ଓଡିଶା

odisha

ETV Bharat / state

ଆଦିବାସୀ ପୁଅଙ୍କ କମାଲ: ଡିଜିଟାଲ ସ୍କ୍ରିନରେ ସାନ୍ତାଳୀ ଭାଷା, ରାମଜିତଙ୍କୁ ପ୍ରଶଂସାରେ ପୋତିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ପରେ ସାନ୍ତାଳୀ ଯୁବକ ରାମଜିତ ଟୁଡୋଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ୧୦ ବର୍ଷର ପ୍ରୟାସ ପରେ ସାନ୍ତାଳୀ ଭାଷାକୁ କରିଛନ୍ତି ଡିଜିଟାଲାଇଜ । ସ୍ପେଶାଲ ରିପୋର୍ଟ ।

By ETV Bharat Odisha Team

Published : 13 hours ago

Updated : 11 hours ago

ଆଦିବାସୀ ପୁଅଙ୍କ କମାଲ, ଏବେ ଡିଜିଟାଲ ସ୍କ୍ରିନରେ ସାନ୍ତାଳୀ ଭାଷା, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ରାମଜିତଙ୍କୁ ନେଇ ଚର୍ଚ୍ଚା
ଆଦିବାସୀ ପୁଅଙ୍କ କମାଲ, ଏବେ ଡିଜିଟାଲ ସ୍କ୍ରିନରେ ସାନ୍ତାଳୀ ଭାଷା, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ରାମଜିତଙ୍କୁ ନେଇ ଚର୍ଚ୍ଚା (ETV Bharat Odisha)

ରାଇରଙ୍ଗପୁର (ମୟୂରଭଞ୍ଜ):‘ଅଲଚିକି’ ଲିପି ହେଉଛି ସାନ୍ତାଳୀ ସମ୍ପ୍ରଦାୟ ଭାଷାର ପରିଚୟ । ଆଉ ଏହି ଲିପିର ସ୍ରଷ୍ଟା ହେଉଛନ୍ତି ସାନ୍ତାଳୀ ସମ୍ପ୍ରଦାୟର ବରପୁତ୍ର ପଣ୍ଡିତ ରଘୁନାଥ ମୁର୍ମୁ । ଦୀର୍ଘ ବର୍ଷ ଧରି ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ଭାଷା ସମ୍ପର୍କରେ ଗବେଷଣା କରି ‘ଅଲଚିକି’ ଲିପି ପ୍ରସ୍ତୁତ କରିଥିଲେ । ଫଳରେ ପ୍ରତ୍ୟେକ ସାନ୍ତାଳୀ ଭାଷାଭାଷୀ ଲୋକେ ଏବେ ‘ଅଲଚିକି’ ଲିପିର ବ୍ୟବହାର କରି ନିଜ ମାତୃଭାଷା ସହିତ ଜଡିତ ହୋଇ ପାରୁଛନ୍ତି । ସେଥିପାଇଁ ଆଜି ମଧ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ମନେ ପକାଇ ତାଙ୍କୁ ‘ଅଲଚିକି’ ଲିପିର ଜନକ ମଧ୍ୟ କୁହାଯାଏ ।

ଆଦିବାସୀ ପୁଅଙ୍କ କମାଲ, ଏବେ ଡିଜିଟାଲ ସ୍କ୍ରିନରେ ସାନ୍ତାଳୀ ଭାଷା (ETV Bharat Odisha)

ସେହିପରି ଏବେ ସାନ୍ତାଳୀ ଭାଷାକୁ ଘରେ ଘରେ ଓ ଦେଶ-ବିଦେଶରେ ପହଞ୍ଚାଇବାକୁ ଡିଜିଟାଲାଇଜେସନ ମାଧ୍ୟମରେ ଉଦ୍ୟମ ହୋଇଛି । ଆଉ ଏହି ଉଦ୍ୟମ କରି ସଫଳ ହୋଇଛନ୍ତି ଜଣେ ସାନ୍ତାଳୀ ପୁଅ । ସେ ପୁଣି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବାସିନ୍ଦା । ଯାହାଙ୍କ ପ୍ରୟାସ ଓ ସଫଳତାକୁ ପ୍ରଶଂସା କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟିଏ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଯୁବକ ରାମଜିତ କିପରି ଏ ଦିଗରେ ସଫଳ ହେଲେ ଓ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି, ଆସନ୍ତୁ ଦେଖିବା ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରୁ ‘ଇଟିଭି ଭାରତ’ର ଏହି ସ୍ବତନ୍ତ୍ର ରିପୋର୍ଟ ।

