କଟକ: ଟକ୍ ମକ୍ ହୋଇ ଫୁଟୁଛି ପାଣି । ଯେମିତି ସେହି ଗର୍ତ୍ତ ସାହାଯ୍ୟରେ ନିଶ୍ବାସ ନେଉଛନ୍ତି ମହାଦେବ । ମହାଦେବଙ୍କୁ ଘର୍ଷଣ ହେବା ପରେ ଯାହା ବଳିଥାଏ ସବୁ ସେଇ ଗର୍ତ୍ତ ମଧ୍ୟରେ ସଞ୍ଚିତ ହୋଇ ରହିଥାଏ । ଆଉ ସେହି ଟକ ମକ ହୋଇ ଫୁଟୁଥିବା ଜଳକୁ ପାଦୁକା ସ୍ବରୂପ ଶ୍ରଦ୍ଧାଳୁଙ୍କ ହାତକୁ ବଢାଇ ଦିଅନ୍ତି ସେବାୟତ । ସେମିତି ଜୀବନ୍ତ ଠାକୁର ହେଉଛନ୍ତି ପରମହଂସନାଥ । ସେ ପାତାଳୀ ଠାକୁର । ମାନସିକ କଲେ ମନ ଜାଣି ବର ଦିଅନ୍ତି ବାବା ପରମହଂସନାଥ । ମହାଦେବଙ୍କ ଏଭଳି ଅଲୌକିକ ଶକ୍ତିର ବାଖ୍ୟା କରନ୍ତି ଉଭୟ ଶ୍ରଦ୍ଧାଳୁ ଓ ସେବାୟତ । ମହାଶିବରାତ୍ରି ଉପଲକ୍ଷେ ଜାଣନ୍ତୁ ଏହି ବିରଳ ଶୈବପୀଠର ଅଲୌକିକ କଥା ।
- ଶିବଲିଙ୍ଗରେ ଫୁଟୁଥାଏ ପାଣି
ପରମହଂସନାଥ ମନ୍ଦିର ସହ ଜଡିତ ରହିଛି ଅନେକ ଅଲୌକିକ ଘଟଣା । ଏହି ଶୈବପୀଠରେ ଥିବା ଲିଙ୍ଗ ଭିତରେ ସବୁବେଳେ ପାଣି ଟକ ଟକ ଫୁଟୁଥାଏ । ଯାହାକି ଆପଣ ନ ଦେଖିଲେ ବିଶ୍ୱାସ ବି କରି ପାରିବେନି । ମଣିଷ ଯେମିତି ନିଶ୍ୱାସ ପ୍ରଶ୍ୱାସ ନେଇଥାଏ, ଠିକ ସେମିତି ଏହି ଶୈବପୀଠରେ ଥିବା ଲିଙ୍ଗ ମଧରେ ପାଣି ରହେ ଏବଂ ଟକ ଟକ ହୋଇ ଫୁଟିବା ସହ ଫୋଟକା ବାହାରି ଥାଏ । କୁହାଯାଏ ମନ୍ଦିର ଯେବେଠାରୁ ନିର୍ମାଣ ହୋଇଛି ସେବେଠାରୁ ହିଁ ଲିଙ୍ଗ ଭିତରେ ଏପରି ଦେଖାଯାଏ । ସେବାୟତ ତ୍ରିଲୋଚନ ପଣ୍ଡା କୁହନ୍ତି,‘‘ଏହା ଏକ ଶକ୍ତି । ଏହାକୁ ଶିବ ଶକ୍ତି କ୍ଷେତ୍ର ମଧ୍ୟ କୁହାଯାଏ । ଏହା ହେଉଛି ହୀରନମୟୀ ଗର୍ଭ । ସବୁବେଳେ ଟକ ଟକ ହୋଇ ଫୁଟିଥାଏ । ମନ୍ଦିରର ଏହି ଲିଙ୍ଗ ଦର୍ଶନ କରିବାକୁ ସମସ୍ତେ ଆସିଥାନ୍ତି । ଏହି ଗର୍ଭକୁ ଦର୍ଶନ କରିବା ଦ୍ୱାରା ଭକ୍ତଟିର ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଗର୍ଭକୁ ଦର୍ଶନ କରି ଭକ୍ତଟିଏ ତାର ଦୁଃଖ କଷ୍ଟ ଦୂର କରିଥାଏ । ସେ ଯେବେଠାରୁ ମନ୍ଦିର ଆସିଲେଣି ,ସେବେଠାରୁ ପାଣି ଫୁଟୁଥିବା କଥା ଜାଣିଛନ୍ତି । " ଭାରତ ବର୍ଷରେ ଏପରି ମନ୍ଦିର ପ୍ରଥମ’’ ବୋଲି ସେ କହିଛନ୍ତି।
