ରାଉରକେଲା: ପ୍ରେମ ବାହାନା କରି ଭିନ୍ନକ୍ଷମ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ । ଏହି ଘଟଣାଟି ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ପାସ୍କାଲ ଟପ୍ନୋ (୨୭) । ଘର ବିଶ୍ରା ଥାନା ଅନ୍ତର୍ଗତ ଗୁଞ୍ଜର ଗାଁରେ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ପାସ୍କାଲ ଟପ୍ନୋ ଟାଙ୍ଗରପାଲ୍ଲୀ ଥାନା ଅନ୍ତର୍ଗତ ଅସୁରଛପଲ ଗାଁରେ ବିବାହ କରିଥିଲା । ବିବାହ ପରେ ପାସ୍କାଲ ଶ୍ବଶୁର ଘରକୁ ଯିବା ଆସିବାବେଳେ ଶ୍ବଶୁର ଘରେ କାମ କରୁଥିବା ଜଣେ ଭିନ୍ନକ୍ଷମ ୧୪ ବର୍ଷୀୟ ନାବାଳିକା ଉପରେ ଖରାପ ଦୃଷ୍ଟି ପଡିଥିଲା । ପୀଡ଼ିତ ନାବାଳିକାଙ୍କ ବାପାମାଆ, ଭଇଭଉଣୀ କେହି ନଥିବା ଜଣାପଡ଼ିଛି । ତେବେ ଏହାର ସୁଯୋଗ ନେଇ ଅଭିଯୁକ୍ତ ପାସ୍କାଲ ତା' ସହ ପ୍ରେମ ସମ୍ପର୍କ ବାହାନାରେ ବାରମ୍ବାର ଦୁଷ୍କର୍ମ କରିଥିଲା । ପରେ ସେ ଗର୍ଭବତୀ ହୋଇଥିଲା ।
ତେବେ ଏହି ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ନାବାଳିକାକୁ ଧମକ ମଧ୍ୟ ଦେଉଥିଲା । ଏନେଇ ନାବାଳିକା ଜଣଙ୍କ ଅଭିଯୁକ୍ତ ପାସ୍କାଲର ଶାଶୁ ଶ୍ବଶୁରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା । ତେବେ ପୋଲିସ କିମ୍ବା ଆଉ କାହାକୁ ନ ଜଣାଇବା ପାଇଁ ତାକୁ ପାସ୍କାଲ ଧମକଚମକ ଦେଉଥିଲା । ଫଳରେ ସେ ଭୟରେ କାହାକୁ କିଛି କହିନଥିଲା । ଏବେ ଭିନ୍ନକ୍ଷମ ଝିଅଟି ଗର୍ଭବତୀ ହୋଇଥିବା ଜଣାପଡ଼ିଛି ।