ଖୋର୍ଦ୍ଧା: ପୁଣି ଶ୍ମଶାନ ପାଇଁ ତାତିଲେ ଖୋର୍ଦ୍ଧା ଗଡ଼ବାସୀ । ଶ୍ମଶାନ ଦାବିରେ ଆଜି ପଞ୍ଚପାଇକ ପୀଠରେ ତାଲାପକାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ରାଜପଥ ପ୍ରଶସ୍ତ ପାଇଁ ପଞ୍ଚପାଇକଙ୍କ ପ୍ରତିମୂର୍ତ୍ତିକୁ ନିକଟସ୍ଥ ଗଡ଼ ବାଉରୀ ସାହି ଶ୍ମଶାନ ନିକଟକୁ ସ୍ଥାନାନ୍ତର କରିଥିଲେ ଜିଲ୍ଲା ପ୍ରଶାସନ । ଖୁବଶୀଘ୍ର ଶ୍ମଶାନ ପାଇଁ ସ୍ଥାନ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇ ଏପର୍ଯ୍ୟନ୍ତ ସ୍ଥାନ ଦେଇପାରି ନାହିଁ । ଯାହାର ପ୍ରତିବାଦରେ ପଞ୍ଚପାଇକ ପୀଠରେ ତାଲା ପକାଇ କୋକେଇ ଥୋଇ ବିକ୍ଷୋଭ କରିଛନ୍ତି ଅଞ୍ଚଳବାସୀ ।
ଜାତୀୟ ରାଜପଥ ପ୍ରଶସ୍ତ ପାଇଁ ଖୋର୍ଦ୍ଧାଗଡ଼ ଛକରେ ଥିବା ଏହି ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତିକୁ ସେଠାରୁ ସ୍ଥାନାନ୍ତର କରାଯାଇଛି । ନିକଟସ୍ଥ ଗଡ଼ ବାଉରୀ ସାହି ଶ୍ମଶାନ ନିକଟକୁ ଜିଲ୍ଲା ପ୍ରଶାସନ ସ୍ଥାନାନ୍ତର କରିଥିଲା । ସେହିପରି ଗଡ଼ ବାଉରୀ ସାହିବାସୀଙ୍କୁ ଅନ୍ୟତ୍ର ଶ୍ମଶାନ ଜାଗା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ପ୍ରତିଶୃତି ପାଳନ କଲା ନାହିଁ ପ୍ରଶାସନ । ଶ୍ମଶାନ ପାଇଁ ଜମି ଯୋଗାଇ ଦେବାକୁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦେଇ ନିରାଶ ହେବା ପରେ ଗତ 26 ଜାନୁଆରୀରେ ପଞ୍ଚ ପାଇକ ସ୍ମାରକୀରେ ତାଲା ପକାଇଥିଲେ ଅଞ୍ଚଳବାସୀ । ଫଳରେ ପୀଠ ବାହାରେ ପତାକା ଉତ୍ତୋଳନ କରାଯାଇଥିଲା । ଖବର ପାଇ ଖୋର୍ଦ୍ଧା ତହସିଲଦାର ପହଞ୍ଚି 15ଦିନ ମଧ୍ୟରେ ଶ୍ମଶାନ ପାଇଁ ଅନ୍ୟତ୍ର ସ୍ଥାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଘଟଣାକୁ 20 ଦିନ ବିତି ଯାଇଥିଲେ ମଧ୍ୟ ସରକାରଙ୍କୁ ନିଘା ନାହିଁ । ଅନ୍ୟପଟେ ଶ୍ମଶାନ ନଥିବା କାରଣରୁ ନାନା ହଇରାଣର ଶିକାର ହେଉଛନ୍ତି ଗଡ଼ ବାଉରୀ ସାହିର ବାସିନ୍ଦା ।