ଭୁବନେଶ୍ବର: ବିବାହ ସାତଜନ୍ମର ସମ୍ପର୍କ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି । ହେଲେ ସାତଜନ୍ମର ସାଥୀ ଯେ ମାତ୍ର ୫୦ ହଜାର ଟଙ୍କା ପାଇଁ ନିଜ ଜୀବନସାଥୀର ଜୀବନ ନେବାକୁ ପଛାଇବ ନାହିଁ, ତାହା ହୁଏତ କେହି କେବେ ଭାବି ନଥିବେ । ସେ ପୁଣି ସ୍ତ୍ରୀ ଗର୍ଭବତୀ ଥିବା ସମୟରେ । 2020 ମସିହାରେ ରାଜଧାନୀ ଉପକଣ୍ଠରେ ଏପରି ଏକ ନରକୀୟ କାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ବାମୀକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
- ଗର୍ଭବତୀ ସ୍ତ୍ରୀକୁ ହାତୁଡିରେ ପିଟି ମାରିଥିଲା ସ୍ବାମୀ:-
୨୦୨୦ ମସିହା ଜୁଲାଇ ୨୪ ତାରିଖରେ ଭୁବନେଶ୍ବର ଏୟାରପୋର୍ଟ ଥାନା ଅନ୍ତର୍ଗତ କାରଗିଲ ବସ୍ତିର ସକୁନ୍ତଳା ମାଝୀଙ୍କୁ ସ୍ବାମୀ ମୁରଲୀଧର ହତ୍ୟା କରିଥିଲା । ଏହାର କାରଣ ଥିଲା ଯୌତୁକ, ସେ ବି ମାତ୍ର ୫୦ ହଜାର ଟଙ୍କା । ହତ୍ୟାର ଶିକାର ହେବା ବେଳେ ସକୁନ୍ତଳା ଗର୍ଭବତୀ ମଧ୍ୟ ଥିଲେ । ସ୍ବାମୀ ମୁରଲୀଧରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି (ବୁଧବାର) ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୋରା ଜଜ ବନ୍ଦନା କର ଏହି ମାମଲାର ଶୁଣାଣି କରିଥିଲେ । 12 ଜଣ ପ୍ରତ୍ୟକ୍ଷଦର୍ଷୀଙ୍କ ବୟାନ ଓ ୭ଟି ସାଇଣ୍ଟିଫିକ ପ୍ରମାଣ ସହ ୨୩ଟି ଦଲିଲ ପ୍ରମାଣ ଆଧାରରେ ସ୍ବାମୀ ମୁରଲୀଧରକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦଣ୍ଡବିଧାନ ପରେ ଦୋଷୀକୁ ଝାରପଡା ସ୍ବତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି ।
ଏମିତି ଥିଲା ଘଟଣାକ୍ରମ:-
୨୦୨୦ ମସିହା ଜାନୁଆରୀ ୨ ତାରିଖରେ ସକୁନ୍ତଳା ମାଝୀଙ୍କୁ ବିବାହ କରିଥିଲା ମୁରଲୀଧର ବେହେରା । ଦୁହେଁ କାରଗିଲ ବସ୍ତିରେ ରହୁଥିଲେ । ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ମୁରଲୀ ପତ୍ନୀ ସକୁନ୍ତଳାଙ୍କ ଉପରେ ବାରମ୍ବାର ଚାପ ପକାଉଥିଲା । ପରେ ଏହି ଚାପ ନିର୍ଯାତନାର ରୂପ ମଧ୍ୟ ନେଲା । ବିବାହର କିଛି ମାସ ମାଧ୍ୟମରେ ସକୁନ୍ତଳା ଗର୍ଭବତୀ ହୋଇଥିଲେ । 2020 ଜୁଲାଇ 24 ତାରିଖରେ ଯୌତୁକ ପାଇଁ ମୁରଲୀଧର ଓ ସକୁନ୍ତଳାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମୁରଲୀଧର ସକୁନ୍ତଳାଙ୍କୁ ଏକ ହାତୁଡିରେ ପିଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।