ଭୁବନେଶ୍ବର: ରାଜ୍ୟରୁ ଶୀତ ଅପସରି ଯାଉଥିବା ବେଳେ ରାଜ୍ୟବାସୀଙ୍କୁ କଲବଲ କରୁଛି ଘନ କୁହୁଡ଼ି । ଓଡ଼ିଶାର ପାଣିପାଗ ଶୁଖିଲା ରହିଥିବା ବେଳେ ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡିକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଶୁଖିଲା ପାଗ ରହିଥିବା ବେଳେ ଅନେକ ସ୍ଥାନରେ ଘନ କୁହୁଡି଼ ଦେଖିବାକୁ ମିଳିଛି । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାରୁ ଆଗାମୀ ୨ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ସେହିପରି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡିର ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ । ସେପଟେ 6 ତାରିଖ ସକାଳ ପାଇଁ କଟକ, ଜଗତସିଂହପୁର, ନୟାଗଡ, ଖୋର୍ଦ୍ଧା, ବାଲେଶ୍ୱର ଓ ଭଦ୍ରକ ଭଳି ୧୨ ଜିଲ୍ଲାକୁ ଘନ କୁହୁଡି଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।