ପାରଳାଖେମୁଣ୍ଡି: ଆରମ୍ଭ ହୋଇସାରିଛି ପର୍ଯ୍ୟଟନ ଋତୁ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଖୋଲିଲାଣି ଇକୋ-ରିସର୍ଟ । ଓଡ଼ିଶାର ଦ୍ବିତୀୟ ଉଚ୍ଚତମ ପର୍ବତ ତଥା ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ମଧ୍ୟ ଓଡିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଇକୋ-ରିସର୍ଟ ଏବଂ ନେଚର କ୍ୟାମ୍ପ । ପ୍ରକୃତିକୁ ଉପଭୋଗ କରିବା ପାଇଁ ଏଠାକୁ ଆସୁଥିବ ପର୍ଯ୍ୟଟକଙ୍କ ପାଇଁ ଏଠାରେ ରହିବା ଏବଂ ଖାଇବା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।
- ଜାଣନ୍ତୁ କେମିତି କରିବେ ବୁକିଂ:
ଓଡ଼ିଶାର ଦ୍ବିତୀୟ ଉଚ୍ଚତମ ପର୍ବତ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରେ ଓଡିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଇକୋ-ଟୁରିଜିମ ବ୍ୟବସ୍ଥା ଆରମ୍ଭ ହୋଇଛି । ‘ଓଡ଼ିଶା ବନ ଉନ୍ନୟନ ନିଗମ’ ୱେବ-ସାଇଟରେ ଏହାର ବୁକିଂ ବ୍ୟବସ୍ଥା ରହିଛି । ପର୍ଯ୍ୟଟକମାନେ ଏଥିପାଇଁ ଅଗ୍ରୀମ ବୁକିଂ କରିପାରିବେ । ଏଠାରେ ଥିବା ସୁନ୍ଦର କଟେଜଗୁଡ଼ିକରେ ରହିବା ସହ ଖାଇବା ବ୍ୟବସ୍ଥା ରହିଛି । ମହେନ୍ଦ୍ରଗିରି ପର୍ବତ ଉପରେ ପ୍ରକୃତିକୁ ଭରପୁର ଉପଭୋଗ କରିପାରିବେ ପର୍ଯ୍ୟଟକ । ଏହା ଏକ ପୌରାଣିକ ସ୍ଥାନ ହୋଇଥିବା ଯୋଗୁଁ ଏଠାରେ ଆମିଷ ଭୋଜନ ସମ୍ପୂର୍ଣ୍ଣ ନିଷେଧ ରହିଥିବା ବେଳେ ଜୈବିକ ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବାରଣ ରହିଛି । ଏହି ବ୍ୟବସ୍ଥାକୁ ଆଜି ଠାରୁ ଆରମ୍ଭ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ. ଆନନ୍ଦ ।
- ମହେନ୍ଦ୍ରଗିରିରେ କ’ଣ ସବୁ ଦେଖିପାରିବେ ପର୍ଯ୍ୟଟକ ?
ପୂର୍ବରୁ ସରକାର ଏହାକୁ ଜୈବ ବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ପ୍ରଦାନ କରିଥିଲେ । ରାମାୟଣ ଓ ମହାଭାରତ ଯୁଗ ସହ ଜଡିତ ପ୍ରକୃତିର ଅନନ୍ୟ ସୃଷ୍ଟି ଏହି ମହେନ୍ଦ୍ରଗିରିରେ ରହିଛି ୧୩ ଶହ ୪୮ ପ୍ରକାର ପ୍ରଜାତିର ଉଦ୍ଭିଦ । ଏହାସହ ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ଶୈବ ମନ୍ଦିର ସାଙ୍ଗକୁ ପଞ୍ଚୁ ପାଣ୍ଡବଙ୍କ ମନ୍ଦିର । ଯାହା ପୌରାଣିକ କଥାରେ ବର୍ଣ୍ଣିତ ରହିଛି । ଏହି ଐତିହ୍ୟସ୍ଥଳୀ ବର୍ତ୍ତମାନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏଠାରୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅଛୁଟୁ ଥିବାରୁ ସେମାନଙ୍କ ପାଇଁ ସୁନ୍ଦର ବ୍ୟବସ୍ଥା କରାଯାଇଛି ।
- ରାମାୟଣରେ ବର୍ଣ୍ଣିତ ହୋଇଛି ମହେନ୍ଦ୍ରଗିରି !
ଗତ କିଛିବର୍ଷ ତଳେ କେନ୍ଦ୍ର ସରକାର ଐତିହ୍ୟ ସମ୍ପନ୍ନ ମହେନ୍ଦ୍ରଗିରିକୁ ରାମାୟଣ ସର୍କିଟରେ ସ୍ଥାନଦେଇଥିବାବେଳେ ଏହାର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ପୂର୍ବଘାଟ ପର୍ବତମାଳାର ଦ୍ବିତୀୟ ସର୍ବୋଚ୍ଚ ଏହି ପାର୍ବତକୁ ପର୍ଯ୍ୟଟନ କ୍ଷେତ୍ରଭାବେ ଗଢି ତୋଳିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ।