ଭୁବନେଶ୍ବର:ଓଡ଼ିଶାରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଆଜି ପୂର୍ବାହ୍ନରେ କୃଷି ଭବନରେ ପରିଦର୍ଶନ କରିଛନ୍ତି ବିଲ୍ ଗେଟ୍ସ । ସେ ଗେଟ୍ସ ଫାଉଣ୍ଡେସନ ସହାୟତାରେ କୃଷି ବିଭାଗରେ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଓ କୃଷି ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀ ବିଲ ଗେଟ୍ସ ଓ ଟିମକୁ ଯୋଜନା ବାବଦରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଯୋଜନା ସିଧାସଳଖ ସୁବିଧା ଲୋକଙ୍କ ପାଖରେ ପହଞ୍ଚୁଥିବା ଜାଣି ସେ ରାଜ୍ୟ ସରକାରଙ୍କ ପ୍ରଶଂସା କରିବା ସହ ପରାମର୍ଶ ମଧ୍ୟ ଦେଇଛନ୍ତି । କୃଷି ଭବନ ପରିସରରେ ଥିବା ରାଜ୍ୟ କୃଷି ସମୀକ୍ଷା କେନ୍ଦ୍ର 'ଗେଟ୍ସ ଫାଉଣ୍ଡେସନ୍' ସହାୟତାରେ କାର୍ଯ୍ୟ କରୁଛି । ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି ଏହି କେନ୍ଦ୍ର । ରାଜ୍ୟରେ କୃଷିର ଉନ୍ନତି ପାଇଁ 'ବିଲ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ' ସହ ୨୦୧୭ ମସିହାରେ ଚୁକ୍ତି ହୋଇଥିଲା । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଏହା ସହ ଗେଟ୍ସ ଫାଉଣ୍ଡେସନ ସହଯୋଗରେ କୃଷି ବିଭାଗରେ କାର୍ଯ୍ୟକାରୀ ହେଉଛି ଯୋଜନାର ମଧ୍ୟ ସେ ସମୀକ୍ଷା କରିଛନ୍ତି ।
କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ଼କ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, "ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ ଆଜି କୃଷି ଭବନ ପରିଦର୍ଶନରେ ଆସିଥିଲେ । ୨୦୧୭ ମସିହାରୁ କୃଷି ବିଭାଗ ସହିତ ଗେଟ୍ସ ଫାଉଣ୍ଡେସନର ଚୁକ୍ତିନାମା ହୋଇଥିଲା । ଆଡପ୍ଟ ଡିସିସନ ସପୋର୍ଟ ସିଷ୍ଟମ 'Adopt Decision Support System' ଚାଲୁଥିଲା । ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ କୃଷି ସମୀକ୍ଷା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଉଦଘାଟନ କରିଛନ୍ତି । କୃଷକଙ୍କ ବିକାଶ କ୍ଷେତ୍ରରେ ଏହା କିପରି ଲାଗୁଛି ସେ ବାବଦରେ ବିଲ ଗେଟ୍ସ ପଚାରି ବୁଝିଛନ୍ତି । ବିଭାଗ ପକ୍ଷରୁ ପ୍ରେଜେଣ୍ଟେସନ କରିଥିଲୁ । ସେ ବହୁତ ପ୍ରଶ୍ନ ପଚାରି ବୁଝିଛନ୍ତି ।"
ପ୍ରମୁଖ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗି ଯୋଜନାରେ ସ୍ୱାବଲମ୍ବୀ ହୋଇଥିବା ମହିଳା ଚାଷୀଙ୍କ ସହ ସେ ଆଲୋଚନା କରିଛନ୍ତି । ମିଲେଟ ମିଶନ ପରିଦର୍ଶନ କରି ସେ ଖୁସି ହୋଇଛନ୍ତି । ଓଡି଼ଶା ସରକାରଙ୍କ ଯୋଜନାକୁ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଆପଣାଉଥିବା ଜାଣି ସେ ଖୁସି ହୋଇଛନ୍ତି । କୃଷି ସମୀକ୍ଷା କେନ୍ଦ୍ରରେ ଆଜିକା ଦିନରେ ଯାହା କାର୍ଯ୍ୟକ୍ରମ ଚାଲିଛି ତାହା ସେ ପଚାରି ବୁଝିଛନ୍ତି। କୃଷି କ୍ଷେତ୍ରରେ ରିମୋର୍ଟ ସେନ୍ସସେସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବସ୍ଥା ବ୍ୟବହାର ଉପରେ ଆମକୁ ପରାମର୍ଶ ଦେଇଛନ୍ତି । ଏହାକୁ ଆମେ ଗ୍ରହଣ କରିବୁ ।"