ଆଦିବାସୀ ପୁଅଙ୍କ କମାଲ, ଏବେ ଡିଜିଟାଲ ସ୍କ୍ରିନରେ ସାନ୍ତାଳୀ ଭାଷା (ETV Bharat Odisha)
  • ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଦେଶ ଶୁଣିଥିଲା ରାମଜିତ ଟୁ଼ଡୁଙ୍କ କାହାଣୀ

ବାଦାମପାହାଡ ବ୍ଲକ ଗୋବିନ୍ଦପୁର ଗ୍ରାମର ରାମଜିତ ଟୁଡୁ ନିଜ ମାତୃଭାଷା ପାଇଁ ଗୌରବ ଆଣିଛନ୍ତି । ବହୁ ପରିଶ୍ରମ ପରେ ସାନ୍ତାଳୀ ଭାଷାକୁ ଡିଜିଟାଲାଇଜେସନ କରି ପାରିଛନ୍ତି ରାମଜିତ । ଫଳରେ ଲକ୍ଷ ଲକ୍ଷ ସାନ୍ତାଳୀ ଲୋକଙ୍କ ହୃଦୟରେ ସେ ଏବେ ସ୍ଥାନ ପାଇଛନ୍ତି । ତେବେ ‘ଅଲଚିକି’ ଲିପିକୁ ଡିଜିଟାଲାଇଜେସନ୍‌ କରିବା ଦିଗରେ ରାମଜିତ ସଫଳ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସପ୍ତାହିକ ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ରାମଜିତଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଦେଶ ଶୁଣିଥିଲା ଆଦିବାସୀ ଯୁବକ ରାମଜିତଙ୍କ ଭାଷାପ୍ରେମ ଓ ନବସୃଜନର ସଫଳ କାହାଣୀ । ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରଶଂସିତ ହେବା ପରେ ମୟୂରଭଞ୍ଜରେ ଆୟୋଜିତ ‘ସୁଭଦ୍ରା’ ଯୋଜନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାମଜିତଙ୍କୁ ସମ୍ମାନିତ କରିଥିଲେ । ଏନେଇ ରାମଜିତଙ୍କ ଘରକୁ ଗାଁ ଓ ଆଖପାଖ ଓ ଜିଲ୍ଲାବାସୀଙ୍କ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି ।

ଆଦିବାସୀ ପୁଅଙ୍କ କମାଲ, ଏବେ ଡିଜିଟାଲ ସ୍କ୍ରିନରେ ସାନ୍ତାଳୀ ଭାଷା (ETV Bharat Odisha)
  • ଏବେ ଇଣ୍ଟରନେଟରେ ସାନ୍ତାଳୀ ଲିପି ‘ଅଲଚିକ୍‌’

