କେନ୍ଦ୍ରାପଡା: ପ୍ରଶାସନ ସହ ଜାଲିଆତି ପଡିଲା ମହଙ୍ଗା । ଏକାଥରେ ୬୫ ଜଣଙ୍କ ନାଁରେ ଥାନାରେ ଏତଲା ଦିଆଯିବା ପରେ ଏବେ ବୟସ ବଢ଼ାଇ ଭତ୍ତା ହାତେଇଥିବା ବ୍ୟକ୍ତିଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ।
ଭତ୍ତା ଦୁର୍ନୀତି ଘଟଣା କଣ ଓ କିଏ କରିଥିଲା ଅଭିଯୋଗ:
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅର୍ଗଳ ପଞ୍ଚାୟତରେ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ପାଉଥିବା ହିତାଧିକାରୀଙ୍କ ମଧ୍ୟରୁ ଅନେକ ହିତାଧିକାରୀ ଭୋଟର ପରିଚୟପତ୍ର ଓ ଆଧାର କାର୍ଡ ଜାଲିଆତି କରି ଭତ୍ତା ହାତେଇବା ଘଟଣା ସାମ୍ନାକୁ ଆସିଥିଲା । ଏହି ଜାଲ ଦସ୍ତାବିଜରେ ୨୦୦ରୁ ଊର୍ଦ୍ଧ୍ବ ଲୋକେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ଲାଭବାନ ହେଉଥିବା ନେଇ କେନ୍ଦ୍ରାପଡା ଜିଲ୍ଲା ବିଜେପି ଉପ ସଭାପତି ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଅଭିଯୋଗ କରିଥିଲେ ।
ସେ କହିଥିଲେ,"ବଡ଼ ଦୁଃଖର ବିଷୟ ୨୪୩ଜଣ ଅଯୋଗ୍ୟ ହିତାଧିକାରୀ ଭତ୍ତା ହାତେଇଛନ୍ତି । ସେତେବେଳେ ମୁଁ ମଧ୍ୟ ତାଙ୍କର ବୟସ ଓ ଅନ୍ୟାନ୍ୟ କାଗଜପତ୍ର ବାହାର କରି ୬୫ ଜଣଙ୍କ ଲିଷ୍ଟ ଅନ୍ୟାନ୍ୟ ମାଧ୍ୟମରେ ମଧ୍ୟ ଜଣାଇଛି । ୬୫ଜଣଙ୍କ ଲିଷ୍ଟ ବାହାର କରି ତଦାରଖ କରିବାକୁ ପ୍ରଶାସନ ନିକଟରେ ଅନୁରୋଧ କରିଛି । ସର୍ବନିମ୍ନ ୨୦୦ରୁ ଊର୍ଦ୍ଧ୍ବ ଲୋକ ବାହାରିବେ ବୋଲି କହିଥିବା ବେଳେ ଏପର୍ଯ୍ୟନ୍ତ ୪ ମାସ ମଧ୍ୟରେ ଏଯାବତ ସେମାନେ କିଛି କରୁନାହାନ୍ତି ଯାହା ବଡ଼ ଦୁଃଖର ବିଷୟ । ଯଦି ଏହାକୁ ଅଣଦେଖା କରାଯାଏ ତେବେ ଭାରତୀୟ ଜନତା ପାର୍ଟି ତାଙ୍କ ପ୍ରତି ଷ୍ଟେପ୍ ନେବ।"
ବିଜେପିର ଅଭିଯୋଗ ପରେ ବିଜେଡିର ପାଲଟା ଜବାବ:
ଭତ୍ତା ଜାଲିଆତି ନେଇ ବିଜେପି ପକ୍ଷରୁ ଅଭିଯୋଗ ଆସିବା ପରେ ଏହାର ଦୃଢ଼ ଜବାବ ରଖିଥିଲା ବିଜେଡି । ବିଜେଡି ଆଳି ବ୍ଲକ ସଭାପତି ସନାତନ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,"ଆଳି ବ୍ଲକରେ ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ଯ ଭତ୍ତା ନୁହେଁ, ସରକାରୀ ନିୟମ ମୁତାବକ ଯିଏ ପାଇବା ଯୋଗ୍ୟ ସେମାନେ ଭତ୍ତା ପାଉଛନ୍ତି । ନିଜକୁ ବିଜେପି ନେତା ବୋଲାଉଥିବା ବ୍ୟକ୍ତି ବିଶେଷ କୌଣସି ଉପଯୁକ୍ତ ଅନୁସନ୍ଧାନ ନ କରି ବୃଥା ଲୋକପ୍ରିୟତା ହାସଲ କରିବା ନିମନ୍ତେ ଏଭଳି ବୃଥା ଅଭିଯୋଗ କରି ଶସ୍ତା ଲୋକପ୍ରିୟତା ନିମନ୍ତେ ଯେଉଁ ଉଦ୍ୟମ କରିଛନ୍ତି ଆମେ ତାର ଦୃଢ ପ୍ରତିବାଦ କରୁଛୁ ।’
ସେ ଆହୁରି କହିଛନ୍ତି, ‘ସରକାରୀ ନିୟମ ମୁତାବକ ଭୋଟର ଲିଷ୍ଟ ପ୍ରସ୍ତୁତି, ଉପଯୁକ୍ତ କମିଟି ଦ୍ବାରା ଭତ୍ତା ହିତାଧିକାରୀ ମନୋନୟନ କରାଯାଇ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ ପରେ ଭତ୍ତା ପ୍ରଦାନ କରାଯାଇଥାଏ । ତେଣୁ ଆଳି ବ୍ଲକରେ ସରକାରୀ ନିୟମ ମୁତାବକ ଭତ୍ତା ଦିଆଯାଉଛି । କୌଣସି ନିର୍ଦ୍ଦିଷ୍ଟ ଅନିୟମିତତାର ଅଭିଯୋଗ ଆସିଲେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ଶସ୍ତା ଲୋକପ୍ରିୟତାର ହାସଲ କରିବା ପାଇଁ ଏଭଳି ହୀନ ଉଦ୍ୟମରୁ ନିବୃତ୍ତ ହୁଅନ୍ତୁ, ସାଧାରଣ ଜନତା ଏହାର ଉପଯୁକ୍ତ ଜବାବ ଦେବେ।’
ଭତ୍ତା ଦୁର୍ନୀତିର ଯାଞ୍ଚ ପାଇଁ ଗାଁରେ ପଡିଥିଲା ମେଡ଼ିକାଲ କ୍ୟାମ୍ପ:
ଆଳି ବ୍ଲକ ଅର୍ଗଳ ପଞ୍ଚାୟତରେ ଶତାଧିକ ଭେଣ୍ଡିଆ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ହାତେଇବା ନେଇ ବିଜେପି ପକ୍ଷରୁ ଅଭିଯୋଗ ଆସିବା ପରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଳି ବିଡ଼ିଓ ମିନତୀ ଜଗଦେଵ ଘଟଣାର ତଦନ୍ତ କରିବା ପାଇଁ ଅର୍ଗଳ ପଞ୍ଚାୟତରେ ମେଡିକାଲ କ୍ୟାମ୍ପ ବସାଇ ସମସ୍ତ ଭତ୍ତା ହିତାଧିକାରୀଙ୍କ ସ୍ଵାସ୍ଥ୍ୟବସ୍ଥା ଚଳିତ ମାସ ୯ ତାରିଖରେ ଯାଞ୍ଚ କରିଥିଲେ ।