ରାଇରଙ୍ଗପୁର (ମୟୂରଭଞ୍ଜ) : ରାଇସିନା ହିଲରୁ ରାଇରଙ୍ଗପୁରକୁ ଆସିଛି ଚିଠି । ୨୦୨୫ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଭବନରେ ହେବେ ଅତିଥି । ଡାକରେ ଚିଠିଟି ପହଞ୍ଚିବା ପରେ, ଭାବ ବିହ୍ବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ । କିଏ ଏହି ମହିଳା ? କାହିଁକି ରାଷ୍ଟ୍ରପତି ଭବନରୁ ଆସିଛି ଡାକରା ? ଆସନ୍ତୁ ଜାଣିବା ।
ରାଇରଙ୍ଗପୁର ମହିଳାଙ୍କୁ ଆସିଛି ଦିଲ୍ଲୀ ଡାକରା । ମନ୍ଦିର ସାମ୍ନାରେ ଭୋଗ ବିକ୍ରି କରି ପରିବାର ଚଳାଉଥିବା ମହିଳା ଯିବେ ରାଷ୍ଟ୍ରପତି ଭବନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 147 ଦିନରେ ଘର ନିର୍ମାଣ କରି ରେକର୍ଡ କରିଛନ୍ତି । ଆଉ ସେଇଥିପାଇଁ ସାଧାରଣତନ୍ତ୍ର ଦିବସରେ ସାମିଲ ହେବାକୁ ତାଙ୍କୁ ନିମନ୍ତ୍ରଣ କରିଛି ରାଷ୍ଟ୍ରପତି ଭବନ । ମହିଳା ପିଏମ ଆବାସ ହିତାଧିକାରୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୦ ଅଁଳାଡୁବା ଗ୍ରାମର କିରଣ ଡଗରା ।
AWAS BENEFICIARY KIRAN DAGARA (ETV BHARAT ODISHA) ରାଷ୍ଟ୍ରପତି ଭବନ ଯିବେ ଆବାସ ହିତାଧିକାରୀ:
ପିଏମ ଆବାସ ହିତାଧିକାରୀ ଭାବେ କିରଣ ଡଗରାଙ୍କୁ ସାଧାରଣତନ୍ତ୍ର ଦିବସରେ ସାମିଲ ହେବାକୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପତ୍ର ଆସିଛି । ରାଇରଙ୍ଗପୁର ଡାକ ଘରୁ ତିନି ଜଣ କର୍ମଚାରୀ ରାଷ୍ଟ୍ରପତି ଭବନରୁ ଆସିଥିବା ନିମନ୍ତ୍ରଣ ପତ୍ରକୁ କିରଣ ଡଗରାଙ୍କୁ ପ୍ରଦାନ କରିଛନ୍ତି । ନିମନ୍ତ୍ରଣ କାର୍ଡ ପାଇବା ପରେ କିରଣ ଓ ତାଙ୍କ ପରିବାରର ଖୁସି କହିଲେ ନସରେ । କିରଣ ଡଗରା ଓ ତାଙ୍କ ସାନ ପୁଅ ପ୍ରକାଶ ଡଗରା ପ୍ରଥମ ଥର ପାଇଁ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟି କଥା ହେବାର ସୁଯୋଗ ପାଇବେ ।
AWAS BENEFICIARY KIRAN DAGARA (ETV BHARAT ODISHA) 'ରାଷ୍ଟ୍ରପତି ପଠାଇଛନ୍ତି ଚିଠି' :
କିରଣ ଡଗରାକହିଛନ୍ତି, ''ରାଷ୍ଟ୍ରପତି କାର୍ଡ ପଠାଇଛନ୍ତି ମୁଁ ଦିଲ୍ଲୀ ଯିବି । ପ୍ରଥମ ଥର ରାଷ୍ଟ୍ରପତିଙ୍କୁ ଭେଟି ବି, ମୋତେ ଖୁସି ଲାଗୁଛି । ମୋତେ ଘର ମିଳିଲା , ଏନଏସି ମ୍ୟୁନିସିପାଲିଟି ଅଫିସରୁ ପଟ୍ଟା ମିଳିଛି । ଭୋଗ ବିକ୍ରି କରି ସଞ୍ଜୟ କରିଥିବା ଟଙ୍କା ଓ ଆବାସ ଯୋଜନାରେ ମିଳିଥିବା ଟଙ୍କାରେ ଘର କରିଛି । ମୋ ପୁଅ ସହ ମୁଁ ଦିଲ୍ଲୀ ଯିବି । ରାଷ୍ଟ୍ରପତି ମୋତେ ଯାହା ପଚାରିବେ ମୁଁ ତାହା କହିବି । ନିମନ୍ତ୍ରଣ ଆସିଥିବାରୁ ମୋର ପରିବାର ବହୁତ ଖୁସି । ''
ଏହା ମଧ୍ୟ ପଢନ୍ତୁ-ଗଣତନ୍ତ୍ର ପରେଡରେ ହେବେ ସାମିଲ ହେବେ ଲକ୍ଷପତି ଦିଦି ରେଶମା, ଦିଲ୍ଲୀରୁ ଆସିଛି ଡାକରା - LAKHPATI DIDI RESHMA BEGAM
