ଦେବଗଡ଼:ମଙ୍ଗଳବାର(ଏପ୍ରିଲ ୧୪)ରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡରେ ରୋଡ଼ ସୋ’ ଏବଂ ବିଜୟ ସଂକଳ୍ପ ସମାବେଶ ଆୟୋଜିତ ହୋଇଥିଲା । ଧର୍ମେନ୍ଦ୍ର ଦେବଗଡ଼ରେ ପହଞ୍ଚିବା ପରେ ବଳମ ଛକରୁ କଣ୍ଢଳ ହାଇସ୍କୁଲ ଖେଳ ପଡିଆ ସଭାସ୍ଥଳ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଥିରେ ଦେବଗଡ଼ ବିଧାନସଭା ବିଜେପି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପରି ଅରୁଣ କୁମାର ସାହୁଙ୍କ ସମେତ ବହୁ ବିଜେପି କାର୍ଯ୍ୟକାର୍ତ୍ତା ଉପସ୍ଥିତ ଥିଲେ । ଏହି ସମୟରେ ବିଜୟ ସଂକଳ୍ପ ସମାବେଶ ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଥିରେ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ଉପରେ ବର୍ଷିବା ସହ ଏଥର ରାଜ୍ୟରେ ବିଜେପି ସରକାର ଗଢିବା ସୁନିଶ୍ଚିତ ବୋଲି କହିଛନ୍ତି ।
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଢଳ ଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ଆୟୋଜିତ ହୋଇଥିଲା । ରୋଡ଼ ସୋ' ପରେ ଧର୍ମେନ୍ଦ୍ର ଏଥିରେ ଯୋଗ ଦେଇ ଦେବଗଡ଼ ବାସୀଙ୍କୁ ସମ୍ୱୋଧନ କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ''ରାଜ୍ୟରେ ସରକାର ଦୀର୍ଘ ୨୫ବର୍ଷ ଶାସନ କଲା ପରେ ବି ଦେବଗଡ଼ ଜିଲ୍ଲା ନାହିଁ ନାହିଁରେ ଚାଲିଛି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି ଗାଁରେ ପାନୀୟଜଳ ନାହିଁ, ଚାଷଜମିକୁ ଜଳସେଚନ ନାହିଁ, ଜିଲ୍ଲାରେ ଶିତଳଭଣ୍ଡାର ଟିଏ ନାହିଁ, ପିଲାଙ୍କୁ ରୋଜଗାର ମିଳୁନଥିବାରୁ ସେମାନେ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ସରକାର ବଦଳିବା ଦରକାର । ଏହାର ସଂକେତ ଗତକାଲି ମତଦାନ ପରେ ମିଳିସାରିଛି । ମୋଟ ୨୮ ଟି ଆସନରେ ମତଦାନ ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ସେଥିମଧ୍ୟରୁ ୧୮ଟି ଆସନ ଜିତୁଥିବା ଆକଳନ କରାଯାଇଛି । ଏହାହିଁ ପରିବର୍ତ୍ତନର ସଂକେତ ।"