ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସହ ଏକ ପଶ୍ଚିମା ଝଡ ସକ୍ରିୟ ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଆହୁରି ୨୪ ଘଣ୍ଟା ଭିଜିବ ଓଡ଼ିଶା । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗି ରହିବ ବର୍ଷା । ପ୍ରବଳ ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ବର୍ଷା କମିବା ପରେ ଶୀତ ବଢିବ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଏସବୁ ଜିଲ୍ଲାରେ ବର୍ଷିବ:
ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ‘ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଲାଗି ରହିବ । ବିଶେଷ କରି ରାଜ୍ୟର ଉପକୂଳ ଅଞ୍ଚଳ ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିପାରେ । ଏହାସହ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ।
ଆଗାମୀ ୨୪ ଘଣ୍ଟାରେ ମୟୂରଭଞ୍ଜ, ବାଲେଶ୍ବର, ଝାରସୁଗୁଡ଼ା, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବର୍ଷା ହେବ । ସେହିପରି ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବାକୁ ଥିବା ବେଳେ ଦକ୍ଷିଣ ଓଡ଼ିଶା ଯେପରି କି ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଅବପାତର ପ୍ରଭାବ ଅଧିକ ରହିଥିବାରୁ ସମସ୍ତ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତା ୨୪ ଘଣ୍ଟା ପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
୨୪ ଘଣ୍ଟା ପାଇଁ ଆଲର୍ଟ: ମୟୂରଭଞ୍ଜ, ବାଲେଶ୍ବର, ଝାରସୁଗୁଡ଼ା, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା ଓ କଟକ