ଝାରସୁଗୁଡ଼ା:ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି ହିମନ୍ତ ବିଶ୍ୱଶର୍ମା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ବିଜେପି ପକ୍ଷରୁ ବେଲପାହାଡରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବ୍ରଜରାଜନଗର ବିଜେପି ବିଧାନସଭା ପ୍ରାର୍ଥୀ ସୁରେଶ ପୂଜାରୀ ଏବଂ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଁ ଭୋଟ ଅପିଲ କରିଛନ୍ତି ।
ହିମନ୍ତ ପ୍ରଥମେ ଜୟ ଜଗନ୍ନାଥ ଜୟ ନୃସିଂହନାଥରୁ ନିଜ ଅଭିଭାଷଣ ଆରମ୍ଭ କରି କଂଗ୍ରେସ ଏବଂ ବିଜେଡି ସରକାରକୁ କଡ଼ା ଟାର୍ଗେଟ କରିଛନ୍ତି । କଂଗ୍ରେସ ଏବଂ ବିଜେଡି ବହୁ ବର୍ଷ ଓଡିଶାରେ ଶାସନ କରିଥିଲେ ହେଁ କୌଣସି ବିକାଶ ନ କରି କେବଳ ଓଡିଶାବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଥିଲେ । ତେଣୁ ମୋଦିଙ୍କ ଡବଲ ଇଞ୍ଜିନ ସରକାର ହିଁ ବିକଶିତ ଭାରତ , ବିକଶିତ ଓଡିଶାର ସ୍ବପ୍ନ ପୂରଣ କରିବ ବୋଲି କହିଥିଲେ ହିମନ୍ତ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଖୋଲାଯିବ, 3000 ବାର୍ଦ୍ଧକ୍ୟ ଭତ୍ତା , 3100 ଧାନ ମୂଲ୍ୟ, ସୁଭଦ୍ରା ଯୋଜନାରେ ମହିଳାଙ୍କ ଲାଭ, ନିଶାମୁକ୍ତ , ଅପରାଧ ମୁକ୍ତ ରାଜ୍ୟ ଗଠନ ହେବ ତେଣୁ ଓଡିଶାବାସୀ ବିପୁଳ ପରିମାଣରେ ଭାରତୀୟ ଜନତା ପାର୍ଟିକୁ ଭୋଟ ଦିଅନ୍ତୁ ଏବଂ ସୁରେଶ ପୂଜାରୀ ଓ ପ୍ରଦୀପ ପୁରୋହିତଙ୍କୁ ବିଜୟୀ କରନ୍ତୁ ।