ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି 6ଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଭୁବନେଶ୍ବର ଗୋପବନ୍ଧୁ ପ୍ରାଶାସନିକ ଏକାଡେମୀରେ ହୋଇଛି ସମୀକ୍ଷା ବୈଠକ । ବୈଠକରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ 6ଟି ଜିଲ୍ଲା ଅଧିନରେ ଆସୁଥିବା ସମସ୍ତ ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ବ୍ୟାପକ ଆଲୋଚନା ହୋଇଛି ।
ମୁକ୍ତ, ଅବାଧ, ସ୍ବଚ୍ଛ, ନିରପେକ୍ଷ, ଶୃଙ୍ଖଳାଯୁକ୍ତ, ତ୍ରୁଟିଶୂନ୍ୟ ତଥା ସମସ୍ତଙ୍କ ଅଂଶଗ୍ରହଣ ଲକ୍ଷ୍ୟ ରହିଛି । ଗଣତନ୍ତ୍ରର ମହାନ ପର୍ବ ସାଧାରଣ ନିର୍ବାଚନକୁ ସଫଳ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଅଙ୍ଗୀକାରବଦ୍ଧତା ବିଷୟରେ ସ୍ପଷ୍ଟ ମତ ରଖିଛନ୍ତି । ବୈଠକରେ ୬ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନେ ପିପିଟି ପ୍ରେଜେଣ୍ଟେସନ ମାଧ୍ୟମରେ ସଂପୃକ୍ତ ଜିଲ୍ଲାଗୁଡ଼ିକର ନିର୍ବାଚନ ପ୍ରସ୍ତୁତି ବିଷୟରେ ସବିଶେଷ ତଥ୍ୟ ରଖିଛନ୍ତି । ସେସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ସେହିପରି 6 ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ପିପିଟି ପ୍ରେଜେଣ୍ଟେସନ୍ ମାଧ୍ୟମରେ ନିଜ ନିଜ ଜିଲ୍ଲାର ଆଇନଶୃଙ୍ଖଳାଜନିତ ପ୍ରସ୍ତୁତି, ଜବତ ବ୍ୟବସ୍ଥା, ଯାଞ୍ଚ ବ୍ୟବସ୍ଥା ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ରଖିଛନ୍ତି । ଏହି ସମସ୍ତ ତଥ୍ୟର ତର୍ଜମା କରି ମୁଖ୍ୟ ନିର୍ବାଚନ ଅଧିକାରୀ ବୁଥସ୍ତରରୁ ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନା କରିବା ପାଇଁ ଉପସ୍ଥିତ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବରିଷ୍ଠ ପୋଲିସ ଅଧିକାରୀ ଓ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ବାଚନ ପରିଚାଳନା କେନ୍ଦ୍ରରେ ମତଦାତା: ଆଦର୍ଶ ନିର୍ବାଚନ ପରିଚାଳନା ପାଇଁ ସି-ଭିଜିଲ, ସୁବିଧା ପୋର୍ଟାଲ, ଏନକୋର ନୋଡାଲ ଆପ୍ର ବ୍ୟବହାର ସହ ଭିନ୍ନକ୍ଷମ ଭୋଟର ଓ ବୟୋଜ୍ୟେଷ୍ଠ ଭୋଟରଙ୍କ ସୁବିଧା, ପୋଷ୍ଟାଲ ବାଲାଟ, ନିର୍ବାଚନ ଆଚରଣ ବିଧିର ଯଥାର୍ଥ ଅନୁପାଳନ ଉପରେ ଦୃଷ୍ଟି ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି । ମହିଳା ଓ ଯୁବ ଭୋଟରମାନଙ୍କୁ ମତଦାନ ପାଇଁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନିର୍ବାଚନକୁ ଦେଶର ସର୍ବବୃହତ ପର୍ବ ରୂପେ ପାଳନ କରି ଅଧିକରୁ ଅଧିକ ଭୋଟର ଯେପରି ମତଦାନ କରିବେ ସେ ଉପରେ ବିଶେଷ ଆଲୋଚନା ହୋଇଛନ୍ତି । ନିର୍ବାଚନ ପରିଚାଳନାରେ ମତଦାତାଙ୍କୁ କେନ୍ଦ୍ରରେ ରଖି ସମସ୍ତ କାର୍ଯ୍ୟ ସଂପାଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
