ଓଡିଶା

odisha

ETV Bharat / state

ଓଡ଼ିଶାରେ ଅଛି ବୈଷ୍ଣୋଦେବୀ ମନ୍ଦିର, ହୃଦୟ ଜିଣୁଛି ସବୁଜ ପରିବେଶ - MAA VAISHNO DEVI TEMPLE NAYAGARH

ଜମ୍ମୁ କାଶ୍ମୀର ବୈଷ୍ଣୋଦେବୀ ମନ୍ଦିର ଭଳି ରହିଛି ଓଡ଼ିଶାରେ ମାଆଙ୍କ ମନ୍ଦିର, ଜାଣନ୍ତୁ କେଉଁଠି ଅବସ୍ଥିତ ଓ କିପରି ଯିବେ ।

Maa vaishno Devi Temple Nayagarh
Maa vaishno Devi Temple Nayagarh (ETV Bharat Odisha)

By ETV Bharat Odisha Team

Published : Jan 29, 2025, 6:12 PM IST

ନୟାଗଡ: ଭକ୍ତଙ୍କୁ ସ୍ବପ୍ନାଦେଶ...ଜମ୍ମୁ-କାଶ୍ମୀର ପରି ଜାମୁକଣରେ ପୂଜା ପାଇବେ ମା’ ବୈଷ୍ଣୋଦେବୀ । ଜଣେ ଭକ୍ତଙ୍କୁ ସ୍ବପ୍ନାଦେଶ ପରେ ବାସ୍ତବ ରୂପ ନେଇଛି ମନ୍ଦିର । ଚାରିଆଡେ ଘଞ୍ଚ ଜଙ୍ଗଲ । ପାହାଡ ଶିଖରରେ ପୂଜା ପାଇବେ ମା’ । ଠିକ୍‌ ଜମ୍ମୁ କାଶ୍ମୀରରେ ଥିବା ବୈଷ୍ଣୋଦେବୀ ମନ୍ଦିର ପରି । ଘଞ୍ଚ ଅରଣ୍ୟ...ଜଙ୍ଗଲ ମଧ୍ୟରେ 60 ଫୁଟ ଉଚ୍ଚର ପାହାଡ । ସୁଡଙ୍ଗ ଭିତରେ ପୂଜା ପାଇବେ ମା’ । ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । କେଉଁଠି ଚାଲିଛି ନିର୍ମାଣ ? କେମିତି ଯିବେ ?

ସବୁଜ ଘଞ୍ଚ ଜଙ୍ଗଲ ମଧ୍ୟରେ ୬୦ ଫୁଟ ଉଚ୍ଚ ପାହାଡ଼ ଉପରେ ନିର୍ମାଣ ଚାଲିଛି ମାଆ ବୈଷ୍ଣୋଦେବୀଙ୍କ ମନ୍ଦିର । ମନ୍ଦିର ସହ ପାର୍ଶ୍ଵ ଦେବାଦେବୀ, ଯଜ୍ଞ ମଣ୍ଡପ, ପାହାଡ କାଟି ନିର୍ମାଣ ହୋଇଛି ୧୮୦ ଫୁଟର ସୁଡଙ୍ଗ । ସେହି ସୁଡଙ୍ଗ ମଧ୍ୟରେ ରହିଛି ମାଆଙ୍କ ସିଂହାସନ । ଜାମୁକାଶ୍ମୀରରେ ଅବସ୍ଥିତ ମା ବୈଷ୍ଣୋଦେବୀଙ୍କ ମନ୍ଦିର ନିର୍ମାଣ ଶୈଳୀରେ ନୟାଗଡରେ ହୋଇଛି ମା ବୈଷ୍ଣୋଦେବୀଙ୍କ ମନ୍ଦିର ।

Maa vaishno Devi Temple Nayagarh (ETV Bharat Odisha)

ଆଜିଠୁ ମାଆଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ:

ଆଜି(ବୁଧବାର)ଠୁ ୫ ଦିନ ଯାଏ ଚାଲିବ ମାଆ ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଯେଉଁଥିପାଇଁ ବେଶ ଚଳଚଞ୍ଚଳ ହୋଇଉଠିଛି ମାଆଙ୍କ ମନ୍ଦିର, ସଜେଇ ହେଉଛି ଜାମୁକଣ । ଆଜି ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଙ୍କୁରାରୋପଣ, ଆସନ୍ତାକାଲି କଳସ ଯାତ୍ରା ଏବଂ ଯଜ୍ଞ ଆରମ୍ଭ, ୩୧ରେ ଗୁମ୍ଫା ସଂସ୍କାର ଏବଂ ଚଣ୍ଡୀ ପାଠ, ଫେବୃଆରୀ ୧ ତାରିଖରେ ମହାସ୍ନାନ ଉତ୍ସବ, ଫେବୃଆରୀ ୨ରେ ମାଆଙ୍କର ରାଜରାଜେଶ୍ଵର ବେଶ ଦର୍ଶନ ଏବଂ ଯଜ୍ଞ ପୂର୍ଣ୍ଣାହୂତି ରହିଛି । ଏହି ଉତ୍ସବରେ ଯୋଗ ଦେବାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ପୁରୀ ମହାରାଜା, ବହୁ ସାଧୁସନ୍ଥ ଓ ଲକ୍ଷାଧିକ ଲୋକଙ୍କୁ ନିମନ୍ତ୍ରଣ ଦିଆଯାଇଛି ।

Maa vaishno Devi Temple Nayagarh (ETV Bharat Odisha)

ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ବୈଷ୍ଣୋଦେବୀ ମନ୍ଦିର :

ଜମୁ କାଶ୍ମୀରରେ ଅବସ୍ଥିତ ମା’ ବୈଷ୍ଣୋଦେବୀଙ୍କ ମନ୍ଦିର ଶୈଳୀରେ ନିର୍ମିତ ହୋଇଛି ଏହି ମନ୍ଦିର । ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟ ପହଞ୍ଚିଥିବା ବେଳେ, ପାର୍ଶ୍ବ ଦେବାଦେବୀଙ୍କ କାରୁକାର୍ଯ୍ୟ ସହ ଭୈରବୀ ମନ୍ଦିର, ମହାବୀର ମନ୍ଦିର, ଅଧିକୁମାରୀ, ଯଜ୍ଞ ମଣ୍ଡପ, ଭୋଗ ଓ ଆଳତୀ ମଣ୍ଡପ, ମନ୍ଦିର କାର୍ଯ୍ୟାଳୟ ସହ ଯାତ୍ରୀ ଆଶ୍ରୟ ସ୍ଥଳୀ ନିର୍ମାଣ କାର୍ଯ୍ୟ ମଧ୍ୟ ବେଶ ସୁନ୍ଦର ହୋଇଛି । ଏଠାକାର ସବୁଜମୟ ପ୍ରାକୃତିକ ପରିବେଶ ଏବଂ ଝରଣା ବେଶ୍ ଆକର୍ଷଣୀୟ । ଏଥିସହ ଶାନ୍ତ ନିରୋଳା ପରିବେଶ ମଧ୍ୟରେ ପାହାଡ଼ ଉପରେ ମା’ ବୈଷ୍ଣୋଦେବୀଙ୍କ ମନ୍ଦିର ନିର୍ମାଣ କାରୁକାର୍ଯ୍ୟ ଆଖି ଲାଖି ଯାଉଥିବା ବେଳେ ମନ୍ଦିରର ସୁଡ଼ଙ୍ଗ ଦେଖିଲେ ଆଖି ପତା ପଡୁନି । ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ପାହାଡ଼ ତଳେ ପୁଷ୍କରିଣୀ ଏବଂ ପାର୍କ ନିର୍ମାଣ ମଧ୍ୟ କରାଯାଇଛି ।

Maa vaishno Devi Temple Nayagarh (ETV Bharat Odisha)

କିପରି ଯିବେ:

