ଭୁବନେଶ୍ବର: ମହାକୁମ୍ଭରେ ମାତ୍ରାଧିକ ଭିଡ ଓ ଗତକାଲିର ଅଘଟଣକୁ ଦୃଷ୍ଟିରେ ରଖି ବନ୍ଦ ହେଲା ଓଡିଶାରୁ ଅଯୋଧ୍ୟାକୁ ସ୍ବତନ୍ତ୍ର ବସ୍ ସେବା । ସ୍ଥିତିକୁ ଦୃଷ୍ଟିରେ ରଖି ଏହି ସେବାକୁ ସାମୟିକ ଭାବେ ଫେବୃଆରୀ 4 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ଓଡିଶା ରାଜ୍ୟ ପରିବହନ ନିଗମ (OSRTC) । ଏନେଇ ସଂସ୍ଥା ନିଜ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ସୂଚନା ଦେଇଛି । ସେହିପରି ଯାତ୍ରା ପାଇଁ ଅଗ୍ରୀମ ଟିକେଟ୍ ବୁକିଂ କରିଥିବା ଯାତ୍ରୀ ସେମାନଙ୍କର ଟଙ୍କା ଫେରାସ୍ତ ପାଇବେ । ସେମାନଙ୍କ ପାଇଁ ଏକ ହେଲ୍ପ-ଲାଇନ୍ ନମ୍ବର ଜାରି କରାଯାଇଛି । ଉକ୍ତ ନମ୍ବରରେ ସେମାନେ ଯୋଗାଯୋଗ କରି ସେମାନଙ୍କ ଟିକେଟ୍ ସମ୍ପର୍କିତ ସୂଚନା ଦେଇ ବୁକିଂ ରାଶି ଫେରସ୍ତ ପାଇପାରିବେ ବୋଲି OSRTC କହିଛି ।
- ଗତକାଲି ଅଘଟଣରେ ଯାଇଛି 30 ଜୀବନ
ଗତକାଲି ମୌନି ଅମାବାସ୍ୟାରେ ଥିବା ବିଶେଷ ତିଥିରେ ବୁଡ ପକାଇବା ପାଇଁ ମହାକୁମ୍ଭରେ ପ୍ରାୟ 5 କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଦଳାଚକଟାରେ 30 ଜଣଙ୍କ ମୃତ୍ୟୁ ଘଟିଛି । 60ରୁ ଅଧିକ ଶ୍ରଦ୍ଧାଳୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ବାରାଣସୀର କାଶୀ ବିଶ୍ବନାଥ ଓ ରାମ ଜନ୍ମଭୂମି ଅଯୋଧ୍ୟାରେ ମଧ୍ୟ କୁମ୍ଭ ଆରମ୍ଭରୁ ପ୍ରବଳ ଭିଡ ଲାଗି ରହିଛି । ତେଣୁ ଏବେ ଯୋଧ୍ୟାକୁ ଶ୍ରଦ୍ଧାଳୁମାନେ ନଆସିବା ପାଇଁ ଯୋଗୀ ସରକାର ପରାମର୍ଶ ଦେଇଛନ୍ତି । ଆଜି ଉତ୍ତର ପ୍ରଦେଶର ବିଭିନ୍ନ ପ୍ରବେଶ ପଏଣ୍ଟରେ ଭିଡ ନିୟନ୍ତ୍ରଣ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ:- |