ନୂଆପଡା:ନୂଆପଡାରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । କୁମ୍ବିଂ ଅପରେସନ ସମୟରେ ସିଆରପିଏଫ୍ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୁନାବେଡା ଅଭୟାରଣ୍ୟ ବରକୋଟ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିମାଡରେ ଛତ୍ରଭଙ୍ଗ ଦେଇଛନ୍ତି ଲାଲବାହିନୀ । ଏନକାଉଣ୍ଟରରେ ଉଭୟ ପକ୍ଷର କେହି ମୃତାହତ ନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।
ଏହା ମଧ୍ୟ ପଢନ୍ତୁ-ନୂଆପଡାରେ ପୁଣି ଲାଗିଲା ମାଓ ପୋଷ୍ଟର, PLGA ସପ୍ତାହ ସଫଳ ପାଇଁ ଆହ୍ୱାନ
ମିଳିଥିବା ସୂଚନା ଅନୁଯାୟୀ, ସୁନାବେଡା ଅଭୟାରଣ୍ୟର ବରକୋଟ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ନେଇ ଏକ ବିଶେଷସୂତ୍ରରୁ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ଏହାପରେ ଉକ୍ତ ଜଙ୍ଗଲରେ ପହଞ୍ଚି କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ ସିଆରପିଏଫ୍ ଯବାନ । ଏହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀ 5 ରାଉଣ୍ଡ ଗୁଳିଚାଳନା କରିବାରୁ ଏହାକୁ ସାମ୍ନା କରିନପାରି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଅନ୍ୟପଟେ ଆଜି ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲ୍ଲାରୁ ମାଓବାଦୀ କରିଥିବା ଏକ ସୁଡଙ୍ଗ ଠାବ ହୋଇଛି । ପୋଲିସକୁ ଚକମା ଦେବାକୁ ଏହି ସୁଡଙ୍ଗ ଖୋଳିଥିଲେ ମାଓବାଦୀ । ହିରୋଲି ରାସ୍ତା ଉପରେ ସୁଡଙ୍ଗ ଖୋଳାଯାଇ ତା' ଭିତରେ ଏକ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିଲା ।