ସମ୍ବଲପୁର: ଆଜି ହେଉଛି ମହାଶିବରାତ୍ରୀ । ଏଥିପାଇଁ ଆଜି ଗାଁଠୁ ସହର ସବୁ ଶିବାଳୟ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ସମ୍ବଲପୁରରେ ମଧ୍ୟ ଶିବରାତ୍ରୀ ଅବସରରେ ମନ୍ଦିର ଗୁଡ଼ିକରେ ସକାଳୁ ସକାଳୁ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ତେବେ ଏଠାରେ ଏକାଧିକ ଶୈବପୀଠ ଥିଲେ ମଧ୍ୟ ବାଲିବନ୍ଧା ସ୍ଥିତ ସୋମନାଥ ବାବା ବା ସମିଆ ବାବା ମନ୍ଦିରର ଅନ୍ୟତମ । ଆଜି ଭୋର ସକାଳୁ ସୋମନାଥ ବାବା ମନ୍ଦିରର ଦ୍ବାର ଫିଟାନୀତି ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ଭୋର 4ଟାରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି ।
- ଭୋର 4ଟାରେ ଉଠିବ ମହାଦୀପ:
ଏହି ଶୈବ ପୀଠଟି ବହୁ ପୁରୁଣା ହେବା ସହ ଏଠାରେ ସ୍ୱୟଂ ଆବିର୍ଭୁତ ଲିଙ୍ଗ ଥିବାରୁ ଏହାର ବିଶେଷ ମାନ୍ୟତା ରହିଛି l 1500 ଶତାବ୍ଦୀରେ ଚୌହାନ ବଂଶୀୟ ରାଜାଙ୍କ ଦ୍ୱାରା ତିଆରି ହୋଇଥିବା ଏହି ଶୈବ ପୀଠରେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି l ତେଣୁ ପ୍ରତ୍ୟେକ ବର୍ଷ ଏଠାରେ ଶିବରାତ୍ରୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆନେକ ଭକ୍ତ ଆସିଥାନ୍ତି । ଆଜି ଭୋର 5 ଟାରେ କ୍ଷୀର, ଦହି ଆଦି ପଞ୍ଚାମୃତରେ ମହାଦେବଙ୍କ ସ୍ନାନ ହୋଇଥିଲା । ଏହାପରେ ପାଞ୍ଚ ଉପଚାରରେ ପୂଜା କରାଯିବା ସହ ମଙ୍ଗଳ ଆଳତୀ ହୋଇଥିଲା। ଆଜି ପୂଜାକୁ 4 ଟି ପ୍ରହରରେ ବିଭକ୍ତ କରାଯାଇଛି l ସନ୍ଧ୍ୟା 6 ଟା ,ରାତି 9ଟା, ରାତି 12 ଟା ଓ ଭୋର 3ଟାରେ 4ଟି ପ୍ରହର ହୋଇଛି l ସେହିପରି ଭୋର 4ଟାରେ ମହାଦୀପ ଉଠିବ ବୋଲି ସୂଚନା ଦିଆଯାଇଛି l
- ଆଜିର ରୀତିନୀତି:
ଶ୍ରୀ ଶ୍ରୀ ସୋମନାଥ ବାବା ଟ୍ରଷ୍ଟର ପ୍ରମୁଖ ସଦସ୍ୟ ବିଜୟ କୁମାର ପ୍ରଧାନ କହିଛନ୍ତି," ଆମର ଏହି ବାଲିବନ୍ଧାର ଶୈବପୀଠ 'ସୋମନାଥ ମନ୍ଦିର' ଭାରତର ଏକ ପୁରାତନ ଶିବ ମନ୍ଦିର । ପାଞ୍ଚ ଶହ ବର୍ଷରୁ ଅଧିକ ପୁରୁଣା ଓ ଏଠାରେ ସ୍ୱୟଂ ଆବିର୍ଭାବ ଲିଙ୍ଗ ଅଛନ୍ତି । ଏହି ମନ୍ଦିରକୁ ଦର୍ଶନ ପାଇଁ କେବଳ ଓଡିଶା ନୁହେଁ ଝାରଖଣ୍ଡ ଓ ଛତିଶଗଡରୁ ଭକ୍ତ ଶ୍ରଦ୍ଧାଳୁ ଆସନ୍ତି l ଚଳିତ ବର୍ଷ ମଧ୍ୟ ଆମେ ପରମ୍ପରା ଅନୁସାରେ 4ଟି ପ୍ରହର କରିଛୁ l ସନ୍ଧ୍ୟା 6 ଘଣ୍ଟା, 9 ଘଣ୍ଟା, 12 ଘଣ୍ଟା ଓ ଭୋର 4 ଟାରେ ମହାଦୀପ ଉଠିବ । ଏହାସହ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । "