ଭୁବନେଶ୍ବର:ଭୁବନେଶ୍ବର ଗସ୍ତରେ ଆସିଛନ୍ତି ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଗତକାଲି (ମଙ୍ଗଳବାର) ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । ଆଜି ଭୁବନେଶ୍ବରେ ତାଙ୍କର ଏକାଧିକ କାର୍ଯ୍ୟକ୍ରମ ରହିଥିବା ବେଳେ ସକାଳୁ ସକାଳୁ ମଙ୍ଗଳା ବସ୍ତି ବୁଲିଛନ୍ତି ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା । ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳର ମଙ୍ଗଳା ବସ୍ତି ବୁଲି ଦେଖିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି ।
ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ: ସୂଚନା ଅନୁସାରେ, ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳର ମଙ୍ଗଳା ବସ୍ତିରେ ପହଞ୍ଚି ଥିଲେ ବିଲଗେଟ୍ସ । ନିଜର ଅଫିସିଆଲ୍ ଓ ଓଆଇଏଏସ୍ ଅନୁ ଗର୍ଗଙ୍କ ସହ ମିଶି ବସ୍ତି ବୁଲି ଦେଖିଛନ୍ତି । ଏହାସହ ସ୍ଥାନୀୟ ଅଧିବାସୀଙ୍କ ସହିତ ଆଲୋଚନା କରି ବସ୍ତିର ହାଲ ଚାଲ ବୁଝିବା ସହ ଉନ୍ନତି ନେଇ ପଚାରି ବୁଝିଥିବା ସୂଚନା ରହିଛି । ତେବେ ରୂପାନ୍ତରୀକରଣ କାର୍ଯ୍ୟ ମଧ୍ୟ ବୁଲି ଦେଖିଛନ୍ତି । ମହିଳା ସଶକ୍ତିକରଣ ନେଇ କଣ ପଦକ୍ଷେପ ନିଆଯାଇଛି, ବସ୍ତିରେ ପୂର୍ବ ସ୍ଥିତି ଆଉ ପରର ସ୍ଥିତି କିପରି ହୋଇଛି, SHG ଗ୍ରୁପ ଜରିଆରେ କିପରି ସଶକ୍ତିକରଣ ହୋଇଛି ତାହା ମଧ୍ୟ ବିଲ୍ ଗେଟ୍ସ ପଚାରି ବୁଝିଛନ୍ତି ।
ଘର ଚଳାଇବାରେ ପୁରୁଷଙ୍କ ତୁଳନାରେ ମହିଳାମାନେ କିପରି ସହଯୋଗର ହାତ ବଢାଇଛନ୍ତି । ମୁକ୍ତା ଯୋଜନାରେ କିପରି ମହିଳାମାନେ ସଫଳ ହୋଇଛନ୍ତି ଓ ତାର ଫାଇଦା କଣ ଉଠାଇଛନ୍ତି । ଏପରିକି ବସ୍ତିର ପିଲାଙ୍କ ଖେଳପଡିଆ ସହ ଆମୋଦପ୍ରମୋଦ ପାର୍କ ମନ୍ଦିର ସହ ବସ୍ତିର ଘର ଘର ବୁଲି ଦେଖିଛନ୍ତି । ଏପରିକି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ବସ୍ତିର କୁନି ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ମଧ୍ୟ ସ୍ଥିତି ମଧ୍ୟ ଦେଖିଛନ୍ତି । ତେବେ ପରିବାର ଆର୍ଥିକ ସ୍ଥିତିରେ ସୁଧାର ଏବଂ ମହିଳା ସଶକ୍ତିକରଣ ଆଦି ଦେଖି ଖୁସି ହେଲେ । ତେବେ ବିଲ୍ ଗେଟ୍ସ,ବସ୍ତି ବୁଲିବା ପୂର୍ବରୁ ମଙ୍ଗଳବାର ବିଏମସି ଏବଂ ବରିଷ୍ଠ ଅଧିକାରୀମାନେ ବସ୍ତି ବୁଲି ଦେଖିଥିଲେ ।