- 23 ବର୍ଷ ପରେ ସନ୍ତାନପ୍ରାପ୍ତି ହେଲା
କେବଳ ସେବାୟତ ନୁହନ୍ତି ଶ୍ରଦ୍ଧାଳୁ ବି ନିଜ ନିଜ ଅନୁଭୂତି କହିବା ବେଳେ କଣ୍ଠରୋଧ ହୋଇଯାଏ । ମହାଦେବଙ୍କ ମାହାତ୍ମ୍ୟ କହିଲା ବେଳକୁ ଆଖି ଜକେଇ ଆସେ । ରବି ନାରାୟଣ ଚୌଧୁରୀନାମକ ଜଣେ ଭକ୍ତ କହିଛନ୍ତି ‘‘ଗତ ୨୦୦୩ ମସିହାରେ ତାଙ୍କର ବିବାହ ହୋଇଥିଲା । ମାତ୍ର ଦୀର୍ଘ ବର୍ଷ ଧରି କୌଣସି ସନ୍ତାନ ସନ୍ତତି ନ ହେବାରୁ ପରମହଂସନାଥ ଶୈବପୀଠରେ ମାନସିକ କରିଥିଲି । ଦୀର୍ଘ ୨୩ ବର୍ଷ ପରେ ମୋର କନ୍ୟା ସନ୍ତାନ ଜନ୍ମ ଲାଭ ହୋଇଥିଲା । ପ୍ରଭୁ ପରମହଂସ ପୀଠରେ ମାନସିକ କରିଥିଲି ବୋଲି ପ୍ରଭୁ ତାଙ୍କ କଥା ଶୁଣିଛନ୍ତି । ସେବେଠାରୁ ସେ ପ୍ରତ୍ୟେକ ସୋମବାରରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ଆସନ୍ତି ’’।
ମାନସିକ ପୂରଣ କରନ୍ତି ପ୍ରଭୁ ପରମହଂସନାଥ :
ଆଉ ଜଣେ ଭକ୍ତ ଗୋଲାପ ରାଉତ କୁହନ୍ତି ‘‘ଗତ 2008 ମସିହାରେ ଚାକିରି ପାଇଁ ଆବେଦନ କରିଥିଲି । ମାତ୍ର ଏଥିରେ ସେ କୃତକାର୍ଯ୍ୟ ହୋଇ ନଥିଲି । ତେବେ ପରମହଂସନାଥଙ୍କ ପାଖରେ ମାନସିକ କରିବାରୁ ଗତ ୨୦୨୨ ମସିହାରେ ସରକାରୀ ଚାକିରି ପାଇଲି । ଆମ ପରିବାରର ସମସ୍ତ ସଦସ୍ୟ ପ୍ରଭୁଙ୍କ ପାଖକୁ ଆସନ୍ତି ।" ପ୍ରଭୁ ପରମହଂସନାଥଙ୍କୁ ଯାହା ମାନସିକ କରାଯାଏ ତାହା ପୂରଣ ହୋଇଥାଏ’’ ବୋଲି ଛଳ ଛଳ ଆଖିରେ କହିଛନ୍ତି।
- ଭୋର ୪ଟାରେ ମହାଦ୍ବୀପ ଉଠେ:
ଫେବୃଆରୀ ୨୬, ମହାଶିବରାତ୍ରି । ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ବାବାଙ୍କ ପୀଠରେ ମାନସିକ କରି ଶୁଭ ମନାସିବେ ଶ୍ରଦ୍ଧାଳୁ । ଏହି ପୀଠରେ ହୁଏ ସ୍ବତନ୍ତ୍ର ରୀତିନୀତି । ପ୍ରତ୍ୟେକ ଶିବରାତ୍ରିରେ ଭୋର ସାଢ଼େ ୩ଟା ସମୟରେ ମାର୍ଜନା କରାଯାଏ । ଏହା ପରେ ମଙ୍ଗଳ ଆଳତୀ । ସକାଳ ସାଢ଼େ ୬ ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡ଼ା ଯାଇଥାଏ । ସକାଳ ସାଢେ ୬ ଟାରୁ ସାଢ଼େ ୭ ଟା ପର୍ଯ୍ୟନ୍ତ ମନ୍ଦିର ପହଡ଼ ପକାଯାଇ ନୀତି କରାଯାଏ । ଏହି ସମୟରେ ଭକ୍ତମାନଙ୍କୁ ବାହାରେ ଅପେକ୍ଷା କରିବାକୁ ପଡିଥାଏ । ଏହି ସମୟରେ ମହାପ୍ରଭୁଙ୍କ ପ୍ରଥମ ଧୂପ, ଦ୍ୱିତୀୟ ଧୂପ ଏବଂ ବାଟୁଲା ନୀତି କରାଯାଏ । ଦିନର ସମସ୍ତ ନୀତି ଏହି ସମୟ ମଧ୍ୟରେ ଶେଷ କରାଯାଏ । କେବଳ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ କରାଯାଏ । ବାକି ସମସ୍ତ ସମୟରେ ମନ୍ଦିରରେ ଦର୍ଶନ କରିବାକୁ ଭକ୍ତମାନଙ୍କୁ ଛଡା ଯାଇଥାଏ । ଅର୍ଥାତ ସକାଳ ସାଢେ ୭ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ମନ୍ଦିର ଭିତରେ ଦର୍ଶନ ପାଇଁ ଅନୁମତି ମିଳିଥାଏ । ରାତି ୧୨ ଟାରୁ ମନ୍ଦିରରେ ପହଡ଼ ପକାଯାଇଥାଏ । ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିଥାଏ । ମନ୍ଦିର ସଫା କରାଯାଇ ରୁଦ୍ରାଭିଷେକ କରାଯାଇଥାଏ । ଏହି ନୀତି ରାତି ୩ ଟାରୁ ସାଢ଼େ ୩ ପର୍ଯ୍ୟନ୍ତ ଚାଲେ । ପରେ ହରିହର ଭେଟ ନୀତି କରାଯାଇ ବେଢ଼ା ପରିକ୍ରମା ପରେ ଭୋର ୪ ଟାରେ ମହାଦୀପ ଉଠାଯାଇଥାଏ ।
ମନ୍ଦିରରେ ଦୀର୍ଘ 16 ବର୍ଷ ଧରି ମହାଦ୍ବୀପ ଉଠାଉଥିବା ସେବାୟତ ମାନସ ପଣ୍ଡା କହିଛନ୍ତି ‘‘ଆଜକୁ ପ୍ରାୟ ୧୬ ବର୍ଷ ହେବ ଏହି ମନ୍ଦିରରେ ମହାଦୀପ ଉଠାଇଥାନ୍ତି । ସେ ପ୍ରତ୍ୟେକ ବର୍ଷ କିଛି ନାଁ କିଛି ଅଲୌକିକ ଘଟଣା ଅନୁଭବ କରିଥାନ୍ତି ।" ସେ କହିଛନ୍ତି, " ମହାଦୀପ ଉଠିବା ସମୟରେ ଅନେକ ଅଲୌକିକ ଘଟଣା ଅନୁଭବ କରନ୍ତି । ମହାଦୀପ ଉଠାଇବା ବେଳେ ସେ ତାଙ୍କ ଶରୀର ଉପରେ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ । ଏପରିକି ତାଙ୍କ ଶରୀର ଭିତରେ ଏହି ସମୟରେ ଗୋଟିଏ ଅଦୃଶ୍ୟ ଶକ୍ତି ଆସିଯାଇଥାଏ । ତାଙ୍କୁ ସବୁ ଧଳା ଧଳା ଦେଖାଯାଏ । ମହାଦୀପ ଉଠାଇ ମନ୍ଦିର ଉପରକୁ ଚଢ଼ିବା ସମୟରେ ସେ କିଛି ଜାଣି ପାରନ୍ତି ନାହିଁ । ଦୀପ ବଡ଼ ମନ୍ଦିରରେ ରଖି ସାରିବା ପରେ ସେ ସବୁ କିଛି ଜାଣି ପାରନ୍ତି ’’।
- ଅଲୌକିକ ଘଟଣା ଆଉ ପରମହଂସନାଥ: