କେନ୍ଦ୍ରାପଡା: ଚଳିତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଏହଂ ନାମାଙ୍କନ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି । କେନ୍ଦ୍ରାପଡାରେ ମତଦାନ ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତତି ଶେଷ ହୋଇଛି । ଏନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ସୂଚନା ଦେଇଛନ୍ତି ।
ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସରେ ୯୬- ପାଟକୁରା ବିଧାନସଭା କ୍ଷେତ୍ରର ସ୍ୱାଧିନ ପ୍ରାର୍ଥୀ ରୋନିତ ରୋଷନ କାନୁନଗୋ ନାମାଙ୍କନ ପ୍ରତ୍ୟାହାର କରିନେଇ ଥିବାବେଳେ ୯୭-କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ସ୍ୱାଧୀନ ପ୍ରାର୍ଥୀ ଇଂ ମୁରଲୀଧର ସେଠୀ, ୯୯-ରାଜନଗର ବିଧାନସଭା କ୍ଷେତ୍ରର ସ୍ୱାଧୀନ ପ୍ରାର୍ଥୀ ଅଜିତ୍ କୁମାର ନାୟକ ଓ ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ରର ମଜଦୁର ବିକାଶ ଦଳର ପ୍ରାର୍ଥୀ ପ୍ରସନ୍ନ ରାଉତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ କେନ୍ଦ୍ରାପଡା ଲୋକସଭା ଆସନର ମୋଟ୍ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ରହିଥିବା ବେଳେ ୫ଟି ବିଧାନସଭା କ୍ଷେତ୍ରରେ ମୋଟ୍ ୪୦ଜଣ ପ୍ରତିଦ୍ୱନ୍ଦିତା ରହିଥିବା ସୂଚନା ଦିଆଯାଇଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୯୬-ପାଟକୁରା ବିଧାନସଭା କ୍ଷେତ୍ରରେ ୮ଜଣ ପ୍ରତିଦ୍ୱନ୍ଦୀ ରହିଥିବା ବେଳେ ୯୭-କେନ୍ଦ୍ରାପଡାରେ ୮ଜଣ, ୯୮-ଆଳିରେ ୬ଜଣ, ୯୯-ରାଜନଗରରେ ୯ଜଣ ଓ ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ରରେ ୯ଜଣ ପ୍ରତିଦ୍ୱନ୍ଦୀ ରହିଛନ୍ତି ।
କେନ୍ଦ୍ରାପଡା ଜିଲ୍ଲାର ଲୋକସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୧୪ ଲକ୍ଷ ୪୦ ହଜାର ୩୬୧ ଥିବାବେଳେ ୨୦୨୪ ରେ ମତଦାତାଙ୍କ ସଂଖ୍ୟା ୧୫ ଲକ୍ଷ ୬୮ ହଜାର ୮୨୩ ରହିଛି । ୨୦୨୪ ସୁଦ୍ଧା ଜିଲ୍ଲାର ଭୋଟର ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୪୯୪ ହୋଇଥିବା ବେଳେ ସେଥିମଧ୍ୟରୁ ୬ଲକ୍ଷ ୫୯ ହଜାର ୫୫୪ ପୁରୁଷ,୬ଲକ୍ଷ ୧୧ହଜାର ୮୮୯ ମହିଳା ଓ ୫୧ ଜଣ କିନ୍ନର ଭୋଟର ଅଛନ୍ତି । ଜିଲ୍ଲାର ଭୋଟ ଗ୍ରହଣ କେନ୍ଦ୍ର ୧୪୪୫ ହୋଇଥିବା ବେଳେ ସେଥିମଧ୍ୟରୁ ୧୩୭୮ଟି କେନ୍ଦ୍ର ଗ୍ରାମାଞ୍ଚଳରେ ରହିଥିବା ବେଳେ ୬୭ଟି ସହରାଞ୍ଚଳରେ ରହିଛି । ୯୬-ପାଟକୁରା ବିଧାନସଭା କ୍ଷେତ୍ରରେ ମୋଟ୍ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୫୧ହଜାର ୫୪୮ ଥିବାବେଳେ ସେଠାରେ ୩୦୯ଟି ଭୋଟ ଗ୍ରହଣ କେନ୍ଦ୍ର ରହିଛି । ୯୭-କେନ୍ଦ୍ରାପଡାରେ ୨ଲକ୍ଷ ୨୯ହଜାର ୭୧୦ ଭୋଟର ଥିବାବେଳେ ୨୪୬ଟି ମତଦାନ କେନ୍ଦ୍ର, ୯୮-ଆଳିରେ ୨ଲକ୍ଷ ୭୪ହଜାର ୭୯୬ ଭୋଟର ଥିବାବେଳେ ସେଠାରେ ୩୧୯ଟି ମତଦାନ କେନ୍ଦ୍ର ରହିଛି । ସେହିଭଳି ୯୯-ରାଜନଗରରେ ୨ଲକ୍ଷ ୬୨ହଜାର ୧୮୧ ଭୋଟର ଥିବାବେଳେ ସେଠାରେ ୨୮୭ଟି ମତଦାନ କେନ୍ଦ୍ର ରହିଛି । ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ରରେ ୨ଲକ୍ଷ ୫୩ହଜାର ୨୫୯ ଭୋଟର ରହିଥିବା ବେଳେ ୨୮୪ଟି ମତଦାନ କେନ୍ଦ୍ର ରହିଛି । ୯୬-ପାଟକୁରା ବିଧାନସଭା କ୍ଷେତ୍ରରେ ୪୬ଟି କ୍ରିଟିକାଲ ବୁଥ୍ ଥିବାବେଳେ ୯୭-କେନ୍ଦ୍ରାପଡାରେ ୫୦ଟି, ୯୮-ଆଳିରେ ୬୬ଟି, ୯୯-ରାଜନଗରରେ ୨୫ଟି ଓ ୧୦୦-ମହାକାଳପଡାରେ ୫୮ଟି କ୍ରିଟିକାଲ ବୁଥ୍ ରହିଛି ।