ବଲାଙ୍ଗୀର:ଭୀମ ଭୋଇ ମେଡ଼ିକାଲ କଲେଜରେ ଭିତ୍ତିଭୂମି ଅବ୍ୟସ୍ଥାକୁ ନେଇ ମୁହାଁମୁହିଁ ହେଲେ ବିଧାୟକ ଏବଂ ମନ୍ତ୍ରୀ । ବିଧାୟକ କହିଲେ ସରକାରଙ୍କ ଘୋର ଅବହେଳା, ସ୍ୱାସ୍ଥ୍ୟମନ୍ତ୍ରୀ ରଖିଲେ ଜବାବ । ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଉଦଘାଟନ ହେବାର 11 ମାସ ବିତିବାକୁ ବସିଲାଣି । ହେଲେ ଏବେ ବି ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଘୋର ଅଭାବ ଦେଖିବାକୁ ମିଳିଛି । କେବଳ ଷ୍ଟାଫ ନୁହନ୍ତି, ବରଂ ଚିକିତ୍ସା ଓ ନିଦାନ ସାମଗ୍ରୀର ମଧ୍ୟ ଅଭାବ ରହିଛି । ସେହିପରି ପରିମଳ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ହୋଇପାରିନଥିବା ଅଭିଯୋଗ ଆଣିଛନ୍ତି ଖୋଦ୍ ବଲାଙ୍ଗୀର ବିଧାୟକ କାଲିକେଶ ନାରାୟଣ ସିଂଦେଓ । ଏନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ କାଲିକେଶ :
- ଜିଲ୍ଲାରୁ ଉପ-ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ଅବହଳିତ: କଳିକେଶ
ବଲାଙ୍ଗୀର ବିଧାୟକ କାଳିକେଶ ନାରାୟଣ ସିଂଦେଓ କହିଛନ୍ତି," ମୁଁ ଭୀମ ଭୋଇ ମେଡ଼ିକାଲ କଲେଜ ଏବଂ ଡାକ୍ତରଖାନାକୁ ଅଚାନକ ପରିଦର୍ଶନରେ ଆସିଥିଲି। । ଗତ ମାର୍ଚ୍ଚ 2024ରେ ଶହ ଶହ କୋଟି ଟଙ୍କା ବ୍ୟୟରେ ଆମ ସରକାର 650 ଶଯ୍ୟା ବିଶିଷ୍ଟ ନୂଆ କୋଠା ନିର୍ମାଣ କରି ଉଦଘାଟନ୍ କରିଥିଲେ । ଏହାକୁ ଏବେ 9 ମାସରୁ ଅଧିକ ବିତି ଥିଲେ ସୁଦ୍ଧା ସେ ସମୟରେ ଯାହା ସ୍ଥିତି ଥିଲା, ଏବେବି ତାହା ରହିଛି । ବଲାଙ୍ଗୀର ଜିଲ୍ଲାରୁ ଉପ-ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ମଧ୍ୟ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅବ୍ୟସ୍ଥିତ ହୋଇଛି । ଡାକ୍ତର ନର୍ସ ଓ ଅନ୍ୟ କର୍ମଚାରୀ ନାହାନ୍ତି । ଶଯ୍ୟା ଉପକରଣ ସବୁର ଘୋର ଅଭାବ ରହିଛି ।ଯାହାକୁ ନେଇ ମୁଁ ଆଗାମୀ ଦିନରେ ବିଧାନସଭାରେ ପ୍ରଶ୍ନ କରିବି। "
- ସେମାନେ 24 ବର୍ଷରେ କରିନଥିଲେ, 9 ମାସରେ କରିଛୁ: ସ୍ବାସ୍ଥ୍ୟମନ୍ତ୍ରୀ
ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗା କହିଛନ୍ତି,"ମୁଁ ତାଙ୍କ ପ୍ରଶ୍ନର ଉତ୍ତର ଦେବିନାହିଁ । ଆମେ ଉତ୍ତରାଧିକାରୀ ସୂତ୍ରରେ ସ୍ବାସ୍ଥ୍ୟ ସେବା ପାଇଛୁ । ଯାହା ସେମାନେ 24 ବର୍ଷରେ କରି ନାହାନ୍ତି, ତାହା ଆମେ ମାତ୍ର 9 ମାସରେ କରିକି ଦେଖାଇଛୁ । ସ୍ବାସ୍ଥ୍ୟ କ୍ଷେତ୍ର ହେଉ ବା ରାଜ୍ୟର ସାମଗ୍ରୀକ ବିକାଶରେ ଯେଉଁ ପଦକ୍ଷେପ ନିଆଯାଇଛି , ତାହା ୨୪ ବର୍ଷ ସରକାର ଇତିହାସରେ ନାହିଁ । ୨୦୨୪ ଯାଇଛି ତା'ସହ 24 ବର୍ଷର ବିଜେଡି ସରକାରର ଚାପ୍ଟର ଶେଷ ହୋଇଯାଇଛି । ତେଣୁ ନୂଆ ବର୍ଷର ନୂଆ ଆଶା ଆକାଂକ୍ଷା ନେଇ ଆମେ କାମ କରୁଛୁ । ଆଗାମୀ ଦିନରେ ସବୁ ଠିକ ହେବ । "
- ଭୀମ ଭୋଇ ମେଡ଼ିକାଲରେ ଡ଼ାକ୍ତର ଅଭାବ !:
ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭାବେ ବ୍ୟବାହାର କରାଯାଉଛି । ଯେଉଁଠି 350 ଶଯ୍ୟା ରହିଛି । ଏଠାରେ 159 ଜଣ ଡାକ୍ତର ବଦଳରେ ମୋଟ 48 ଜଣ ଡାକ୍ତର ଅଛନ୍ତି । ଅନେକ ବିଭାଗର ବିଭାଗୀୟ ମୁଖ୍ୟ ନାହାନ୍ତି । ଏହାଛଡା 350 ଜଣ ନର୍ସ ଆବଶ୍ୟକ ଥିବା ବେଳେ କାର୍ଯ୍ୟରେ ଅଛନ୍ତି ମାତ୍ର 200 ଜଣ ନର୍ସ । ସେହିପରି ଲ୍ୟାବ୍ ଟେକ୍ନିସିଆନ୍ ଭଲି ଅନ୍ୟ କର୍ମଚାରୀଙ୍କ ମଧ୍ୟ ଘୋର ଅଭବା ରହିଛି । ଚିକିତ୍ସା ପାଇଁ ଆବଶ୍ୟକ ଥିବା ଉପକରଣ ନଥିବା ଶଯ୍ୟାର ଅଭାବ ହେତୁ ଏଠିକାର ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି ।
- ନୂତନ କୋଠା ଅଛି ହେଲେ ସ୍ଥାନାନ୍ତରଣ ହୋଇ ପାରୁନାହିଁ :