ଭୁବନେଶ୍ୱର:ଜଳଶକ୍ତି ଅଭିଯାନ-୨୦୨୪ 'କ୍ୟାଚ-ଦି-ରେନ' ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳ ସଂରକ୍ଷଣ କ୍ଷେତ୍ରରେ ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜଳଶକ୍ତି ଅଭିଯାନର ଥିମ ରହିଛି 'ନାରୀ ଶକ୍ତି ସେ ଜଳ ଶକ୍ତି’ । ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି ।
ବର୍ଷା ଋତୁ ଆରମ୍ଭ ହୋଇଥିବାବେଳେ ଜଳ ସଂରକ୍ଷଣକୁ ନେଇ ଜଳଶକ୍ତି ଅଭିଯାନ ଜାରି ରହିଛି । ୨୦୧୯ ମସିହାରୁ ଏହି ଅଭିଯାନ ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଜଳଶକ୍ତି ଅଭିଯାନ-୫ମ ପର୍ଯ୍ୟାୟ ଚଳିତ ବର୍ଷ ମାର୍ଚ୍ଚ ୯ରୁ ଆରମ୍ଭ ହୋଇଛି । ଏହା ଆଗାମୀ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଭାରତ ସରକାରଙ୍କର କ୍ୟାବିନେଟ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବୈଠକରେ ଆଲୋଚନା କରିଛନ୍ତି । ଜଳ ସଂରକ୍ଷଣ ସଂପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ ସମ୍ପର୍କରେ ଆଲୋଚନା ହୋଇଛି ।
ଓଡ଼ିଶାରେ ଜଳଶକ୍ତି ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ କିପରି ଚାଲିଛି ଓ ଚଳିତ ବର୍ଷାଋତୁ ତଥା ଆଗାମୀ ଦିନରେ କିପରି ପଦକ୍ଷେପ ରହିବ, ସେଥିନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟ ଯୋଜନା ପ୍ରସ୍ତୁତ ସଂପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଛି । ଜଳ ସମ୍ପଦ ବିଭାଗ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ, କ୍ରୀଡା ଓ ଯୁବ ସେବା, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପୂର୍ତ୍ତ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଚଳିତ ବର୍ଷ କିପରି ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରାଯିବ ଓ ଏଥିପାଇଁ କ'ଣ ସବୁ ଯୋଜନା ରହିଛି, ସେ ସଂପର୍କରେ ଉପସ୍ଥାପନା କରାଯାଇଛି ।
ଜିଲ୍ଲାରେ ଥିବା ଜଳାଶୟଗୁଡିକରୁ ଜବରଦଖଲ ହଟାଇବା, ପଞ୍ଚାୟତ ଘର, ସ୍ୱାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, କମ୍ୟୁନିଟି ସେଣ୍ଟର ଓ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନରେ ଜଳ ପରିଚାଳନା କାର୍ଯ୍ୟ, କ୍ଷୁଦ୍ର ନଦୀ ଓ ନାଳ ଗୁଡିକର ପୁନରୁଦ୍ଧାର, ଜଳ ଭଣ୍ଡାର ଓ ନଦୀ ଅବବାହିକା ଅଞ୍ଚଳରେ ଜଳ ପରିଚାଳନା ବ୍ୟବସ୍ଥା, ବନୀକରଣ, ଜଳଛାୟା ଉନ୍ନୟନ ପ୍ରକଳ୍ପ ଜରିଆରେ ଜଳ ସଂରକ୍ଷଣ, ସରକାରୀ କୋଠାଗୁଡିକରେ ବର୍ଷା ଜଳ ଅମଳ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ ନିମନ୍ତେ ପଞ୍ଚାୟତ ଜନପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସମସ୍ତ ସହଯୋଗୀ ଅନୁଷ୍ଠାନର ସହଯୋଗ ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାରେ କିପରି ବୈଜ୍ଞାନିକ ଉପାୟରେ ଜଳସଂରକ୍ଷଣ କରାଯାଇପାରିବ, ସେଥିପାଇଁ ଜଳ ସଂରକ୍ଷଣ ଯୋଜନା ଜଳ ଶକ୍ତି ଅଭିଯାନ ପୋର୍ଟାଲ ଓ୍ୱେବସାଇଟରେ ଅପଲୋଡ କରାଯାଉଛି ।