ଭୁବନେଶ୍ବର:ରାତି ପାହିଲେ ନିର୍ବାଚନ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୧ଟି ଜିଲ୍ଲାରେ ୫ଟି ଲୋକସଭା କ୍ଷେତ୍ର ଓ ୩୫ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ୫ଟି ମାଓ ଅଧ୍ୟୁଷିତ ଜିଲ୍ଲା ଉପରେ ଫୋକସ ସହିତ ନିର୍ବାଚନୀ ହିଂସା ଏଡାଇବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ଦେଶର ପଞ୍ଚମ ପର୍ଯ୍ୟାୟ ତଥା ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ତେଣୁ ୫ଟି ମାଓ ଅଧ୍ୟୁଷିତ ଜିଲ୍ଲା ବିଶେଷ କରି କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ରେ ମାଓ ଗତିବିଧିକୁ ଦୃଷ୍ଟିରେ ରଖି ସୁରକ୍ଷା ନେଇ ପ୍ରାଧାନ୍ୟ ଦିଆଯାଉଛି । ଏନେଇ ୫୫୬ଟି ବୁଥରେ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଛି ।
ଏନେଇ ଡିଜିପି କହିଛନ୍ତି, "କନ୍ଧମାଳ ଓ ବୌଦ୍ଧରେ ଛତିଶଗଡ଼ରୁ ଆସି ଗୋଟିଏ ଗ୍ରୁପ ଗତିବିଧି ଦେଖି ଅପରେସନ ଜାରି ରହିଛି । ପୂର୍ବରୁ ବୌଦ୍ଧରେ ଅପରେସନ ହୋଇଥିଲା । କନ୍ଧମାଳରେ କେକେବିଏନ ଡିଭିଜନ କମାଣ୍ଡର ଦଶ୍ରୁ ନିହତ ହୋଇଥିଲା । ୩ ଦିନ ହେବ ସୁରକ୍ଷା ପାର୍ଟି ଜଙ୍ଗଲ ଭିତରେ ରହିଛନ୍ତି । ଗତ ନିର୍ବାଚନ ସମୟରେ ପୋଲିଂ ପାର୍ଟିର ମହିଳା କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା । ଏହାକୁ ନଜରରେ ରଖି ସିକ୍ୟୁରିଟି ଭେଇକିଲ ଅଧିକ ଦିଆଯାଇଛି । ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗତ ଜାନୁଆରୀରୁ ଏଯାବତ ୫୫୦ଟି ଆଣ୍ଟି ଅପରେସନ ହୋଇଛି । ୧୩ଟି ଗୁଳିବିନିମୟ ହୋଇଛି । ୧୧୭ଟି ଟିମ୍ ଅପରେସନରେ ମୁତୟନ ଅଛନ୍ତି ।"
ଡିଜିପି ଆହୁରି କହିଛନ୍ତି, "ଛତିଶଗଡ ଓ ଝାଡଖଣ୍ଡ ବର୍ଡର ଯୋଗୁଁ ସେଠାକାର ଡିଜିଙ୍କୁ ଅନୁରୋଧ କରିଛୁ ଆଣ୍ଟି ନକ୍ସଲ ଅପରେସନ ଜାରି ରଖିବେ । ୭ ହଜାର ୯୩୯ଟି ସ୍ଥାନରେ ମତଦାନ ହେବ ଯେଉଁଥିରୁ ୨୦ ପ୍ରତିଶତ ଅଞ୍ଚଳ ସମ୍ବେଦନଶୀଳ ରହିଛି, ଯାହାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଏଥିପାଇଁ ଏଥର ୩୩ ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବେ । ୧୦୨ଟି ସିଏପିଏଫ ଫୋର୍ସ ସହ ୬୬ ଓଡି଼ଶା ସୁରକ୍ଷା ବଳ ସହ ଅତିରିକ୍ତ ଏସପି ୪୭ ଜଣ ୮୮ଡିଏସପି ୨୩୬ଜଣ ଇନସ୍ପେକ୍ଟର, ୨ହଜାର ଏସଆଇ ଓ ଏଏସଆଇଙ୍କ ସମେତ ୮ ହଜାର ହାବିଲଦାର, କନଷ୍ଟେବଳ ସହ ୫ହଜାର ହୋମଗାର୍ଡ ମଧ୍ୟ ନିୟୋଜିତ କରାଯିବ । ୬୫୫ଟି ମୋବାଇଲ ପାର୍ଟି ରହିଛନ୍ତି ଯେଉଁମାନେ ୧୦ରୁ ୧୨ଟି ବୁଥକୁ ପ୍ରତି ଏକ ଘଣ୍ଟାରେ କଭର କରିବେ।"