କେନ୍ଦ୍ରାପଡା:ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା । ଦୁଷ୍କର୍ମ ମାମଲାରେ ଗତକାଲି(ବୁଧବାର) ଦୋଷୀକୁ ୧୦ ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ କୋର୍ଟ । ଏହା ସହିତ ୨୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟରେ ଆହୁରି ଏକ ବର୍ଷ ଜେଲଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତକୁ ଆଇପିସିର ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯାଇଛି । ସେ କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳରେ ଭଉଣୀର ଯାଆକୁ ଘରେ ପଶି ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଥିଲା ।
ଅଭିଯୋଗ ଅନୁଯାୟୀ, ୨୦୧୯ ମସିହା ଜୁନ ମାସ ୧୬ ତାରିଖ ଶେଷ ରଜ ଦିନ କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳରେ ଜନୈକ ୫୫ ବର୍ଷୀୟା ରୋଗାଗ୍ରସ୍ତ ମହିଳା ଘରେ ଏକୁଟିଆ ଶୋଇଥିଲେ । ସେହି ସମୟରେ ତାଙ୍କ ସାନ ଯାଆଙ୍କ ଭାଇ ଅଭିଯୁକ୍ତ ଗୁଣନିଧି ମଲିକ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏନେଇ ମହିଳା ଜଣଙ୍କ ଚିତ୍କାର କରିବାରୁ ପାତିଆ ମହିଳାଙ୍କ ପାଟିରେ ଗାମୁଛା ପୁରାଇ ତାଙ୍କୁ ବାଡେଇବା ସହ ଘଟଣା ସମ୍ପର୍କରେ କେଉଁଠି କହିଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଘଟଣା ସମୟରେ ମହିଳାଙ୍କ ସ୍ୱାମୀ ନିକଟସ୍ଥ ମନ୍ଦିରକୁ ଯାଇଥିବା ବେଳେ ସେ ଫେରିବା ପରେ ଘଟଣା ସମ୍ପର୍କରେ ମହିଳା ଜଣଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ପରେ ଏନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହେବା ପରେ ଟାଉନ ଥାନା ପୋଲିସ ୧୦୫/୨୦୧୯ ରେ ଏତଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିଥିଲା।