ରାଇରଙ୍ଗପୁର: ସାଧାରଣ ନିର୍ବାଚନକୁ ମୁକ୍ତ ଓ ଅବାଧ କରାଇବା ପାଇଁ ଓଡିଶା-ଝାଡଖଣ୍ଡ ସୀମାନ୍ତରେ ମୟୂରଭଞ୍ଜ ପୋଲିସ ପକ୍ଷରୁ କଡାକଡି ଚେକିଂ ଆରମ୍ଭ ହୋଇଛି । ଜାମଶୋଳାରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ଜିଲ୍ଲା ସୀମାରେ ଗାଡିମୋଟର ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି । ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ୧୦ଟି ସ୍ଥାନରେ ତନଖି ଫାଟକ କରାଯାଇଛି । ଜିଲ୍ଲାର ସିଟି ଓ ଜିଏସଟି ବିଭାଗ, ଅବକାରୀ ବିଭାଗ, ପୋଲିସ, ଜଙ୍ଗଲ ଓ ପରିବେଶ ବିଭାଗ ଓ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡିମୋଟର ଯାଞ୍ଚ କରାଯାଉଛି ।
ସେହିପରି ଉଭୟ ପଡୋଶୀ ରାଜ୍ୟ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲାର ଜାମଶୋଳାରେ ପ୍ରବେଶ କରୁଥିବା ବସ, ଟ୍ରକ ଓ କାର ଆଦି ଯାଞ୍ଚ କରାଯାଉଛି । ପୋଲିସ ଟିମ୍ ଦ୍ଵାରା ରାତ୍ରିକାଳୀନ ଯାଞ୍ଚ ପ୍ରକ୍ରିୟା ମଧ୍ୟ କରାଯାଉଛି । ଜିଲ୍ଲାର ପଡୋଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ପରିଚାଳନା ପାଇଁ ଯାଞ୍ଚକୁ କଡାକଡି ଭାବେ କରାଯାଉଛି । ଗାଡିର କାଗଜପତ୍ର, ସେଥିରେ ଯାତ୍ରା କରୁଥିବା ଲୋକଙ୍କ ପରିଚୟପତ୍ର, ଅନ୍ତଃରାଜ୍ୟ ଅପରାଧୀଙ୍କ ଗତିବିଧି, ନିର୍ବାଚନ ସମୟରେ ଟଙ୍କା, ମାରଣାସ୍ତ୍ର ଓ ମାଦକଦ୍ରବ୍ୟ ଆଦି ଯାଞ୍ଚ କରାଯାଇ ଅପରାଧକୁ ରୋକିବା ନେଇ ପ୍ରଚେଷ୍ଟା କରାଯାଉଛି । ପ୍ରବେଶ ଓ ପ୍ରସ୍ଥାନ ସ୍ଥାନଗୁଡିକରେ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ସମେତ ଚେକପୋଷ୍ଟ ସ୍ଥାପନ କରାଯାଇଛି ।