ଓଡିଶା

odisha

ETV Bharat / state

ଦୁଷ୍କର୍ମ ପରେ ନାବାଳିକାକୁ ପୋଡି ମାରିଦେଇଥିଲେ, 3 ଜଣଙ୍କୁ ଆଜୀବନ କାରାଦଣ୍ଡ - MAYURBHANJ MINOR RAPE CASE

ଦୁଷ୍କର୍ମ ପରେ ନାବାଳିକାକୁ ପୋଡି ମାରିଦେଇଥିଲେ । 3 ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ।

Mayurbhanj Court
Mayurbhanj Court (ETV Bharat Odisha)

By ETV Bharat Odisha Team

Published : Nov 25, 2024, 10:34 PM IST

ରାଇରଙ୍ଗପୁର: ଆଜି ମୟୂରଭଞ୍ଜ ଜିଲ୍ଲାର ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ କରି ପୋଡ଼ି ମାରିଦେବା ମାମଲାର ରାୟ ପ୍ରକାଶ ପାଇଛି । 3 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ଏହା ସହିତ ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୩ବର୍ଷ ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ।

3 ଦୋଷୀ ହେଲେ..

ଆସାମୀ ମାନେ ହେଲା ବାଲେଶ୍ଵର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ କାକୁଡିଆ ଗ୍ରାମର ଚକ୍ରଧର ନାୟକ(୫୧) ଓ ଅନିମା ବଳ(୪୭) ଏବଂ କେନ୍ଦୁଝର ଜିଲ୍ଲାର ସୋସୋ ଥାନା ଅନ୍ତର୍ଗତ ବରିଗାଁ ଗ୍ରାମର ଚିନ୍ତାମଣି ବିଶ୍ବାଳ(୭୫) ।

କଣ ଥିଲା ପୂରା ଘଟଣା:

ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅଞ୍ଚଳରେ ରହୁଥିବା ଚକ୍ରଧର ନାୟକ ଭିଏଲଡବ୍ଲୁ ଭାବେ ଓ ଅନିମା ବଳ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସ୍କୁଲରେ ଜୈନିକା ନାବାଳିକା ଜଣକ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲା । ନାବାଳିକା ଜଣକକୁ ପାଠ ପଠାଇବେ ବୋଲି କହି ଗତ ୨୬/୦୪/୨୦୧୭ରେ ଘରକୁ ଆଣିଥିଲେ । ଏହି ସମୟରେ ତାଙ୍କ ଘରେ ରହୁଥିବା ସମ୍ପର୍କୀୟ ଚିନ୍ତାମଣି ବିଶ୍ବାଳ ସୁଯୋଗ ପାଇ ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ତେବେ ଦୁଷ୍କର୍ମ ଘଟଣା ବାବଦରେ ଚକ୍ରଧର ନାୟକ ଓ ଅନିମା ବଳ ଜାଣିବା ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ । ଘରେ ନାବାଳିକାକୁ ରଖି ନିଆଁ ଲଗାଇ ଦେଇଥିଲେ । ଫଳରେ ନିଆଁରେ ପୋଡି ହୋଇ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଆସିଲା ରାୟ, ଅଭିଯୁକ୍ତକୁ 20 ବର୍ଷ ଜେଲ୍‌

ଜୁନାଗଡ ଗଣଦୁଷ୍କର୍ମ ମାମଲା ରାୟ : ୬ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ମୟୂରଭଞ୍ଜରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, SCBରେ ପୀଡିତା

ଥାନାରେ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର:

ଏନେଇ ପରିବାର ଲୋକଙ୍କ ସନ୍ଦେହ ହେବାରୁ ଗତ ୨୯-୦୪-୨୦୧୭ରେ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ୩ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମସ୍ତ ସାକ୍ଷୀଙ୍କ ବୟାନ, ନଥିପତ୍ର ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଆଜି(ସୋମବାର) ବିଚାରପତି ସନ୍ତୋଷ କୁମାର ନାୟକ ରାୟ ପ୍ରକାଶ କରିଛନ୍ତି । ଏଥି ସହିତ ପୀଡିତା ନାବାଳିକା ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ ।

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ସେହିପରି ଗତକାଲି(ସୋମବାର) ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ପ୍ରତିମା ପାତ୍ର ଉକ୍ତ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏଥି ସହିତ ୫୦ ହଜାର ଟଙ୍କାର ଜୋରିମାନା ଅନାଦେୟ ୧ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତତ୍ ସହିତ ପୀଡିତାଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୀଡିତାଙ୍କ ବୟାନ ସହ ସମସ୍ତ ୧୭ ଜଣ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ, ମେଡିକାଲ ରିପୋର୍ଟ ଓ ପାରିପାର୍ଶ୍ବିକ ସ୍ଥିତିକୁ ଭିତ୍ତି କରି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଉପରୋକ୍ତ ରାୟ ଶୁଣାଣିଛନ୍ତି । ଉକ୍ତ ମାମଲାର ରାୟ ପ୍ରକାଶ ପାଇବା ପରେ ଦୋଷୀକୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି । ତେବେ ଦୋଷୀ ଜଣକ ହେଲେ ନୂଆଦିଲ୍ଲୀ ସଙ୍ଗମ ବିହାର ଅଞ୍ଚଳର ସୁରେନ୍ଦ୍ର ନାଗର ଓରଫ ସୁରେନ୍ଦ୍ର ସିଂ ରାଜପୁତ (୩୨) । ଉକ୍ତ ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପୋକ୍ସୋ କୋର୍ଟର ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।

ତେବେ ଘଟଣାଟି ଥିଲା ୨୦୨୦ ମସିହା ଅକ୍ଟୋବର ମାସ ୦୯ ତାରିଖର । ନୂଆଦିଲ୍ଲୀ ସଙ୍ଗମ ବିହାର ଅଞ୍ଚଳର ସୁରେନ୍ଦ୍ର ନାଗର ଓରଫ ସୁରେନ୍ଦ୍ର ସିଂ ରାଜପୁତ ରାଇରଙ୍ଗପୁର ଟାଉନ ଥାନା ଅଧିନସ୍ଥ ଅଞ୍ଚଳରେ ରହି କାମ କରୁଥିଲେ। ରାଇରଙ୍ଗପୁର ଟାଉନ ଥାନା ଅଧିନସ୍ଥ ଏକ ୱାର୍ଡରେ ସେହି ଦିନ ଦ୍ବିପହର ସମୟରେ ନାବାଳିକା ଜଣକୁ ମୋବାଇଲ ଚାର୍ଜ କରେଇବାକୁ କହି ଘର ଭିତରେ ଜୋରଜବରଦସ୍ତ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏଥି ସହିତ କାହାକୁ ଏବିଷୟରେ କହିଲେ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା ଦୋଷୀ । ପୀଡିତା ନାବାଳିକା ଜଣକ ଘରକୁ ଆସି ଘଟଣା ବିଷୟରେ ନିଜ ମାଆଙ୍କୁ ଅବଗତ କରାଇଥିଲେ ।

ସେହିଦିନ ପୀଡିତାର ମାଆ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ପୀଡିତାର ବୟାନ ରେକର୍ଡ କରିଥିଲେ । ପରେ ଘଟଣାର ଅଭିଯୁକ୍ତ ସୁରେନ୍ଦ୍ର ନାଗରକୁ ଗିରଫ କରି ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରିଥିଲା ରାଇରଙ୍ଗପୁର ଟାଉନ ଥାନା ପୋଲିସ । ଏହି ମାମଲାର ରାୟ ଗତକାଲି ପ୍ରକାଶ ପାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details