ବଲାଙ୍ଗୀର: ବିବାହିତା ହୋଇ ମଧ୍ୟ ଅନ୍ୟ ପୁରୁଷର ପ୍ରେମରେ ଉବୁଟୁବୁ ହେଉଥିଲେ ମହିଳା । ଏହି ପରକୀୟା ପ୍ରୀତି ତାଙ୍କ ସୁନାର ସଂସାର ଭାଙ୍ଗିବା ସହ ବୋଳି ଦେଇଛି ବଦନାମୀର କାଳିମା । ବଲାଙ୍ଗୀର ଜିଲ୍ଲାରେ ରହୁଥିବା ମହିଳାଙ୍କୁ ପରକୀୟା ପ୍ରୀତି ପଡ଼ିଛି ମହଙ୍ଗା । ପ୍ରେମିକ ସହ ଫେରାର ମାରୁଥିବା ବେଳେ ମହିଳାଙ୍କୁ ଧରିଛନ୍ତି ଗ୍ରାମବାସୀ । ଉଭୟ ପ୍ରେମିକ ଓ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ଦିଆଯାଇଛି ନିର୍ଦ୍ଧୁମ ମାଡ଼ । ପରେ ସ୍ଥାନୀୟ ପୋଲିସ ଆସି ସେମାନଙ୍କୁ ଉଦ୍ଧାର କରିଛି ।
ସୂଚନା ଅନୁସାରେ, ଏହି ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ଅନ୍ତର୍ଗତ ଏକ ଗ୍ରାମରେ । ଏହି ଗ୍ରାମର ଜଣେ ବିବାହିତ ମହିଳା ତାଙ୍କ ସ୍ବାମୀକୁ ଛାଡ଼ି ରାତିରେ ନିଜ ପ୍ରେମିକ ସହ ଫେରାର ମାରିଥିଲେ । ସେପଟେ ତାଙ୍କ ସ୍ବାମୀ ନିଜ ପତ୍ନୀଙ୍କ ଫେରାର ମାରିଥିବାର କଥା ଜାଣିଥିଲେ ଏବଂ ଗ୍ରାମବାସୀଙ୍କ ସହ ମିଶି ତାଙ୍କୁ ବଲାଙ୍ଗୀର ଚାନ୍ଦୋତରା ଗ୍ରାମ ନିକଟରେ ଧରିଥିଲେ । ଏହାପରେ ମହିଳା ଓ ତାଙ୍କ ପ୍ରେମିକକୁ ଗାଁକୁ ଆଣି ଏକ ଖୁଣ୍ଟରେ ବାନ୍ଧି ଥିଲେ ଗ୍ରାମବାସୀ । ତାଙ୍କୁ ଚପଲ ମାଳ ପିନ୍ଧାଇ ପ୍ରବଳ ମାଡ ମାରିଥିଲେ ଏବଂ ବିଭିନ୍ନ ପ୍ରକାର ନିର୍ଯାତନା ଦେଇଥିଲେ । ସେପଟେ ଏହି ଘଟଣା ସମ୍ପର୍କରେ ବଲାଙ୍ଗୀର ଜିଲ୍ଲାର ତୁରେକେଲା ପୋଲିସ ସୂଚନା ପାଇବା ପରେ ତୁରନ୍ତ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଉଭୟଙ୍କୁ ଉଦ୍ଧାର କରିଛି ଏବଂ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଠିକଣା ସମୟରେ ପୋଲିସ୍ ପହଞ୍ଚିବାରୁ ଦୁଇ ଜଣଙ୍କ ଜୀବନ ବଞ୍ଚି ଯାଇଥିବାର ଚର୍ଚ୍ଚା ହେଉଛି ।