ରାଇରଙ୍ଗପୁର : କାଳ ସାଜିଲା କାଳବୈଶାଖୀ । ବଜ୍ରପାତରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବାବେଳେ ପତ୍ନୀ ଗୁରୁତର ଥିବା ଜଣାପଡ଼ିଛି । ବଜ୍ରପାତ ହେଉଥିବାବେଳେ ସ୍ତ୍ରୀକୁ ଉଦ୍ଧାର କରିବାକୁ ଯାଇଥିବା ସ୍ବାମୀ ପ୍ରାଣ ହରାଇଛନ୍ତି । ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମାଣିକ ସାହିରେ । ସୂଚନା ଅନୁଯାୟୀ, ଠାକୁରମୁଣ୍ଡାରେ ଆଜି ସକାଳୁ ପ୍ରବଳ ବର୍ଷା ସହ ଘନଘନ ବଜ୍ରପାତ ହୋଇଥିଲା । ତେବେ ଜରକ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଣିକ ସାହିର ବାସିନ୍ଦା ବାଇଧର ସାମାଡ ଓ ତାଙ୍କ ସ୍ତ୍ରୀ ସେହି ସମୟରେ ନିଜ ଘରେ ଥିଲେ । ହେଲେ ବର୍ଷା ହେଉଥିବା ଦେଖି ବାଇଧରଙ୍କ ସ୍ତ୍ରୀ ଘର ବାହାରେ ଶୁଖୁଥିବା ଲୁଗା ଆଣିବାକୁ ଯାଇଥିବା ସମୟରେ ହଠାତ ବଜ୍ରଘାତ ହେବାରୁ ସେ ତଳେ ପଡିଯାଇଥିଲେ ।
ଏହା ଦେଖିବା ପରେ ସ୍ବାମୀ ବାଇଧର ସ୍ତ୍ରୀକୁ ଉଦ୍ଧାର କରିବାକୁ ତୁରନ୍ତ ବାହାରକୁ ଚାଲି ଯାଇଥିଲେ । ହଠାତ ପୁଣି ବଜ୍ରପାତ ହେବାରୁ ଦୁହେଁ ସେହିଠାରେ ହିଁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଯାଇଥିଲେ । ପରେ ବାଇଧରଙ୍କ ସ୍ତ୍ରୀଙ୍କ ଚେତା ଫେରିଥିବାବେଳେ ବାଇଧରଙ୍କ ଚେତା ଆଉ ଫେରି ନଥିଲା । ପଡୋଶୀମାନେ ଦୁହିଁଙ୍କୁ ଘର ସମ୍ମୁଖରେ ପଡ଼ିଥିବା ଦେଖି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସିବା ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ମେଡିକାଲକୁ ଅଣାଯାଇଥିଲା । ହେଲେ ସେଠାରେ ବାଇଧରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ବାଇଧରଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ଥିବା ଜଣାପଡ଼ିଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।