ନୟାଗଡର ସଦର ମହକୁମା ଠାରୁ ମାତ୍ର ୧୫ କିଲୋମିଟର ଦୂର ଓଡଗାଁ ବ୍ଲକ ଜାମୁକଣ ପାହାଡ ଉପରେ ଅବସ୍ଥିତ ମାଆ ବୈଷ୍ଣୋଦେବୀଙ୍କ ମନ୍ଦିର । ନୟାଗଡରୁ ମାଛିପଡା ରାସ୍ତା ସିଧାସଳଖ ମନ୍ଦିର ପାଖରେ ପହଞ୍ଚିପାରିବେ । ୪ ବର୍ଷ ତଳେ ଏହାର ଭୂମି ପୂଜନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୨୦୦ କାରିଗର । ଏହି ମନ୍ଦିର ନିର୍ମାଣରେ ରହିଛି ୬ଟି ପଞ୍ଚାୟତର ଲୋକଙ୍କ ସହଯୋଗ । ସ୍ଥାନୀୟ ଅଞ୍ଚଳର ୮ଟି ଗାଁର ଲୋକଙ୍କୁ ନେଇ ଗଠନ ହୋଇଛି ମାଆ ବୈଷ୍ଣୋଦେବୀଙ୍କ କ୍ରିୟାନୁଷ୍ଠାନ କମିଟି ।

Maa vaishno Devi Temple Nayagarh (ETV Bharat Odisha)

କାହିଁକି ନିର୍ମାଣ ହେଲା ବୈଷ୍ଣୋଦେବୀ ମନ୍ଦିର:

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ଜଣେ ଭକ୍ତଙ୍କୁ ସ୍ଵପ୍ନାଦେଶ ପରେ ଏଠାରେ ମା ବୈଷ୍ଣୋଦେବୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହଯୋଗରେ ୧୬ ଏକର ୭୦ ଡିସିମିଲ ଜମିପଟ୍ଟା କିଣିବା ପରେ ଆରମ୍ଭ ହୋଇଥିଲା ପାହାଡ଼ ଉପରେ ମା ବୈଷ୍ଣୋଦେବୀଙ୍କ ପୂଜାର୍ଚ୍ଚନା ସହ ମନ୍ଦିର ନିର୍ମାଣ କାର୍ଯ୍ୟ । ଏଥିସହ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ପାହାଡ଼ ତଳେ ପୁଷ୍କରିଣୀ ଏବଂ ପାର୍କ ନିର୍ମାଣ କାର୍ଯ୍ୟ । ଏହି ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ୬ଟି ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ ଏବଂ ଜନସାଧାଣ ସମର୍ଥନ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ୮ ଟି ଗାଁର ଲୋକଙ୍କୁ ନେଇ ଗଠନ ହୋଇଛି ମା’ ବୈଷ୍ଣୋଦେବୀଙ୍କ ମନ୍ଦିର ନିର୍ମାଣ କ୍ରିୟାନୁଷ୍ଠାନ କମିଟି । କିଛି ଭକ୍ତଙ୍କ ଦାନ ଦକ୍ଷିଣା ସହ କିଛି ସାଧୁ ସନ୍ଥ ସହଯୋଗ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ପାହାଡ଼ ଉପରେ ମା’ ବୈଷ୍ଣୋଦେବୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ।

Maa vaishno Devi Temple Nayagarh (ETV Bharat Odisha)
Maa vaishno Devi Temple Nayagarh (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ବରକନ୍ୟା ଜଳପ୍ରପାତ

ମନମୋହୁଛି ମର୍ଜାକୁଦ: ବଣଭୋଜି ଓ ନୌକା ବିହାର ପାଇଁ ପର୍ଯ୍ୟଟକଙ୍କ ଭିଡ଼

ଜିରାଙ୍ଗ ବୌଦ୍ଧ ମନ୍ଦିର, ପର୍ଯ୍ୟଟକଙ୍କ ମନ ମୋହୁଛି ଶାନ୍ତ ପରିବେଶ

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details