସୌମ୍ୟ କହିଛନ୍ତି, "ରାଜନେତାଙ୍କର କୌଣସି ନୀତି ନଥାଏ । ସକାଳେ ଗୋଟିଏ କଥା ତ ସନ୍ଧ୍ୟାରେ ଆଉ ଗୋଟିଏ କଥା । ଭୁବନେଶ୍ବରରେ ଗୋଟିଏ କଥା ତ ଦିଲ୍ଲୀରେ ଆଉ ଗୋଟିଏ କଥା କୁହନ୍ତି ନେତା ।" ରାଜ୍ୟରେ ବିରୋଧୀ ଦଳ ବୋଲି କିଛି ନାହିଁ ବୋଲି ମନ୍ତବ୍ୟ ରଖି ଏବେ ରାଜ୍ୟରେ ବିଜେଡି-ବିଜେପି ଲିଭ ଇନ୍ ରିଲେସନସିପରେ ରହିଛନ୍ତି ବୋଲି କଟାକ୍ଷ କରିଛନ୍ତି । ସମ୍ଭାବ୍ୟ ମେଣ୍ଟ ନେଇ ସେ କହିଛନ୍ତି, "ମେଣ୍ଟ ନିହାତି ଆବଶ୍ୟକ । ମେଣ୍ଟ ହେଲେ ହିଁ ରାଜ୍ୟରେ ପ୍ରକୃତ ବିରୋଧୀ ଦଳ ଆସିପାରିବ ।"