ରାଇରଙ୍ଗପୁର: ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ । ଯୁବକଙ୍କୁ ହତ୍ୟା କରାଯାଇଛି ନା ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଝରାଡିହି ଫାଣ୍ଡି ନିକଟସ୍ଥ ଝରାଡିହି ପୋଖରିଆ ମୁଖ୍ୟ ରାସ୍ତାକଡରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ତିରିଂ ଥାନା ପୋଲିସ । ତେବେ ମୃତକ ଜଣକ ତିରିଂ ଥାନା ଅନ୍ତର୍ଗତ କୁଲଡ଼ିହା ଗ୍ରାମର ତ୍ରୈଲକ୍ୟ ନାଏକଙ୍କ ପୁଅ ସୁଫଲ ନାଏକ (୪୨) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଝରାଡିହି ଫାଣ୍ଡି ନିକଟସ୍ଥ ଝରାଡିହି ପୋଖରିଆ ମୁଖ୍ୟରାସ୍ତା କଡରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ବେଳେ ରାସ୍ତାରେ ଯିବାଆସିବା କରୁଥିବା ଲୋକେ କୌଣସି ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ପଡିଥିବା ସନ୍ଦେହ କରିଥିଲେ । ପରେ ମୃତକଙ୍କ ଚେହେରାରେ ଗଭୀର କ୍ଷତ ହୋଇଥିବା ଏବଂ ଦୁଇ କାନରୁ ରକ୍ତସ୍ରାବ ହେଉଥିବା ଜଣାପଡିବା ପରେ ସ୍ଥାନୀୟ ଲୋକେ ଝରାଡିହି ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ତିରିଂ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ଓ ଝରାଡିହି ଫାଣ୍ଡି ଅଧିକାରୀ ବିଜୟ କୁମାର ନାୟକ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଯୁବକଙ୍କ ଚିହ୍ନଟ କରିଥିଲେ । ଏହାସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।