ଫୁଲବାଣୀ: କନ୍ଧମାଳରେ ମାଓ ପୋଷ୍ଟର । ବାଲିଗୁଡ଼ାଥାନା ଅର୍ନ୍ତଗତ ସୁଡ୍ରା ଗ୍ରାମ ପଞ୍ଚାୟତର କେତେରଭଟ୍ଟା ଛକ 41 ନମ୍ବର ରାଜ୍ୟପଥ କଡ଼ରେ ଲାଗିଲା ମାଓ ପୋଷ୍ଟର୍ l ସିପିଆଇ ମାଓବାଦୀ କେକେବିଏନ୍ ପକ୍ଷରୁ ଲାଗିଛି ପୋଷ୍ଟର । ପୋଷ୍ଟର ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଟପ୍ ମାଓନେତା ଦସ୍ରୁ ମୃତ୍ୟୁ ଖବର ମାଓ ସଙ୍ଗଠନ ଗ୍ରହଣ କରୁନାହିଁ । ବରଂ ତାଙ୍କୁ ପୋଲିସ ମୁଖ୍ୟାଳୟକୁ ନେଇ ନିର୍ଯାତନା ଦେଇ ପଚରାଉଚରା କରୁଥିବା ଅଭିଯୋଗ ଆଣିଛି କେକେବିଏନ୍ ମାଓ ସଂଗଠନ । ତୁରନ୍ତ ପୋଲିସ ତାଙ୍କୁ ଇଣ୍ଟୋରୋଗେସନ୍ ବନ୍ଦ କରି ଆଇନ୍ ଅନୁଯାୟୀ ଦସ୍ରୁଙ୍କୁ କୋର୍ଟରେ ହାଜର କରନ୍ତୁ ବୋଲି ଚେତାବନୀ ଦେଇଛି ସିପିଆଇ ମାଓ ସଂଗଠନ ।
ଗତ ଫେବୃଆରୀ ୩ ତାରିଖ ସନ୍ଧ୍ୟା 7.30 ସମୟରେ କାମ୍ବେରକିଆ ଗାଁ ନିକଟରେ ଡିଭିଏଫ୍ ଓ ଏସ୍ଓଜିଙ୍କ ମିଳିତ ସର୍ଚ୍ଚ ଅପରେସନ୍ ଚାଲିଥିଲା । ଘନ ଅନ୍ଧକାରରେ ପୋଲିସ ଉପରକୁ ଗୁଳି ମାଡ଼ କରିବା ପରେ ପୋଲିସର ପାଲଟା ଗୁଳିରେ ମାଓବାଦୀଙ୍କ ଜଣେ କମାଣ୍ଡର ହାତରେ ଗୁଳି ବାଜିଥିଲା । ଏହାପରେ ସେମାନେ ସେଠାରୁ ପଛଘୁଞ୍ଚା ଦେଇଥିଲେ । ପୋଲିସର ଘନ ଘନ ଗୁଳିମାଡ଼ରେ ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଏହି ଗୁଳି ବିନିମୟ ସମୟରେ ଜଣେ ଡିଭିଏଫ୍ ଯବାନ ମଧ୍ୟ ଗୁଳିବାଜି ଆହତ ହୋଇଥିଲେ ।
ଏହାପରେ ପୋଲିସର ସର୍ଚ୍ଚ ଅପରେସନ ବେଳେ ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିଲା । ଯାହାକୁ ଚିହ୍ନଟ ବେଳେ ସେ କେକେବିଏନ୍ ଡିଭିଜନର ଡିସିଏମ୍ ଦସ୍ରୁ ବୋଲି ଜଣାପଡିଥିଲା । ତାର ମୃତଦେହ ନିକଟରୁ ଗୋଟିଏ ୩୦୩ ରାଇଫଲ ସହ କିଛି ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ଦସ୍ରୁ ମୁଣ୍ଡରେ ଛତିଶଗଡ ସମେତ ଓଡିଶା ପୋଲିସ ପକ୍ଷରୁ ପୁରସ୍କାର ମଧ୍ୟ ଘୋଷଣା ହୋଇଥିଲା । କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୨୦ରୁ ଊର୍ଦ୍ଧ୍ବ କେସର ସେ ମୋଷ୍ଟୱାଣ୍ଟେଡ ରହିଛି । ଏକାଧିକ ନାଁରେ ପରିଚୟ ଦେଇ ସେ ବୁଲୁଥିଲା । କେକେବିଏନ୍ ଡିଭିଜନ ଦସ୍ରୁ ନେତୃତ୍ବରେ ବେଶ ସକ୍ରିୟ ରହିଥିଲା ।