ଓଡିଶା

odisha

ଛୁଟି ଦିନରେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼, ଅବ୍ୟବସ୍ଥାକୁ ନେଇ ଭକ୍ତ ଅସନ୍ତୋଷ - Crowd In Puri Shreemandir

By ETV Bharat Odisha Team

Published : Aug 25, 2024, 8:59 PM IST

Crowd In Puri Shreemandir: ପୁରୀ ଜଗନ୍ନାଥ ମନ୍ଦିରକୁ ଛୁଟୁଛି ଭକ୍ତଙ୍କ ସୁଅ। ଛୁଟିଦିନ ସାଙ୍ଗକୁ ଜନ୍ମାଷ୍ଟମୀ ଥିବାରୁ ବହୁ ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି । ହେଲେ ପ୍ରବଳ ଭିଡ଼ କାରଣରୁ ଦର୍ଶନ ନକରି ନିରାଶ ହୋଇ ଫେରିବାକୁ ପଡୁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Crowd In Puri Shreemandir
Crowd In Puri Shreemandir (ETV Bharat Odisha)

ପୁରୀ:ଛୁଟି ଦିନରେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବା ଅଭିଯୋଗ ଆଣିଲେ ଭକ୍ତ । ଲଗାତାର ଛୁଟି ଦିନ ରହିଛି । ଶନିବାର, ରବିବାର ପରେ ସୋମବାର ଦିନ ଜନ୍ମାଷ୍ଟମୀ ଥିବାରୁ ଅଧିକ ଭିଡ଼ ରହୁଛି ଶ୍ରୀମନ୍ଦିର । ଫଳରେ ମହାପ୍ରଭୁଙ୍କୁ ଦର୍ଶନ କରିବା ମୁସ୍କିଲ ହୋଇପଡୁଛି ।

Crowd In Puri Shreemandir (ETV Bharat Odisha)

ମହାପ୍ରଭୁଙ୍କ ଦର୍ଶନ ନପାଇ ଫେରୁଛନ୍ତି ଭକ୍ତ:

ବିଶେଷ କରି ରବିବାର ଶ୍ରୀମନ୍ଦିର ପ୍ରବଳ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି । ଭିଡ଼ ନିୟନ୍ତ୍ରଣ ପାଇଁ ସମୟ ଅନ୍ତରାଳରେ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡା ଯାଉଛି । ଶ୍ରୀମନ୍ଦିର ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯାଇଥିବାବେଳେ ମନ୍ଦିର ଭିତରେ ପ୍ରବଳ ଠେଲାପେଲା ଯୋଗୁ ଭକ୍ତ ନାକେଦମ ହେଉଥିବା ଅଭିଯୋଗ ହେଉଛି । ଫଳରେ ଦର୍ଶନ ନପାଇ ଶେଷରେ ଭକ୍ତ ନିରାଶ ହେଉଛନ୍ତି । ବହୁ ଦୂରରୁ ଆସିଥିବା ଭକ୍ତମାନେ ଦର୍ଶନ ପାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ କରି ଶ୍ରୀମନ୍ଦିର ସାତ ପାହାଚଠାରୁ ଜୟ ବିଜୟ ଦ୍ଵାର ଯାଏଁ କୌଣସି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନାହିଁ । ଏଣୁ ଛୋଟ ପିଲା, ମହିଳା, ବୃଦ୍ଧ ଲୋକ ଯିବାକୁ ଡରୁଛନ୍ତି । ଯେଉଁମାନେ ଯାଉଛନ୍ତି ଅଣନିଶ୍ବାସୀ ହୋଇ ଅସୁସ୍ଥ ହୋଇପଡୁଛନ୍ତି । ଏହାକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ଦଳା ଚକଟା ଭଳି ଅଘଟଣ ହେବାର ଆଶଙ୍କା ଥିବା ଭକ୍ତ କହିଛନ୍ତିନ ।

ସରକାରଙ୍କୁ ଭକ୍ତଙ୍କ ଅନୁରୋଧ:
ଗଞ୍ଜାମ ସୋରଡାରୁ ଆସିଥିବା ଜଣେ ଭକ୍ତ ଉତ୍ତମ କୁମାର ପ୍ରଧାନ କହିଛନ୍ତି, "ମୁଁ ସରକାରଙ୍କୁ ଅନୁରୋଧ କରିବା ପାଇଁ ଚାହୁଁଛି ଯେ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିଲେ, ଭଲ କଲେ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କ ପାଇଁ ନା ଲାଇନ ଅଛି ନା ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ବ୍ୟବସ୍ଥା ରହିଛି। ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରନ୍ତୁ ସରକାର । ଭିତରେ ଦର୍ଶନବେଳେ ଦଳା ଚକଟା ସ୍ଥିତି ରହୁଛି । ରାଜ୍ୟ ବାହାରୁ ଅନେକ ଭକ୍ତ ଆସୁଥିବାବେଳେ ସେମାନେ ଭଲରେ ଦର୍ଶନ ଲାଭ କରିପାରୁନାହାନ୍ତି ।"

'ଦିବ୍ୟାଙ୍ଗଙ୍କ ପାଇଁ ହ୍ୱିଲ୍ ଚେୟାର ବ୍ୟବସ୍ଥା ହେଉ'
ଜଣେ ଦିବ୍ୟାଙ୍ଗ ଭକ୍ତ କହିଛନ୍ତି, "ଆଜି ବହୁତ ଭିଡ଼ ଥିଲା। ଭିଡ଼ ଭିତରେ ଦର୍ଶନ କରିବା ବେଶ କଷ୍ଟଦାୟକ ଥିଲା । ପ୍ରବଳ ଭିଡ଼କୁ ନେଇ ଭୟ ଲାଗିଥିଲେ ମଧ୍ୟ ମହାପ୍ରଭୁଙ୍କ କୃପାରୁ ଦର୍ଶନ କରିପାରିଲି । ତେବେ ଶ୍ରୀ ମନ୍ଦିରରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରାଜ୍ୟ ସରକାର କରିବା ଉଚିତ୍। ହ୍ୱିଲ ଚେୟାର ବ୍ୟବସ୍ଥା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହେବା ଦରକାର।"

ଏହା ବି ପଢନ୍ତୁ...ଧାର ଧାର ଝରି ପଡୁଥିଲା ଲୁହ; ପ୍ରବଳ ବର୍ଷାରେ ଦଣ୍ଡ ପ୍ରଣାମ କରି କାଳିଆ ପାଖକୁ ଗଲେ ମହିଳା ଭକ୍ତ - Dandavat Pranam at Srimandir

'ସେବାୟତ ଟଙ୍କା ନେଇ ଦର୍ଶନ କରାଉଛନ୍ତି'
ଛତିଶଗଡ଼ରୁ ଆସିଥିବା ଭକ୍ତ ନୌଦୀପ ଚନ୍ଦ୍ରକର କହିଛନ୍ତି, "ଭିତରେ ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା ହେଉଛି । ଭକ୍ତମାନେ ଠିକରେ ଦର୍ଶନ କରିପାରୁନାହାନ୍ତି। ଛୋଟ ପିଲା ଭିଡ଼ରେ ତଳେ ପଡିଯାଉଛନ୍ତି।" ସେହିପରି ଆଉ ଜଣେ ଭକ୍ତ ଫତୁରାମ ସେନ କହିଛନ୍ତି, "ମନ୍ଦିର ଭିତର ଦର୍ଶନ କରିବା ବେଶ କଷ୍ଟସାଧ୍ୟ। ପ୍ରବଳ ଠେଲାପେଲାରେ ଲୋକମାନେ ବେଶ ଅସୁବିଧା ଭୋଗୁଛନ୍ତି। କେତେକ ସେବାୟତ କିଛି ବ୍ୟକ୍ତିଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ଅନ୍ୟ ଦ୍ଵାର ପଟେ ଦର୍ଶନ କରାଉଛନ୍ତି। ତେବେ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଦରକାର। ଆମେ ଏତେ ଦୂରରୁ ଆସିଥିବାବେଳେ ଭଲରେ 5 ମିନିଟ ମଧ୍ଯ ଦର୍ଶନ କରିପାରିଲୁ ନାହିଁ।"

'ଛତିଶା ନିଯୋଗ ବୈଠକରେ ଉଠିବ ଭିଡ଼ ପ୍ରସଙ୍ଗ'
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରବି ଶଙ୍କର ପୂଜାପଣ୍ଡା କହିଛନ୍ତି, "ଜଗନ୍ନାଥ ମନ୍ଦିରର 4 ଦ୍ଵାର ଭକ୍ତଙ୍କ ପାଇଁ ଖୋଲାଯାଇଛି। ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ଆମେ ସରକାରଙ୍କୁ ଦାବି କରିଛୁ । ଆଗକୁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅଛି। ସେଠାରେ ଏହି ପ୍ରସଙ୍ଗ ଆଲୋଚନା ହେବ। ବୈଠକ ପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ଭକ୍ତମାନେ ଭଲରେ ମହାପ୍ରଭୁଙ୍କ ଦର୍ଶନ ନପାଇଲେ ଅସନ୍ତୋଷ ରହିବ। ଏଣୁ ଶହେ ପ୍ରତିଶତ ନହେଲେ ମଧ୍ୟ କିଭଳି ଭକ୍ତ ଶୃଙ୍ଖଳାରେ ଦର୍ଶନ କରିବେ ସେନେଇ ଉଦ୍ୟମ ହେବା ଉଚିତ୍। ତେବେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ଗେଟ୍ ଅଛି। ଦିବ୍ୟାଙ୍ଗ ଭକ୍ତ ସେହିପଟେ ପ୍ରବେଶ କରିପାରିବେ। ସେହି ରାସ୍ତାରେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଛଡ଼ା ଯିବାର ଅନୁମତି ନାହିଁ। ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ କାଠ ହ୍ଵିଲ ଚେୟାର ରହିଛି । ଦିବ୍ୟାଙ୍ଗମାନେ ସେଠାକୁ ଯାଇ ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ସୁବିଧା ନେଇପାରିବେ।"
ଇଟିଭି ଭାରତ,ପୁରୀ

ABOUT THE AUTHOR

...view details