ଶୃଙ୍ଖଳାଯୁକ୍ତ ନିର୍ବାଚନ ପରିଚାଳନା ଉପରେ ଆଲୋଚନା: ନିର୍ବାଚନ ପ୍ରସ୍ତୁତିରେ ଆଇନଶୃଙ୍ଖଳା ଦିଗ ଉପରେ ମଧ୍ୟ ବିଶେଷ ଆଲୋଚନା ହୋଇଛି । ପ୍ରତିଟି ବୁଥ ଯେପରି ସୁରକ୍ଷା ବଳୟ ମଧ୍ୟରେ ରହିବ ଓ ଇଭିଏମ-ଭିଭିପାଟ୍ ମତଗଣନା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁରକ୍ଷା ମଧ୍ୟରେ ରହିବ ସେ ବିଷୟରେ ଆଲୋଚନା ହୋଇଛି । ନିର୍ବାଚନରେ ଆଦର୍ଶ ଆଚରଣ ବିଧିର ଉଚିତ ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଅବକାରୀ, ଜିଏସଟି, ପରିବହନ, ଜଙ୍ଗଲ ବିଭାଗ ସମନ୍ବିତ ଭାବରେ କାର୍ଯ୍ୟ କରିବାକୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଓଡ଼ିଶାରେ ବିନା କୌଣସି ଜନଜୀବନ ହାନିରେ ଉଚ୍ଚ ମତଦାନ ହାରକୁ ବଜାୟ ରଖିବା ସହ ତ୍ରୁଟିଶୂନ୍ୟ ନିର୍ବାଚନ ପ୍ରକ୍ରିୟାର ଆହ୍ବାନ ବିଷୟରେ ସିଇଓ ଅବଗତ କରାଇଛନ୍ତି । ମତଦାନ ଦିବସ ଓ ମତଗଣନା ଦିବସରେ ଯେପରି ଭାବରେ ବିନା କୌଣସି ବାଧାବିଘ୍ନରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ, ସେଥିପାଇଁ ବିଭିନ୍ନ ବିଭାଗର ସମନ୍ବୟ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜୋର ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଖୋର୍ଦ୍ଧା ଜିଲ୍ଲାରେ ୧୬ ଅତିରିକ୍ତ ମତଦାନ କେନ୍ଦ୍ର ଗଠିତ - 16 Auxiliary Polling Stations
ଗ୍ରୀଷ୍ମ ପ୍ରବାହ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମତଦାନ କେନ୍ଦ୍ରରେ ବିଶେଷ ବ୍ୟବସ୍ଥା କରାଯିବ । ପ୍ରତିଟି ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ, ମହିଳା ଓ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ, ଧାଡ଼ିବାନ୍ଧିବା ପାଇଁ ଛାଇ, ଚୌକି ଓ ପ୍ରତୀକ୍ଷା କକ୍ଷର ବ୍ୟବସ୍ଥା ରହିବ । ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା ସହ ପଙ୍ଖା ରହିବ । ସମସ୍ତ ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ଆଶା କର୍ମୀ ରହିବେ । ସେମାନଙ୍କ ପାଖରେ ଅଂଶୁଘାତ ମୁକାବିଲା ପାଇଁ ଅତ୍ୟାବଶ୍ୟକ ଔଷଧପତ୍ର ରହିବ । ପ୍ରତିଟି ସେକ୍ଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ କର୍ମୀ ମଧ୍ୟ ରହିବେ । ଯଦି ଦୈବାତ୍ କେହି ଅଂଶୁଘାତର ଶିକାର ହୁଅନ୍ତି, ତେବେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପହଞ୍ଚାଯିବ । ଏଥିପାଇଁ ମତଦାନ ଦିବସଗୁଡ଼ିକରେ ଅଧିକ ସଂଖ୍ୟକ ଆମ୍ବୁଲାନ୍ସ ମହଜୁଦ ରଖାଯିବ ।