ଲାଖ ଦେଇଛି ରୋଜଗାର, ମହିଳାଙ୍କ ହାତରେ ଜୀବନ୍ତ ହେଉଛି ଚୁଡ଼ି
ସବାଇଘାସରୁ ଘରକରଣା ସାମଗ୍ରୀ: ମହିଳାଙ୍କୁ କରୁଛନ୍ତି ସ୍ବାବଲମ୍ବୀ, ରୋଜଗାର ବାଟ ଦେଖାଉଛନ୍ତି
ଅଭାବ ଅନଟନ ମଧ୍ୟରେ କମ ଦିନରେ ଆବାସ ନିର୍ମାଣ :
AWAS BENEFICIARY KIRAN DAGARA (ETV BHARAT ODISHA) ଘରଟିଏ କରିବାକୁ କିରଣ ଡଗରା ବେଶ ସଂଘର୍ଷ କରିଛନ୍ତି । 18 ବର୍ଷ ତଳେ ସେ ସ୍ବାମୀଙ୍କ ହରାଇଥିବା ବେଳେ ଗତ 6 ମାସ ହେବ ବଡ ପୁଅ ବିକାଶ ଡଗରାଙ୍କ ମୃତ୍ୟୁ ହୋଇଥିଲା । ୧୩ ବର୍ଷ ପୂର୍ବରୁ ଝିଅର ବାହାଘର କରିଥିଲେ ସେ । ଏବେ ପରିବାରରେ ତାଙ୍କର 2 ବୋହୂ, ସାନ ପୁଅ ପ୍ରକାଶ ଓ ନାତି ନାତଣୀ । ରାଇରଙ୍ଗପୁରର ମନ୍ଦିର ଓ ମଠ ସାମ୍ନାରେ ଭୋଗ ସାମଗ୍ରୀ ବିକ୍ରି କରି ପରିବାର ଚଳାନ୍ତି । ଅଁଳାଡୁବା ମଠ ସାହିରେ ଭଙ୍ଗା ଦଦରା ଘର ରହୁଥିବା ବେଳେ ସରକାରଙ୍କ ତରଫରୁ ତାଙ୍କୁ ଜମି ପଟ୍ଟା ପ୍ରଦାନ କରା ଯାଇଥିଲା। ପରେ ରାଇରଙ୍ଗପୁର ପୌରପାଳିକା ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡିଏ ମିଳିଥିଲା । ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରିବା ସହ କିରଣ ଡଗରା ଆବାସ ଯୋଜନାରେ ଘର ପାଇବାର ତିନି ମାସ ମଧ୍ୟରେ ଆବାସ ଘରକୁ ସମ୍ପୂର୍ଣ୍ଣ କରି ପାରିଥିଲେ । ଏନେଇ ତାଙ୍କୁ ସରକାରଙ୍କ ପକ୍ଷରୁ 10 ହଜାର ଟଙ୍କାର ବୋନସ ମଧ୍ୟ ପ୍ରଦାନ କରା ଯାଇଥିଲା । 2023 ଡିସେମ୍ବର 28 ତାରିଖରେ ଆବାସ ଯୋଜନାରେ ଟଙ୍କା ଆସିବା ପରେ ସେ ଘର ନିର୍ମାଣ କାମ ଆରମ୍ଭ କରିଥିଲେ । 147 ଦିନ ମଧ୍ୟରେ ମେ 13 2024ରେ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ସତ୍ତ୍ୱେ ବହୁ ଅଳ୍ପ ସମୟରେ ଘର ନିର୍ମାଣ ଶେଷ କରିଥିବା ହେତୁ ସେ ରାଷ୍ଟ୍ରପତିଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। ସାରା ଓଡ଼ିଶାରୁ ଜଣେ ମାତ୍ର ଆବାସ ହିତାଧିକାରୀଙ୍କୁ ଦିଲ୍ଲୀ ଯିବାକୁ ଚୟନ ହୋଇଛି।
AWAS BENEFICIARY KIRAN DAGARA (ETV BHARAT ODISHA) ରାଇରଙ୍ଗପୁର ପୌରପାଳିକା ସିଏଲଟିସି ଶେଷଦେବ ପୋଲେଇ କହିଛନ୍ତି, ''ସାଧାରଣ ଦିବସରେ ସାମିଲ ହେବାକୁ ଆବାସ ଯୋଜନା ହିତାଧିକାରୀ କିରଣ ଡଗରାଙ୍କୁ ନିମନ୍ତ୍ରଣ ଆସିଛି । ଏହା ଆମମାନଙ୍କ ପାଇଁ ବହୁତ ଖୁସିର କଥା । ଆବାସ ଯୋଜନାରେ ଘର ପାଇବା ପରେ ଖୁବ କମ ସମୟରେ ସେ ଘର ନିର୍ମାଣ କରିଥିଲେ । ଏଥିପାଇଁ ତାଙ୍କୁ 10 ହଜାର ବୋନସ ମଧ୍ୟ ମିଳିଥିଲା । ଏଥିରେ ରାଷ୍ଟ୍ରପତି ଖୁସି ହୋଇ ତାଙ୍କୁ ସାଧାରଣତନ୍ତ୍ର ଦିବସ ପାଇଁ ନିମନ୍ତ୍ରଣ କରିଛନ୍ତି । ''
AWAS BENEFICIARY KIRAN DAGARA (ETV BHARAT ODISHA) ଇଟିଭି ଭାରତ, ରାଇରଙ୍ଗପୁର