ବଲାଙ୍ଗୀର: ବଲାଙ୍ଗୀରରେ ପୁଣି ଦାଦନ ଦୁଃଖ । ପେଟ ପାଟଣା ପାଇଁ ତେଲେଙ୍ଗାନା ରାଜ୍ୟ ପୈଦାପାଲିକୁ ଦାଦନ ଖଟିବାକୁ ଯାଇଥିଲେ ଯୁବକ । ହେଲେ କିଛିମାସ ପରେ ସେଠାରୁ ତାଙ୍କର ଦରପୋଡା ମୃତଦେହ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ପରିବାର ଓ ଗ୍ରାମବାସୀ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ନ୍ୟାୟ ପାଇଁ ନିଜେ ମୃତକଙ୍କ ମାଆ 70 କିମି ଚାଲି ବଲାଙ୍ଗୀର ଜିଲ୍ଲାପାଳଙ୍କ ଠାରେ ଗୁହାରି କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ମୁରିବାହାଲ ବ୍ଲକ ଅନ୍ତର୍ଗତ ସନଜେର ବାହାଳି ଗ୍ରାମର ଯୁବକ ମୈତ୍ର ସେଠ ଜଣେ ଦାଦନ ଶ୍ରମିକ ଭାବରେ ତେଲେଙ୍ଗାନା ପୈଦାପାଲିକୁ ଯାଇଥଲେ । ଦାଦନ ସର୍ଦ୍ଦାର ସୁଶାନ୍ତ ପାତ୍ରଙ୍କ ଜରିଆରେ ସେ ପରିବାର ପୋଷିବା ଉଦ୍ଦେଶ୍ୟରେ ସେଠାକାର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ । ଗତ ଅକ୍ଟୋବର 10 ତାରିଖରେ ସେ ସେଠାରେ ପହଞ୍ଚିଥିଲେ । ସେଠାରେ କିଛିଦିନ କାମ କରିବା ପରେ ମାଆଙ୍କ ସହିତ କଥା ହୋଇ ଘର ଖର୍ଚ୍ଚ ପାଇଁ 5 ହଜାର ଟଙ୍କା ମଧ୍ୟ ପଠାଇଥିଲେ । ତେବେ ଏହାପରେ ସେ ହଠାତ ନିଖୋଜ ହୋଇଯାଇଥିଲେ । ତାଙ୍କ ଫୋନ ମଧ୍ୟ ବନ୍ଦ ଆସିଥିଲା । ଏପଟେ ମୈତ୍ରଙ୍କ ମାଆ ଓ ପରିବାର ଲୋକେ ତାଙ୍କୁ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ । ପରବର୍ତ୍ତୀ ସମୟରେ ସେହି ଇଟାଭାଟିରୁ ତାଙ୍କର ଦରପୋଡା ମୃତଦେହ ଉଦ୍ଧାର ହୋଇଥିଲା । ଇଟାଭାଟି ମାଲିକ ଯୁବକଙ୍କ ମାଆଙ୍କ ସହ ଯୋଗାଯୋଗ କରି ଫଟୋ ପଠାଇ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ଖବର ଜଣାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଦାଦନ ଯନ୍ତ୍ରଣା: ବାପାଙ୍କ ମୃତ୍ୟୁ ପରେ ବନ୍ଧା ପଡିଥିଲା ନାବାଳିକା ଝିଅ, ତେଲେଙ୍ଗାନାରୁ ଉଦ୍ଧାର