ନିଜର ଦୃଢ଼ ଇଚ୍ଛା ଶକ୍ତି ଓ ସାଧନା ବଳରେ ନିପଟ ମଫସଲର ଆଦିବାସୀ ଯୁବକ ରାମଜିତ ଟୁଡୁ ଆଜି ସାରା ଦେଶରେ ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ନିଜ ମାତୃଭାଷା ପ୍ରତି ରାମଜିତଙ୍କ ଭଲ ପାଇବା ହିଁ ସାନ୍ତାଳୀ ଭାଷା ଡିଜିଟାଲାଇଜେସନର ପ୍ରତିଫଳନ । ଏ ପ୍ରୟାସ ସହଜ ନଥିଲା ବରଂ ଦୀର୍ଘ ବର୍ଷର ସଂଘର୍ଷ ପରେ ଏବେ ‘ଅଲଚିକି’ ଲିପି ତଥା ସାନ୍ତାଳୀ ଭାଷା ଇଣ୍ଟରନେଟରେ ସ୍ଥାନ ପାଇଛି । ଫଳରେ ଏବେ ଆଦିବାସୀ ତଥା ସାନ୍ତାଳୀ ସମ୍ପ୍ରଦାୟର ନୂଆ ପିଢ଼ି ଘରେ ରହି ‘ଅଲଚିକି’ ଲିପି ଓ ସାନ୍ତାଳୀ ଭାଷା ବିଷୟରେ ଅବଗତ ହୋଇପାରିବେ । ସାନ୍ତାଳୀ ଭାଷାରେ ଲେଖିବା ଓ ପଢିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି । ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ଏହି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ରାମଜିତ ଟୁଡୁଙ୍କ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ । ନିଶ୍ଚିତ ଭାବେ ଆଗାମୀ ପିଢ଼ି ରାମଜିତଙ୍କଠାରୁ ପ୍ରେରଣା ପାଇବେ ବୋଲି କହିଛନ୍ତି ଗ୍ରାମବାସୀ ।

ଏବେ ଡିଜିଟାଲ ସ୍କ୍ରିନରେ ସାନ୍ତାଳୀ ଭାଷା (ETV Bharat Odisha)
  • ୨୦୧୪ରୁ ଆରମ୍ଭ କରିଥିଲେ ଗବେଷଣା

ତୁଳସୀ ଦୁଇପତ୍ରରୁ ବାସିଲା ପରି ପିଲାଦିନରୁ ରାମଜିତ ମଧ୍ୟ ବେଶ ପରିଶ୍ରମୀ ଓ ପ୍ରତିଭାଶାଳୀ ଥିଲେ । କିପରି ମୋବାଇଲ ମାଧ୍ୟମରେ ଲୋକେ ଜାଣିପାରିବେ ଓ ସାନ୍ତାଳୀ ଭାଷା କିପରି ମୋବାଇଲ ମାଧ୍ୟମରେ ଉପଲବ୍ଧ ହେବ ସେ ସମ୍ପର୍କରେ ଗବେଷଣା ଆରମ୍ଭ କରିଥିଲେ ରାମଜିତ । ବହୁ ସଂଘର୍ଷ ପରେ ସଫଳତା ମିଳିଥିଲା । ବହୁ ରିସର୍ଚ୍ଚ ପରେ ସହଯୋଗୀ ଅଶ୍ବିନୀ ମୁର୍ମୁ ଓ ବାପି ମୁର୍ମୁଙ୍କ ସହିତ ‘ଅଲଚିକି ଟେକ୍’ ନାମକ ଏକ ଓ୍ବେବ-ସାଇଟ୍‌ ଗଠନ କରି ସାନ୍ତାଳୀ ଭାଷାକୁ ଡିଜିଟାଲାଇଜେସନ୍‌ କରିବାରେ ସଫଳ ହୋଇଥିଲେ ରାମଜିତ । ଏବେ ସାରା ଭାରତ ସମେତ ବିଦେଶରେ ମଧ୍ୟ ଥିବା ସାନ୍ତାଳୀ ଛାତ୍ରଛାତ୍ରୀ ସାନ୍ତାଳୀ ଭାଷା ସହଜରେ ଶିକ୍ଷା ଲାଭ କରିପାରିବେ ଏବଂ ତାଙ୍କଠାରୁ ପ୍ରେରଣା ମଧ୍ୟ ପାଇବେ ବୋଲି କହିଛନ୍ତି ରାମଜିତଙ୍କ ଗାଁ ଓ ସାହି ଲୋକେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ପ୍ରଶଂସିତ ହେବା ପରେ ରାମଜିତ ଟୁଡୁଙ୍କ ପରିବାର ଓ ଗାଁ ଲୋକେ ବେଶ୍ ଖୁସି ଓ ଉତ୍ସାହିତ ଥିବା କହିଛନ୍ତି ।

