କେନ୍ଦୁଝର:ଦୁଷ୍କର୍ମକାରୀକୁ ଜେଲଦଣ୍ଡ । ଆଜି(ଶୁକ୍ରବାର) ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଏକ ମାମଲାର ଶୁଣାଣି କରି କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ 2020 ମସିହାରେ ଘଟିଥିଲା ଏହି ଅପହରଣ ଦୁଷ୍କର୍ମ ଘଟଣା । ଯାହାର ଆଜି ରାୟ ପ୍ରକାଶ ପାଇଛି ।
ଘଟଣା ସମ୍ପର୍କରେ...
ଗତ 2020 ମସିହା, ମେ’ ମାସ 31 ତାରିଖରେ କେନ୍ଦୁଝର ଚାଇଲ୍ଡ ଲାଇନ ଟିମକୁ ଜଣେ ନାବାଳିକାକୁ ଅପହରଣ କରିନେଇ ଦୁଷ୍କର୍ମ କରାଯାଇଥିବା ଖବର ଆସିଥିଲା । ବିଦେଶିୟା ପ୍ରଧାନ ନାମକ ବ୍ୟକ୍ତି ଏହା କରିଥିବା ଖବର ପାଇଥିଲେ ଚାଇଲ୍ଡ ଲାଇନ ଟିମର ଶୁକାନ୍ତି ପାତ୍ର । ଏନେଇ ସେ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ସଦର ଥାନାରେ ଏତଲା ଦେଇଥିଲେ । ସଦର ପୋଲିସ ଏହି ଏତଲା ଆଧାରରେ ବିଦେଶିୟା ପ୍ରଧାନକୁ ଅପହରଣ ଦୁଷ୍କର୍ମ ଓ ଶିଶୁ ବିବାହ ଆଇନ ଅନୁସାରେ ଗିରଫ କରି କୋର୍ଟଚାଲାଣ କରିଥିଲା । ଆଜି ମାମଲାର ଶୁଣାଣି କରିଛନ୍ତି ବିଚାରପତି ବିଜୟ କୁମାର ମିଶ୍ର ।
ଦୋଷୀକୁ 20 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ:
ଆଜି(ଶୁକ୍ରବାର) ୧୮ ଜଣ ସାକ୍ଷ୍ୟ ବୟାନକୁ ଆଧାର କରି କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ବିଦେଶିୟା ପ୍ରଧାନ ଦୋଷୀ ସାବ୍ୟସ୍ତ କରି ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ପୀଡ଼ିତାକୁ ପାଞ୍ଚ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବା ନିମନ୍ତେ ଲିଗାଲଏଡକୁ ସୁପାରିସ କରିଛନ୍ତି । ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଜ୍ଞାନେନ୍ଦ୍ର ନାଥ ଜେନା ପରିଚାଳନା କରିଥିଲେ ।
ଏହା ମଧ୍ୟ ପଢନ୍ତୁ: |