ଶ୍ରୀକ୍ଷେତ୍ର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି , ସୁରକ୍ଷା ଦାୟିତ୍ବରେ ୬୩ ପ୍ଲାଟୁନ ପୋଲିସ ଫୋର୍ସ (ETV Bharat Odisha) ପୁରୀ:ଆସନ୍ତାକାଲି ପୁରୀରେ ପହଞ୍ଚିବେ ମୋଦି । ମହାପ୍ରଭୁଙ୍କ ଦର୍ଶନ ସହ କରିବେ ବିଶାଳ ରୋଡ ସୋ । ଏନେଇ ପୁରୀ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଏସପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୭ଟାରେ ଭୁବନେଶ୍ୱରରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ଅବତରଣ କରିବେ । ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କ୍ୟାରକେଡ ଯୋଗେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ ପ୍ରଧାନମନ୍ତ୍ରୀ ।
ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜିର ନିର୍ଦ୍ଦେଶ ଅନୁସାରେ ୩ ଏସପି, ୮ ଅତିରିକ୍ତ ଏସପି, ୨୨ ଡିଏସପି, ୪୨ ଇନ୍ସପେକ୍ଟର, ୧୦୯ ଏଏସଆଇ, ୨୦୨ କନଷ୍ଟେବଳ, ୨୫୦ ହୋମଗାର୍ଡଙ୍କ ସହ ମୋଟ ୬୩ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ବରେ ରହିବେ । ଏଥିସହ ତାଳବଣିଆ ହେଲିପ୍ୟାଡ ଠାରୁ ଶ୍ରୀମନ୍ଦିର ଯାଏଁ ପ୍ରଧାନମନ୍ତ୍ରୀ ଆସିବାକୁ ଥିବା ରାସ୍ତା ଗୁଡିକରେ ଥିବା ଉଚ୍ଚ କୋଠାଘର ଛାତ ଉପରେ ପୋଲିସ ବାହିନୀ ମୁତୟନ ରହିବେ ।ସେହିପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ବିଭିନ୍ନ ସେକ୍ଟର ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ତେବେ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ହେଲିପ୍ୟାଡ ଠାରେ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ କଟକଣା ଜାରୀ କରାଯିବ । ଟ୍ରାଫିକ କ୍ଷେତ୍ରରେ ମଧ୍ୟ କଟକଣା ଜାରୀ କରାଯିବ । ଭୁବନେଶ୍ୱରରୁ ଆସୁଥିବା ଯାତ୍ରୀବାହୀ ବସ୍ ନବକଳେବର ରୋଡ ଦେଇ ବସଷ୍ଟାଣ୍ଡକୁ ଯାତାୟତ କରିବ । ସେହିପରି କୋଣାର୍କରୁ ଆସୁଥିବା ଯାତ୍ରୀବାହୀ ବସ୍ ବାଲିଘାଟ ଗ୍ରୀଡ ଛକ ଦେଇ ବସଷ୍ଟାଣ୍ଡକୁ ଯାତାୟତ କରିବ । ସେପଟେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋରେ ଯୋଗ ଦେବାକୁ ଥିବା ବିଜେପି ସମର୍ଥକଙ୍କ ଗାଡ଼ି ଭୂଦାନ ପଡିଆ ଓ ସମଙ୍ଗ ପାର୍କିଂ ଠାରେ ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ......କଟକରେ ମୋଦିଙ୍କ ସୁରକ୍ଷା ପାଇଁ 30 ପ୍ଲାଟୁନ ଫୋର୍ସ, SPG କଲେ ସମୀକ୍ଷା - SECURITY ARRANGEMENT FOR PM VISIT
ଏହାସହ ଟୁରିଷ୍ଟ ବସ୍ ଗୁଡ଼ିକ ମାଳତିପାଟପୁର ଏବଂ ସମଙ୍ଗ ଠାରେ ପାର୍କିଂ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ପୁରୀକୁ ଆସୁଥିବା ଚାରିଚକିଆ ଓ ଦୁଇ ଚକିଆ ଯାନ ଗୁଡିକ ଜେଲ୍ ରୋଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂରେ ରଖିବା ନେଇ ବ୍ୟବସ୍ଥା ହୋଇଛି । ତେବେ ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀ ସକାଳ ୮ଟା ରୁ ୯ଟା ମଧ୍ୟରେ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ଥିବାବେଳେ ବଡ଼ଦାଣ୍ଡର ଦୁଇ ପାର୍ଶ୍ବରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର ।
ଇଟିଭି ଭାରତ, ପୁରୀ