  • ଇଣ୍ଟରନେଟରେ ନିଜ ଭାଷା ନଥିବା ବ୍ୟଥିତ କରିଥିଲା:-

ନିଜ ଭାଷା ଓ ଲିପି ଥାଇ ମଧ୍ୟ ଇଣ୍ଟରନେଟରେ ବ୍ୟବହାର କରି ପାରୁନଥିବା ବ୍ୟଥିତ କରିଥିଲା ରାମଜିତଙ୍କୁ । ଯାହା ଫଳରେ ଇଣ୍ଟରନେଟରେ କିଭଳି ସାନ୍ତାଳୀ ଭାଷାକୁ ବ୍ୟବହାର କରିହେବ ସେନେଇ ରିସର୍ଚ୍ଚ ଆରମ୍ଭ କରି ପରେ ସଫଳ ହୋଇଥିଲେ ରାମଜିତ । ଏଥି ସହିତ "ବିର ମାଲି" (ବଣ ମଲ୍ଲୀ) ନାମକ ଏକ ୱେବ-ସାଇଟ୍‌ ମଧ୍ୟ ଖୋଲିଛନ୍ତି । ନିଜ ମାତୃଭାଷାକୁ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିବା ପ୍ରତ୍ୟକଙ୍କ କର୍ତ୍ତବ୍ୟ ବୋଲି କହିବା ସହିତ ମୋଦିଙ୍କ ପ୍ରଶଂସାର ପାତ୍ର ହୋଇ ଅତି ଖୁସି ଓ ଉତ୍ସାହିତ ଅଛନ୍ତି ରାମଜିତ । ଦୀର୍ଘ ବର୍ଷର ସଂଘର୍ଷ ପରେ ରାମଜିତ ନିଜ ମାତୃଭାଷା ସାନ୍ତାଳୀ ଭାଷାର ଡିଜିଟାଲାଇଜେସନ କରି ପାରିଛନ୍ତି, ଯାହାକି ଏହି ଡିଜିଟାଲ ଯୁଗରେ ଆଗାମୀ ସାନ୍ତାଳୀ ପିଢ଼ି ପାଇଁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ଯୋଗେଇବ ।

ଏହା ମଧ୍ୟ ପଢନ୍ତୁ :- ବଡ଼ ଅପଡେଟ ଦେଲା IMD: ୨୩ରେ ବାତ୍ୟା, ୨୪ରେ ଲ୍ୟାଣ୍ଡଫଲ୍‌ !

ଏହା ମଧ୍ୟ ପଢନ୍ତୁ ; ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଦେଇ ଚର୍ଚ୍ଚାରେ ମୟୂରଭଞ୍ଜର ରାମଜିତ ଟୁଡୁ, 'ମନ କି ବାତ'ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ - Ramjeet Promoting Santhali Language

ଏହା ମଧ୍ୟ ପଢନ୍ତୁ : ‘ମନ କି ବାତ’ରେ ମୟୂରଭଞ୍ଜ ଯୁବକ, ସାନ୍ତାଳୀ ଭାଷାକୁ ଦେଇଛନ୍ତି ଡିଜିଟାଲ ପରିଚୟ - PM MANN KI BAAT

ପ୍ରଶଂସା କଲା ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ :-

ରାଇରଙ୍ଗପୁର ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ ତରଫରୁ ରାମଜିତ ଟୁଡୁଙ୍କୁ ପ୍ରଶଂସା କରାଯାଇଛି । ବର୍ତ୍ତମାନର ସମୟରେ ରାମଜିତଙ୍କ ଏପରି କାର୍ଯ୍ୟ ବେଶ ପ୍ରଶଂସନୀୟ ବୋଲି କହିଛି ସଂଘ । ଏହି କାର୍ଯ୍ୟ ପାଇଁ ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ରାମଜିତ ଚିର ସ୍ମରଣୀୟ ହୋଇ ରହିବେ ବୋଲି ସଂଘ କହିଛି ।


ଇଟିଭି ଭାରତ, ମୟୂରଭଞ୍ଜ

Last Updated : 11 hours ago

ABOUT THE AUTHOR

...view details